ଜାତୀୟଦୁର୍ନୀତି ଓ କାଣ୍ଡ

ପୀଡିତଙ୍କୁ ମିଳୁନି କ୍ଷତିପୂରଣ

() ପୀଡିତଙ୍କୁ କ୍ଷତିପୂରଣ ମିଳୁନି। ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଓ ଦିଲ୍ଲୀ ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କଠୁ ଏ ନେଇ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଯୌନ ଅପରାଧରେ ପୀଡ଼ିତାଙ୍କୁ ନାଲସା ୨୦୧୮ ପୀଡ଼ିତ କ୍ଷତିପୂରଣ ସ୍କିମରୁ ବଞ୍ଚିତ କରାଯାଉଥିବା ନେଇ ଏକ ଏନଜିଓ ସୋସିଆଲ ଆକ୍ସନ ଫୋରମ ଫର୍ ମାନବ ଅଧିକାର ସଂଗଠନ କୋର୍ଟର ଦ୍ୱାରସ୍ଥ ହୋଇଛି।

ପୀଡ଼ିତ ଯିଏ କି କୌଣସି ଅପରାଧର ଶୀକାର ହୋଇ କ୍ଷତି ସହିଥିବେ ବା ଆଘାତପ୍ରାପ୍ତ ହୋଇଥିବେ। ସେମାନଙ୍କ ଲାଗି ପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ହତ୍ୟାର ଶୀକାର ହୋଇଥିବା ପୀଡ଼ିତର ପରିବାରବର୍ଗକୁ ବି ନିର୍ଭରଶୀଳ ବର୍ଗରେ ରଖି ସରକାର କ୍ଷତିପୂରଣ ଦେବାର ବ୍ୟବସ୍ଥା କରିଛନ୍ତି। ଏହି ପାଣ୍ଠିରୁ ପୀଡ଼ିତଙ୍କୁ ଆର୍ଥିକ ସହାୟତା, ଆବଶ୍ୟକୀୟ ସେବା ଯଥା ଆଶ୍ରୟ, ପରାମର୍ଶ, ସ୍ୱାସ୍ଥ୍ୟ ସହାୟତା, ଆଇନଗତ ପରାମର୍ଶ, ଶିକ୍ଷା ଓ ବୃତ୍ତିଗତ ତାଲିମ ଦେବାର ବ୍ୟବସ୍ଥା କରାଯାଇଥାଏ।

କିନ୍ତୁ ନାସନାଲ ଲିଗାଲ ସର୍ଭିସ ଅଥୋରିଟିଙ୍କର ପୀଡ଼ିତ କ୍ଷତିପୂରଣ ଯୋଜନାରୁ ଅନେକ ବଞ୍ଚିତ। ମଧ୍ୟପ୍ରଦେଶ, ୟୁପି, ବିହାର ଓ ଦିଲ୍ଲୀରେ ଯୌନ ଅପରାଧର ଶୀକାର ପୀଡ଼ିତାଙ୍କୁ ଏ ଯାଏ କ୍ଷତିପୂରଣ ମିଳିନି କହି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ସୋସିଆଲ ଆକ୍ସନ ଫୋରମ ଫର୍ ମାନବ ଅଧିକାର ନାମକ ଏନଜିଓ। ନାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ଦୁଷ୍କର୍ମ ସମ୍ୱନ୍ଧିତ ଅପରାଧ ଗଲା ଦୁଇ ଦଶନ୍ଧିରେ ୭୦.୭ ପ୍ରତିଶତକୁ ବୃଦ୍ଧି ପାଇଛି। ଅନେକ ରାଜ୍ୟ ତ ପୀଡ଼ିତ କ୍ଷତିପୂରଣ ଯୋଜନାକୁ ଏ ଯାଏ ସଂଶୋଧନ ବି କରିନାହାନ୍ତି। ବିଭିନ୍ନ ରାଜ୍ୟର ଲିଗାଲ ସର୍ଭିସ ଅଥୋରିଟି ଠିକ୍ ଭାବେ କାର୍ଯ୍ୟ କରୁନି।

