ଶ୍ରୀମନ୍ଦିରରେ ବିଜୟା ଦଶମୀ ଅନୁଷ୍ଠିତ

ପୁରୀ: ଶାରଦୀୟ ପୂଜା ଅବସରରେ ଉତ୍ସବ ମୁଖର ହୋଇଛି ଶ୍ରୀ କ୍ଷେତ୍ର ପୁରୀ । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦଶହରା ବା ବିଜୟା ଦଶମୀ ନୀତି ଅନୁଷ୍ଠିତ ହୋଇଛି । ଏହି ନୀତି ଅନୁଯାୟୀ, ଶ୍ରୀ ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବା ସହ ଆୟୁଧ ପୂଜା କରଯାଇଛି । ସେପଟେ ବିଭିନ୍ନ ପୂଜା ମଣ୍ଡପ ରେ ମା ମହାମାୟାଙ୍କ ବିଜୟା ଦଶମୀ ବା ଦଶହରା ପୂଜା କରାଯାଉଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପୁରୀ ଆସି ଶାରଦୀୟ ପୂଜା ର ବେଶ ମଜା ଉଠାଉଛନ୍ତି।
ଆଜି ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଦଶହରା ପାଇଁ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପୂର୍ଣ୍ଣ କରାଯାଇଥିଲା । ଆଜି ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ହେବା ପରେ ତଡ଼ପଲାଗି ଓ ଉତ୍ତରୀୟ ମଇଲମ ହୋଇ ତିନିବାଡ଼ରେ ଚନ୍ଦନ ଲାଗି ଓ ନୂଆଲୁଗା ଲାଗି ହୋଇ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା । ଆଜି ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଛି । ମେକାପ ତିନଟି ରୂପାଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳ ମୁଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡକୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଛନ୍ତି ।
ଚଳିତ ବର୍ଷ ମା ମହାମାୟା ଙ୍କ ଆଗମନ ହେତୁ ବେଶ ଉତ୍ସବ ମୁଖର ହୋଇପଡିଛି ଶ୍ରୀ କ୍ଷେତ୍ର ପୁରୀ । ଶ୍ରୀକ୍ଷେତ୍ର ର ବିଭିନ୍ନ ମଣ୍ଡପ ରେ ମା ଙ୍କ ଦଶହରା ପୂଜା କରାଯାଉଥିବା ବେଳେ ପୁରୀ ସମୁଦ୍ର କୁଳ ନିକଟରେ ଥିବା ଦୁର୍ଗା ବାଡ଼ି ରେ ଆଜି ମା ଙ୍କୁ ମେଲାଣି ଦିଆଯାଇବା ସହ ବାଙ୍ଗୀୟ ପରମ୍ପରା ଅନୁଯାଇ ମା ମହା ମାୟା ଙ୍କୁ ସିନ୍ଦୁର ଅର୍ପଣ କରଯାଇଛି । ଏଥିସହ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନିଜ ନିଜ ମଧ୍ୟରେ ସିନ୍ଦୁର ଖେଳିଛନ୍ତି । ତେବେ ଚଳିତ ବର୍ଷ କୋଭିଡ କଟକଣା ହଟିବା ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବେଶ ଉତ୍ସାହ ର ସହ ଶାରଦୀୟ ପୂଜା କୁ ଉପଭୋଗ କରିଛନ୍ତି ।
ତେବେ କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନରୁ ବଂଚିତ ହୋଇଥିବା ବେଳେ ଚଳିତବର୍ଷ କଟକଣା ହଟିଯାଇଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।
ପିଣ୍ଟୁ ସାହୁ ଙ୍କ ରିପୋର୍ଟ