ଓଡ଼ିଶା

ଆସ୍ଥା ହରାଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର

ଝାରସୁଗୁଡା: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ଏବେ ଧୀରେ ଧୀରେ ତୁଟିବାକୁ ଆରମ୍ଭ ହୋଇଗଲାଣି । ବିମାନ ବନ୍ଦରର ଯାତ୍ରୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ବାରମ୍ୱାର ବିମାନ ବାତିଲ୍ ଲାଗି ଏଭଳି ଅସୁବିଧା ସୃଷ୍ଟି ହୋଇଛି। ଉଡ଼ାଣ ଯୋଜନାରେ ଏକ ନମ୍ୱର ହୋଇଥିବା ଏହି ବିମାନବନ୍ଦରର ସମସ୍ୟା କେବେ ସମାଧାନ ହେବ,ତାକୁ ନେଇ ଉଠିଛି ପ୍ରଶ୍ନ।

ଆସ୍ଥା ହରାଇବାକୁ ବସିଲାଣି ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦର। ପ୍ରଥମତଃ ବିମାନ ସେବା ସବୁବେଳେ ଉପଲବ୍ଧ ହେଉନି। ଆଉ ଯେତେବେଳେ ଉପଲବ୍ଧ ହେଉଛି, ଅଧିକାଂଶ ସମୟରେ ଉଡ଼ାଣ ବାତିଲ୍ ହେଉଛି। ଯାହାକୁ ନେଇ ଯାତ୍ରୀଙ୍କ ଭିତରେ ଘୋର ଅସନ୍ତୋଷ ତେଜିବାରେ ଲାଗିଛି। ରାଜଧାନୀ ଦିଲ୍ଲୀ ସହିତ ପଶ୍ଚିମ ଓଡିଶାକୁ ଯୋଡୁଥିବା ସ୍ପାଇସ୍ ଜେଟ କମ୍ପାନୀର ଏହି ବିମାନ ଗତ ୩ବର୍ଷ ଧରି ସଫଳତାର ସହିତ ଉଡାଣ କରୁଥିବା ବେଳେ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଝାଡ଼ଖଣ୍ଡ ରାଜ୍ୟର ଯାତ୍ରୀ ମଧ୍ୟ ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିଲେ। ତେଣୁ ଏହି ରୁଟ୍ ଟି ସବୁଠାରୁ ସଫଳ ଓ ଗୁରୁତ୍ୱପୂର୍ଣ୍ଣ ରୁଟ୍ ବୋଲି ଅନୁମାନ କରାଯାଉଥିଲା। ସେଥିଲାଗି ଦିଲ୍ଲୀ-ଝାରସୁଗୁଡା ରୁଟ୍ କୁ ଡବଲ ରୁଟ୍ କରାଯିବା ସହିତ ଅନ୍ୟ ରୁଟ୍‌ ଖୋଲିବ ବୋଲି ଆଶା ଉଜ୍ଜୀବିତ ହୋଇଥିଲା । କିନ୍ତୁ ଚିନ୍ତାର ବିଷୟ ଡବଲ ରୁଟ୍ ସ୍ଥାନରେ ସିଙ୍ଗଲ ରୁଟ୍ ମଧ୍ୟ ଏବେ ଶେଷ ସମୟରେ ବାତିଲ କରିଦିଆଯାଇଛି।

ଏବେ ତ ବନ୍ଦରର ଉଡାଣ ସ୍କିମ୍ ର ଆର ସି ଏସ ସ୍କିମ ବନ୍ଦ ହୋଇଯିବାପରେ ବିମାନର ଟିକେଟ ଦର ବୃଦ୍ଧି ବି ପାଇଛି। ଯାହାକି ସମସ୍ତ ବର୍ଗର ଲୋକଙ୍କ ପାଇଁ ସମ୍ଭବ ନୁହେଁ। ଅନ୍ୟ ପଟେ ୨୦୨୩ ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱ କପ୍। ହକି ବିଶ୍ୱ କପ୍ ଦେଖିବାକୁ ଦେଶ ବିଦେଶ ରୁ ଦର୍ଶକ ବି ଆସିବେ। ପଶ୍ଚିମ ଓଡ଼ିଶା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ସେପଟେ ବିମାନବନ୍ଦର ନିର୍ଦେଶକ କହିଛନ୍ତି କି, ଆଗାମୀ ଦୁଇ ମାସ ଭିତରେ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି। ଅନ୍ୟ ଏୟାରଲାଇନ୍ କୁ ବି ଏଠାରେ ତାଙ୍କର ବିମାନ ଉଡ଼ାଇବା ପାଇଁ ନିମନ୍ତ୍ରଣ କରାଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ।

ଝାରସୁଗୁଡ଼ାରୁ ନିୟମିତ ବିମାନ ଉଡ଼ାଣକୁ ବ୍ୟବସ୍ଥିତ କରିବା ଜରୁରୀ ହୋଇପଡ଼ିଛି।

ସନ୍ତୋଷ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button