ବିଶେଷ କରି ଯୌନ ଅପରାଧର ଶୀକାର ହେଉଥିବା ପୀଡ଼ିତା ଜରୁରୀକାଳୀନ ଚିକିତ୍ସା, ତ୍ୱରିତ ଆର୍ଥିକ ସହାୟତା ଆଶା କରୁଥିଲା ବେଳେ ଏହା ମିଳୁନି ବୋଲି କୋର୍ଟରେ କହିଛି ଏନଜିଓ। ନାଲସା ସ୍କିମ ୨୦୧୮ର ରୁଲ୍ସ ୯ ଅନୁସାରେ ତଦନ୍ତ ବି ତ୍ୱରିତ ହେବା ଦରକାର। ତଦନ୍ତର ଅବଧି କୌଣସିମତେ ୬୦ ଦିନ ଅତିକ୍ରମ କରିବନି। କିନ୍ତୁ ଏହି ଅବଧି ପାର୍ ହୋଇଗଲେ ବି ତଦନ୍ତ ସରୁନି। ସେଥିଲାଗି ପୀଡ଼ିତ କି ପୀଡ଼ିତା ସରକାରୀ କ୍ଷତିପୂରଣରୁ ବଞ୍ଚିତ ହେଉଛି। ଦାରିଦ୍ର୍ୟ ସାଙ୍ଗକୁ ସଚେତନତାର ଅଭାବ ଲାଗି କମ୍ପ୍ରାମାଇଜ୍ ଓ ସେଟଲ କରିବାକୁ ବାଧ୍ୟ ହେଉଛି ପୀଡ଼ିତା। ଏଭଳି ମାମଲା ମଧ୍ୟପ୍ରଦେଶ ଓ ବିହାରରୁ ଅଧିକ ଆସୁଛି। ଆଉ ଏହାର ପ୍ରତିଫଳନ ହେଉଛି କି, ପୀଡ଼ିତା ନିଜର ସୁରକ୍ଷା ସହ ସଲାସୁତୁରା କରୁ ବୋଲି କିଛି ତତ୍ତ୍ୱ ଚାପ ପକାଇବାକୁ ମଉକା ପାଉଛନ୍ତି।

ଆଉ ରାଜ୍ୟ ଲିଗାଲ ସର୍ଭିସ ଅଥୋରିଟି ସହ ଯୋଗାଯୋଗ କରିବାକୁ ବି ବାଟ ଛାଡ଼ୁନାହାନ୍ତି। ଆଉ ଯିଏ ବି ପହଞ୍ଚୁଛି, ପ୍ରକ୍ରିୟାକୁ ଏତେ ଜଟିଳ ଓ ଲମ୍ୱା କରିଦେଉଛନ୍ତି ଓକିଲ। ଯାହାଫଳରେ ପୀଡ଼ିତା କ୍ଷତିପୂରଣ ପାଇବା ଆଶା ଛାଡ଼ିଦେଉଛି। ବିହାର ଓ ଦିଲ୍ଲୀର ଉଦାହରଣ ଦେଇ ଏନଜିଓ ଦର୍ଶାଇଛି କି, ଗୋଟିଏ ଫର୍ମ ପୂରଣ କରିବାକୁ ଗରିବ ଓ ଅଶିକ୍ଷିତ ପୀଡ଼ିତଙ୍କୁ ଦିଆଯାଉଛି। ଯାହାକୁ ପୂରଣ କରିବାରେ ସେମାନେ ଅସମର୍ଥ ଆଉ ସେଥିଲାଗି ନ୍ୟାୟ ପାଉନାହାନ୍ତି।

