ଭୁବନେଶ୍ୱର କ୍ଲବ୍ ନିର୍ବାଚନ ସରିଲାଣି। ହାଇପ୍ରୋଫାଇଲ୍ ଲଢ଼େଇରେ ବାଜି ମାରିନେଇଛନ୍ତି ପ୍ରଦୀପ ଜେନା। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଏବେ ଓଇଆରସି ଅଧ୍ୟକ୍ଷ ଥିବା ପ୍ରଦୀପ ଜେନା ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି। ପ୍ରତିଦ୍ୱନ୍ଦୀ ତଥା ପୂର୍ବ ଥରର ସଭାପତି ଅସିତ ତ୍ରିପାଠୀଙ୍କୁ ସେ ହରାଇଦେଲେ। କାରଣ ଲଗାତାର ତୃତୀୟ ଥର ପାଇଁ ଆଶାୟୀ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଉ ପ୍ରଦୀପ ଅସୀତଙ୍କୁ ୧୮ ଖଣ୍ଡ ଭୋଟରେ ହରାଇଛନ୍ତି। ପ୍ରଦୀପଙ୍କୁ ୮୯୧ ଖଣ୍ଡ ଭୋଟ ମିଳିଥିଲା ବେଳେ ଅସିତଙ୍କୁ ମିଳିଥିଲା ୮୭୩ ଖଣ୍ଡ। ପ୍ରଦୀପଙ୍କ ଚେନରେ ଥିବା ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସ କ୍ଲବର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ କ୍ଲବର ଉପସଭାପତି ଭାବେ ଅସୀତଙ୍କ ଚେନ୍ ର ପ୍ରାର୍ଥୀ ପ୍ରଗତି ମହାନ୍ତି, ସମ୍ପାଦକ ଭାବେ ସମ୍ୱିତ ମହାନ୍ତି ବାଜି ମାରିନେଇଛନ୍ତି। ତେବେ ସଂଖ୍ୟା ଖେଳ ହେଉ ଅବା ପାଓ୍ୱାର ପଲିଟିକ୍ସ। ସବୁବେଳେ ଭୁବନେଶ୍ୱର କ୍ଲବ ନିର୍ବାଚନ ସମସ୍ତଙ୍କ ନଜରରେ ଥାଏ। କାରଣ ଏହି କ୍ଲବକୁ ପାଓ୍ୱାର କରିଡରର ଅନ୍ୟତମ ପ୍ରମୁଖ ଅଂଶ ଭାବେ ବିବେଚନା କରାଯାଏ। ନିର୍ବାଚନ ସରିବା ପରେ କିନ୍ତୁ ପ୍ରଦୀପଙ୍କୁ ନେଇ ଥମୁନି ଚର୍ଚ୍ଚା। କାରଣ ପ୍ରଦୀପ କେତେ ଭାଗ୍ୟବାନ୍ ତାକୁ ନେଇ ତଳୁ ଉପର ଯାଏଁ ସବୁଠି ଚର୍ଚ୍ଚା। ଗଲା ନବୀନ ସରକାରଙ୍କ ଅମଳରେ ପ୍ରଦୀପ ପାଓ୍ୱାର କରିଡରର ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ନବୀନ ସରକାରରେ କ୍ରାଇସିସ୍ ମ୍ୟାନେଜର କୁହାଯାଉଥିଲା ତାଙ୍କୁ। ଶାସନ ମୁଖିଆ ଭାବେ ସେଥିଲାଗି ନବୀନ ସରକାର ତାଙ୍କୁ ବସାଇଥିଲେ। ଅବସର ସମୟ ପୁରିବା ସତ୍ତ୍ୱେ ଥରକୁ ଥର ତାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଉଥିଲା। କାରଣ ଏମିତିରେ ସେ ମିଷ୍ଟଭାଷୀ ଯେମିତି, ଲୋକଙ୍କର