ଜନପ୍ରିୟ କ୍ରିକେଟର୍ ରାଜେଶ୍ କୁମାର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି

Spread the love

ଭଦ୍ରକ : ବାହାନଗା ଠାରେ ଚଳିତ ମାସ ୨ ତାରିଖରେ ସଂଘଟିତ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ରାଜେଶ୍ କୁମାର ବଳଙ୍କ ମୃତ୍ୟୁ ଭଦ୍ରକ ଜିଲ୍ଲା କ୍ରିକେଟ୍ ପାଇଁ ଏକ ବଜ୍ର ଆଘାତ । ମୃତ୍ୟୁ ବେଳକୁ ତାଙ୍କ ବୟସ ୩୧ ଥିଲା । ସାବରଙ୍ଗର ଯୁବକ ରାଜେଶ୍ କୁମାର ବଳ ଜଣେ ସୁପ୍ରତିଷ୍ଠିତ କ୍ରିକେଟର୍ ଥିଲେ । ପ୍ରଥମେ ରେଲୱେ କ୍ରିକେଟ କ୍ଲବ୍ ଓ ପରେ ଚରମ୍ପା କ୍ରିକେଟ୍ ଏକାଡେମୀରୁ କ୍ରୀଡା ଜୀବନ ଆରମ୍ଭ କରିଥିଲେ ରାଜେଶ୍ । ଓପନିଂ ବ୍ୟାଟ୍ସମ୍ୟାନ ତଥା ଜଣେ ଫାଷ୍ଟ ବୋଲର୍ ଭାବେ ସେ ଜିଲ୍ଲା ସାରା ଜନପ୍ରିୟ ଥିଲେ । ମୃତ୍ୟୁ ପର୍ଯ୍ୟନ୍ତ କ୍ଲବ୍ କ୍ରିକେଟ୍ରେ ସେ ବେଶ୍ ସକ୍ରିୟ ଥିଲେ । ଭଦ୍ରକ ପ୍ରିମିୟର୍ ଲିଗ୍ ରେ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଓ ଦ୍ରୁତ ବୋଲର୍ ରୂପେ ସେ ଏକ ସ୍ୱତନ୍ତ୍ର ପରିଚୟ ଓ ପ୍ରସିଦ୍ଧି ପାଇଥିଲେ । ଓଡିଶା ରାଜ୍ୟ ଆନ୍ତଃଜିଲ୍ଲା କ୍ରିକେଟ୍ ରେ ସେ ମଧ୍ୟ ଭଦ୍ରକ ଜିଲ୍ଲାର ପ୍ରତିନିଧିତ୍ୱ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅମ୍ପାୟାର୍ ରୂପେ ଓଡିଶା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ତାଲିମ ପାଇ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ବିଭିନ୍ନ ବର୍ଗର ପ୍ରତିଯୋଗିତା ପରିଚାଳନାରେ ଜଣେ ସ୍ୱଚ୍ଛ ଓ ନିରପେକ୍ଷ ଅମ୍ପାୟାର୍ ରୂପେ ନିଜ ପାଇଁ ଆଉ ଏକ ପରିଚୟ ସୃଷ୍ଟି କରିଥିଲେ । ସର୍ବୋପରି ସେ ଜଣେ ସରଳ, ନିଷ୍କଳଙ୍କ, ବନ୍ଧୁବତ୍ସଳ ଯୁବକ ଭାବେ ସେ ସମସ୍ତଙ୍କ ହୃଦୟ ଜିଣିଥିଲେ । ତାଙ୍କର ଅସମୟ ଓ ଅପ୍ରତ୍ୟାଶିତ ପ୍ରସ୍ଥାନ ଭଦ୍ରକ କ୍ରିକେଟ୍ ପାଇଁ ବିଶାଳ କ୍ଷତି । ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍, ପୂର୍ବତଟ ରେଳପଥ କ୍ରୀଡା ସଂଘ ଓ ଚରମ୍ପା କ୍ରିକେଟ୍ ଏକାଡେମୀ ଙ୍କ ମିଳିତ ଉଦ୍ୟମରେ ଆଜି ସନ୍ଧ୍ୟା ୬ ଟା ସମୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ରେଳବାଇ କ୍ରୀଡାଙ୍ଗନରେ ଅନୁଷ୍ଠିତ ହେଲା । ରେଲୱେ କ୍ରିକେଟ୍ କ୍ଲବ୍ର ପୂର୍ବତନ ଅଧିନାୟକ ବୈଷ୍ଣବ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶତାଧିକ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ଯୋଗ ଦେଇଥିଲେ । ଦିବଂଗତ ରାଜେଶ୍ କୁମାର ସ୍ମୃତିଚାରଣ କରିଥିଲେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ଉପେନ୍ଦ୍ର କୁମାର ବାରିକ, କାର୍ଯ୍ୟକାରିଣୀ ସଦସ୍ୟ ଆଇନଜୀବୀ ବିଜୟ କୁମାର ଜେନା, ଟିମ୍ ଓଡିଶା କୋଚ୍ କେ.ଭି.ପ୍ରସାଦ, ସୂର୍ଯ୍ୟଶିଖା କ୍ଲବ୍ ର କ୍ରିକେଟ୍ ପ୍ରଭାରୀ ବଳରାମ ଦାସ, ଓସିଏ ପ୍ୟାନେଲ୍ ଅମ୍ପାୟାର୍ ଦେବବ୍ରତ ଦାସ, ରେଲୱେ କ୍ରିକେଟ୍ କ୍ଲବ୍ର ପୂର୍ବତନ କ୍ରିକେଟର୍ ଶ୍ରୀବତ୍ସ ଉପାଧ୍ୟାୟ, ସଙ୍ଗଠକ ଶ୍ରୀଧର ମିଶ୍ର, ଚରମ୍ପା କ୍ରିକେଟ୍ ଏକାଡେମୀର କୋଚ୍ ମୃଣ୍ମୟ ତ୍ରିପାଠୀ, କର୍ମପଦ ବିନ୍ଧାଣି, ସଞ୍ଜିତ ଚୌଧୁରୀ, ଜେ.ସି.ସି. କ୍ରିକେଟ୍ ଏକାଡେମୀ କୋଚ୍ ଅସିତ ଦାସ, ଜନପ୍ରିୟ ଅମ୍ପାୟାର୍ ଲଲାଟ କେଶରୀ ନନ୍ଦ, କ୍ଷିତିଶ ମହାନ୍ତି, ପ୍ରଶାନ୍ତ କୁମାର ଖୁଣ୍ଟିଆ, ୟୁନାଇଟେଡ୍ କ୍ଲବ୍ ର ବରିଷ୍ଠ କ୍ରୀଡାବିତ୍ ରବିନାରାୟଣ ଓଝା ଓ ୟୁନାଇଟେଡ୍ କ୍ରିକେଟ୍ ଏକାଡେମୀ କୋଚ୍ ଚନ୍ଦନ ନାୟକ । ଶେଷରେ ପୁଷ୍ପ ଓ ଦୀପ ପ୍ରଦାନ ସହ ଏକ ଭାବଗମ୍ଭିର ପରିବେଶରେ ତାଙ୍କ ଆତ୍ମାର ସତ୍ ଗତି ନିମନ୍ତେ ଦୁଇ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହି ଅବସରରେ ତାଙ୍କ ସ୍ମୃତିକୁ ଚିରଞ୍ଜୀବୀ କରିବା ପାଇଁ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଧୀରେନ୍ ପଲାଇ ପଦକ୍ଷେପ ନିଅନ୍ତୁ ବୋଲି ଏକ ସର୍ବସମ୍ମତ ଅନୁରୋଧ ପ୍ରସ୍ତାବ ଗୃହୀତ ହୋଇଥିଲା ।

Leave a Reply

Your email address will not be published. Required fields are marked *