କିନ୍ତୁ ମଧ୍ୟପ୍ରଦେଶ ଓ ୟୁପିରେ ପୀଡ଼ିତଙ୍କ ପାଇଁ ଆଉ କେହି ଫର୍ମ ପୂରଣ କରିବାର ପ୍ରାବଧାନ ରହିଛି। ନାଲସା ସ୍କିମ ୨୦୧୮ ଓ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୩୫୭ କ ଅନୁସାରେ ପୁଲିସକୁ ଉପଯୁକ୍ତ ତାଲିମ ଅଭାବରୁ ଏତଲା କପିରେ ବି ଗୁରୁତ୍ୱପୂର୍ଣ୍ଣ ଧାରାକୁ ସାମିଲ୍ କରାଯାଉନି। ଯାହା ଫଳରେ ପୀଡ଼ିତ କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେଉନି। ସେଥିଲାଗି କୋର୍ଟର ହସ୍ତକ୍ଷେପ ଲୋଡ଼ିଛି ଏନଜିଓ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୀଡ଼ିତ କ୍ଷତିପୂରଣ ବାବଦରେ ଲେଟର ଓ ସ୍ପିରିଟ ଭିତ୍ତିରେ କାମ କରିବା ଦରକାର ବୋଲି ଅପିଲ୍ ହୋଇଛି। ଆଉ ସୁପ୍ରିମକୋର୍ଟ ଏ ନେଇ କେନ୍ଦ୍ର ସରକାରଙ୍କ ସମେତ ଏହି ୪ ରାଜ୍ୟର ଲିଗାଲ ସର୍ଭିସ ଅଥୋରିଟିଙ୍କୁ ରିପୋର୍ଟ ତଲବ କରିଛନ୍ତି।

ସେଥିଲାଗି ତ କଥା ଛଳରେ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଥିଲେ କି, ଅନ୍ୟ ଦେଶ ତୁଳନାରେ ଭାରତରେ ପ୍ରତି ଲୋକ ଅନୁପାତରେ ଓକିଲଙ୍କ ସଂଖ୍ୟା ସବୁଠୁ ଭଲ ଅଛି। କିନ୍ତୁ ଆଇନ ସହାୟତା ଅଧିକାଂଶ ବଞ୍ଚିତ ବର୍ଗ ପାଖରେ ପହଞ୍ଚିପାରୁନି। ବାରାଣାସୀରେ ନାଲସାର ପ୍ରଥମ ଆଞ୍ଚଳିକ କନଫରେନ୍ସ-୨୩ରେ ଏଭଳି ଉଦବେଗ ଝାଡ଼ିଛନ୍ତି ଜଷ୍ଟିସ ଖାନ୍ନା। ପୀଡ଼ିତ କ୍ଷତିପୂରଣ ଓ ସାକ୍ଷୀ ସୁରକ୍ଷା ସ୍କିମକୁ କାର୍ଯ୍ୟକାରୀ କରିବା ଦିଗରେ ଠୋସ୍ ପଦକ୍ଷେପ ନେବାକୁ ହେବ।

ଗଲା ବର୍ଷ ସର୍ବଭାରତୀୟ ଜିଲ୍ଲା ଲିଗାଲ ସର୍ଭିସ ଅଥୋରିଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବି କହିଥିଲେ, କିଭଳି ଜଷ୍ଟିସ ଲୋକଙ୍କ ପାଖରେ ପହଞ୍ଚିବ, ସେ ଦିଗରେ ଠୋସ୍ ପଦକ୍ଷେପ ନେବାକୁ ହେବ। ସାଧାରଣ ଲୋକ ନିଜର ଅଧିକାର ବାବଦରେ ଅଧିକ ସଚେତନ ହେବାକୁ ପଡ଼ିବ। ନଚେତ୍ ଆଇନ ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯିବ।

କ୍ଷତିପୂରଣ ରାଶି ପହଞ୍ଚିପାରୁନି ପୀଡ଼ିତଙ୍କ ପାଖରେ। କାରଣ ଏଥିରେ ଭାଗ ବସାଉଛନ୍ତି କିଛି ପୁଲିସ, ଆଇନଜୀବି ଓ ଜନପ୍ରତିନିଧି। ସେଥିଲାଗି ସଚେତନତା ସହ ନିଜ ହକ୍ ପାଇବାର ମାର୍ଗ ବାବଦରେ ପୀଡ଼ିତ ଜାଣିବା ଜରୁରୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button