ବାହାନଗା ରେଳ ଦୁର୍ଘଟଣା : ସିବିଆଇ ତଦନ୍ତର ତୃତୀୟ ଦିନ : ଭୁବନେଶ୍ଵର ଆସି ଲୋକ ପାଇଲଟଙ୍କୁ ଜେରା କରିବ ସିବିଆଇ ଟିମ୍

Spread the love

ଭୁବନେଶ୍ଵର/ବାଲେଶ୍ଵର : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ତୃତୀୟ ଦିନରେ ଜାରୀ ରହିଛି । ଭୁବନେଶ୍ଵର ଆସି ଲୋକ ପାଇଲଟ୍ ଙ୍କୁ ଜେରା କରିବ ସିବିଆଇର ଦ୍ଵିତୀୟ ଟିମ୍ । ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଦୁଇ ଲୋକୋ ପାଇଲଟ ଏବେ ଆହତ ହୋଇ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଓ ଆସିଷ୍ଟାଂଟ ଲୋକୋ ପାଇଲଟ୍ ହଜାରୀ ବେହେରା ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ମୁଣ୍ଡ, ବେକ ଓ ଛାତିରେ ଗଭୀର ଆଘାତ ଲାଗିଛି । ଗୁଣନିଧି ଭୁବନେଶ୍ଵରରେ ରହୁଥିବା ବେଳେ ହଜାରୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ସୋରଣ ଗ୍ରାମର ବାସିନ୍ଦା ।

ସିବିଆଇର ୧୦ ଜଣିଆ ଟିମ୍ ପୂର୍ବରୁ ଘଟଣାସ୍ଥଳ ବୁଲି ଦେଖିବା ସହ ରେଳ କର୍ମଚାରୀଙ୍କ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ । ସିଗନାଲ୍ ରୁମ୍, ଲୁପ୍ ଲାଇନ୍ ଓ ମେନ୍ ଲାଇନରେ ମଧ୍ୟ ଯାଞ୍ଚ କରିଥିଲେ । ଏଥିସହିତ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ଏହି ଦୁର୍ଘଟଣା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି କି ନାହିଁ ସେନେଇ ତଦନ୍ତ କରୁଛି ସିବିଆଇ ଟିମ୍ ।

ପ୍ରକାଶ ଥାଉକି, ଟ୍ରେନ୍ ନଂ ୧୨୮୪୧ ଶାଲିମାର -ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନଂ ୧୨୮୬୪ ସାର୍ ଏମ.ଭିସଭେଶ୍ଵରାୟ -ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଗତ ୨ ତାରିଖ ସଂନ୍ଧ୍ୟା ପ୍ରାୟ ୬ଟା ୫୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ମୋଟ୍ ତିନୋଟି ଟ୍ରେନ୍ ସାମିଲ୍ ଥିଲା । ତନ୍ମଧ୍ୟରେ ରହିଥିଲା ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ହଜାରେରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *