ଓଡ଼ିଶା

ଆସନ୍ତାକାଲି ପୁରୀରେ ବିଜେଡ଼ି ପାଳିବ ୨୫ତମ ପ୍ରତିଷ୍ଠା ଦିବସ

ପୁରୀ: ଆସନ୍ତାକାଲି ପୁରୀରେ ବିଜେଡ଼ି ପାଳିବ ୨୫ତମ ପ୍ରତିଷ୍ଠା ଦିବସ। ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆ ଠାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ବିଶାଳ ସେଡ ବ୍ୟବସ୍ଥା କରାଯାଇଥିବା ବେଳେ ମଞ୍ଚ, ଦଳୀୟ ପତାକା, ବ୍ୟାନର, ହୋଡିଙ୍ଗ ମଧ୍ୟ ଲଗାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯ଟାରେ ପ୍ରଥମେ ବିଜେଡି ନେତା ଓ କର୍ମକର୍ତ୍ତା ମାନେ ନାମ ପଞ୍ଜିକରଣ କରି ସଭାସ୍ଥଳରେ ଯୋଗ ଦେବେ। ଦିନ ୧୦ଟା ରୁ ସଭାକାର୍ଯ୍ୟ ଆରମ୍ଭ ହେବ। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ ଠାରେ ଅବତରଣ କରିବେ।

ସେଠାରୁ ସିଧାସଳଖ ସଭାସ୍ଥଳକୁ ଯାଇ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଓ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ଅଫିସର ଓ ୩ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ବରେ ରହିବେ। ହେଲିପ୍ୟାଡ୍, ସଭାସ୍ଥଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ଗାଡି ଗୁଡିକ ପାର୍କିଂ ପାଇଁ ତାଳବଣିଆ ପଡ଼ିଆରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଆଗକୁ ନୂଆବର୍ଷ ଥିବାରୁ ପୁରୀକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି।

Leave a Reply

Your email address will not be published.

Back to top button