ପ୍ରଶାସକ ଭାବେ ସେତିକି କୋଣ ଅନୁକୋଣରେ ପରିଚିତ। କୌଣସି ପରିସ୍ଥିତିକୁ ମୁକାବିଲା କରିବାରେ ସେ ଥିଲେ ସିଦ୍ଧହସ୍ତ। ନା କାହାପ୍ରତି ରଖୁଥିଲେ ଆକ୍ରୋଶ ନା କୌଣସି ପଦପଦବୀ ପ୍ରତି ଥିଲା ତାଙ୍କର ଅହେତୁକ ଆକର୍ଷଣ। ଯୋଗ୍ୟତା ଅନୁସାରେ ପଦବୀ ପାଉନଥିଲା ବେଳେ କଦାପି କାହା ଆଗରେ ଝାଡ଼ିନାହାନ୍ତି ଅବଶୋଷ। ବରଂ ଶାସନ ପ୍ରକ୍ରିୟାର ଏକ ଅଂଶବିଶେଷ କହି ସବୁ ବାଦବିବାଦରୁ ଦୂରେଇ ରୁହନ୍ତି। କାମ ଭଲ ତ ସେ ଭଲ। ଦୁର୍ନୀତିର ଛିଟା ତାଙ୍କ ଉପରେ ଆଜିଯାଏଁ ପଡ଼ିନି। ନିର୍ମଳ ଭାବମୂର୍ତ୍ତି, ଦକ୍ଷତା ଓ ନେତୃତ୍ୱ ନେବାର ପରାକାଷ୍ଠା ଯିଏ ଦେଖିଛି, ସେ ଅନୁଭବ କରିଛି। ସେଥିଲାଗି ତ ସରକାର ସିନା ବଦଳିଗଲା। ହେଲେ ପ୍ରଦୀପ ଜେନାଙ୍କ ପ୍ରତି ସାଧାରଣରେ ଯେଉଁ ମନୋଭାବ ଓ ବିଜେଡି ସରକାର ଅମଳରେ ତାଙ୍କର ଦକ୍ଷତା ପ୍ରତି ଯେତିକି ବିଶ୍ୱାସ ଥିଲା, ଆଜି ବି ମୋହନ ସରକାର ଅମଳରେ ସେହି ବିଶ୍ୱାସ ଅତୁଟ ରହିଛି। ସେଥିଲାଗି ତ ଓଆଇଆରସି ଅଧ୍ୟକ୍ଷ ପଦବୀରେ ପ୍ରଦୀପଙ୍କୁ ବସାଇଛନ୍ତି ସରକାର। ପ୍ରଦୀପ ଏଥିରୁ ପ୍ରମାଣିତ କରିଦେଲେ ଯେ, ନା ସେ କୌଣସି ଦଳର ନା ସେ କୌଣସି ପଲିଟିକାଲ ଟ୍ୟାଗଲାଇନରେ ନା କାହା ଦୟାରେ ତାଙ୍କ ପ୍ରଶାସକ ଜୀବନ ଜାରି ରହିଛି। ଲୋକଙ୍କ ସେବା ନିଷ୍ଠାପର ଭାବେ କରିବା ଆଦର୍ଶକୁ ସେ ଧରି ଚାଲିଛନ୍ତି। ଭୁବନେଶ୍ୱର କ୍ଲବ୍ ସଭାପତି ନିର୍ବାଚିତ ପରେ ଏତେ ସହଜ ନୁହେଁ, ସମସ୍ତଙ୍କ ମନକୁ ନେଇ ଚଳିବା। ତା ସତ୍ତ୍ୱେ ପ୍ରଦୀପଙ୍କ ହସ ହସ ମୁହଁ ଓ କ୍ଷଣିକରେ ପରକୁ ଆପଣାର କରିବାର ଶୈଳୀ ବି ନିଆରା। ସେଥିଲାଗି ତ ସବୁଠି ଚର୍ଚ୍ଚା। ପ୍ରଦୀପଙ୍କୁ କେଉଁ କଳା ଅଜଣା। ନେଇ ଆଣି ଥୋଇବାର ବିଦ୍ୟା ଶିଖିବ ତ ପ୍ରଦୀପଙ୍କଠୁ ଶିଖ। ମିଡିଆ ଆଇଏଏସଙ୍କ କଳିକୁ ନେଇ ନିର୍ବାଚନ ଭୋଟିଂରେ ପ୍ରସଙ୍ଗ କରୁଥିଲା ବେଳେ ପ୍ରଦୀପ ଏ ସବୁ କଳିରେ ନ ପଶି କେମିତି ବିନା ଦ୍ୱିଧାରେ ନିର୍ବାଚନ ଜିତିହୁଏ, ତାହାର କଳା ଏଥର ଦେଖାଇଦେଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now