ବାଂଶଡା ସେତୁରେ ଗଡିଲା ଗାଡି, ୧୦୦ ବର୍ଷର ଘାଟ ଡଙ୍ଗା ସେବା ବନ୍ଦ

ଭଦ୍ରକ : ମନ୍ତେଇ ନଦୀ ଉପରେ ବାଂଶଡା ଠାରେ ଏକ ସେତୁ ନିର୍ମାଣ ପାଇଁ ୧୪ ଥର ଟେଣ୍ଡର ହୋଇ ବିଫଳ ହୋଇଥିଲା। ଏପରିକି ନିର୍ମାଣଧୀନ ସେତୁ ଭୁଶୁଡି ପଡିଥିଲା। ଖାଲି ସେତିକି ନୁହେଁ, ଏହି ସେତୁ ନିର୍ମାଣ ଉପରେ ଅଂକୁଶ ଲଗାଇଥିଲେ ଜାତୀୟ ଜଳପଥ ପ୍ରାଧିକରଣ ସଂସ୍ଥା। ଶେଷରେ ଟର୍ଣ୍ଣ କି ପଦ୍ଧତିରେ ରାଜସ୍ଥାନ ଠିକାଦାର ୨୯ କୋଟି ଟଙ୍କାରେ ଏହି ୨୯ ବର୍ଷର ସ୍ୱପ୍ନକୁ ସାକାର କଲେ। ସେତୁ ନିର୍ମାଣ ଶେଷ ହେବା ପରେ ୨୦୨୩ ମଇ ମାସ ୨୨ ତାରିଖରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଲୋକଙ୍କ ଦାବିରେ ପାଦରେ ଚାଲିବାକୁ ଅନୁମତି ଦେଇଥିଲେ । ୨୦୨୩ ଜୁନ୍ ୧୨ ତାରିଖରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଧାମରାରୁ ଚାନ୍ଦବାଲି ଯାଏଁ ସ୍ଥଳପଥରେ କାର ଯୋଗେ ଆସି ଏହି ସେତୁ ଉପରେ ପାଦରେ ଚାଲିଚାଲି ଅତିକ୍ରମ କଲେ । ୩ ହଜାରରୁ ଅଧିକ ଲୋକ ତାଙ୍କୁ ସ୍ୱାଗତ କଲେ। ୨୯ ବର୍ଷ ତଳେ ବାଂଶଡାରେ ସେତୁ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା। ୯ କୋଟିରୁ ଆରମ୍ଭ ହୋଇ ଶେଷର ୨୯ କୋଟିରେ ପହଞ୍ଚିଥିଲା ଏହି ସେତୁର ମୂଲ୍ୟ । ଧାମରାରୁ ଚାନ୍ଦବାଲି ଯାଏ ରାସ୍ତା ନିର୍ମାଣ ଚାଲିଛି । ଧାମରା ବନ୍ଦର ରେଳପଥ କଡେ କଡେ ୭୧ କୋଟି ଟଙ୍କା ବିନିମୟରେ ଏକ ପିଚୁ ସଡକ ନିର୍ମାଣ ଶେଷ ଅବସ୍ଥାରେ ରହିଛି । ବାଂଶଡା ଘାଟରୁ ଚାନ୍ଦବାଲି ଯାଏ ରାସ୍ତା ପୂର୍ଣ୍ଣାଙ୍ଗ ପାଇଁ ୨୮ କୋଟି ଟଙ୍କା ବରାଦ ହୋଇଛି । ୧୪ ଥର ଟେଣ୍ଡର ବିଫଳ ହେବା ପରେ ଏପରିକି ୨୯ ବର୍ଷ ପରେ ଏହି ସେତୁ ଲୋକାର୍ପିତ ହୋଇଛି । କୁମ୍ଭାରିଆ ନଦୀରେ ଭୟଭୀତ ଅବସ୍ଥାରେ ଲୋକେ ୫୦ ବର୍ଷ ହେଲା ଘାଟ ଡଙ୍ଗାରେ ନଦୀ ପାର ହେଉଥିଲେ । ସେତୁ ପୂର୍ଣ୍ଣାଙ୍ଗ ପାଇଁ କଂଗ୍ରେସ ତରଫରୁ ଅନେକ ବାର ଆନ୍ଦୋଳନ କରାଯାଇଛି । ଜୁନ୍ ୧୨ ରେ ୫-ଟି ସଚିବ ଏହି ସେତୁ ଉପରେ ପହଞ୍ଚିବା ବେଳକୁ ଧାମରା, ଜାଗୁଳା, ବାଂଶଡା, ଛେଡାକ, ଯଶିପୁର, ନୂଆଗାଁ, ଇଚ୍ଛାପୁର, ନରସିଂହପୁର ଆଦି ଅଞ୍ଚଳରେ ହଜାର ହଜାର ଲୋକେ ସ୍ୱାଗତ କରିବାକୁ ଛିଡା ହୋଇଥିଲେ । ସେତୁ ଉପରେ ଫୁଲ ବର୍ଷା ହୋଇଥିଲା। ସ୍ୱାଧୀନତା ପାଇବା ଭଳି ଲୋକେ ଏହି ସେତୁ ଲୋକାର୍ପିତ ହେବା ବେଳେ ଅନୁଭବ କରିଥିଲେ। ୧୦୦ ବର୍ଷର ଦୁଃଖ ଲିଭିଯାଇଛି । ଏବେ ଖାଲି ଦିଗଚ୍ଛିଆରୁ ବାଂଶଡା ଏବଂ ବାଂଶଡାରୁ ଧାମରା ଯାଏ ରାସ୍ତା ପୂର୍ଣ୍ଣାଙ୍ଗ ହୋଇଗଲେ ରାଜପଥ ଭଳି ଗାଡି ରାଜଧାନରୀ ଧାମରା ଯାଏ ଗଡିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *