ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପାଇକ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି: ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

Spread the love

ଭୁବନେଶ୍ୱର : ପାଇକ ବିଦ୍ରୋହ ସ୍ମାରକୀକୁ ନେଇ ବିଜେଡ଼ିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି । ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ମହାପାତ୍ର କହିଛନ୍ତି ଯେ, ଦେଶର ଦୁଇ ଜଣ ପୂର୍ବତନ ମାନ୍ୟବର ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ରାମନାଥ କୋବିନ୍ଦ ଏବଂ ବର୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପାଇକ ବିଦ୍ରୋହ ବାବଦରେ ବହୁତ କିଛି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପାଇକ ସଂଗ୍ରାମୀଙ୍କ ଦାୟଦଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଅର୍ଥର ବ୍ୟୟବରାଦ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏନସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି । ଏଥିପାଇଁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।

ପାଇକ ବିଦ୍ରୋହକୁ ନେଇ ଜାତୀୟ ସ୍ତରରେ ବିଦ୍ରୋହୀ ଧାରାବାହିକ ପ୍ରସାରଣ ହୋଇଛି, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ । ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ସମ୍ଭବ ହୋଇଛି । ବିଦ୍ରୋହୀ ଧାରାବାହିକକୁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଦିଲ୍ଲୀରେ ଦେଖିବା ସମୟରେ ସେହି କାର୍ଯ୍ୟକ୍ରମରେ ବିଜେଡ଼ି ସାଂସଦମାନେ ଉପସ୍ଥିତ ଥିଲେ । ବିଜେଡ଼ିର ନୂଆ ନୂଆ ସାଜିଥିବା ସାଆନ୍ତ ଓ ଗୁମାସ୍ତାମାନେ ସେମାନଙ୍କ ଦଳର ସାଂସଦମାନଙ୍କୁ ପଚାରନ୍ତୁ, ଆମର ପ୍ରିୟ ଗୃହମନ୍ତ୍ରୀ ଅମିତ ଶାହ ସେହି ଦିନ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ ବିଷୟରେ କଣ କହିଥିଲେ ଓ ସେ ତାଙ୍କ ବିଷୟରେ କଣ କଣ ଜାଣିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କାରଣରୁ ଓଡ଼ିଆ ଜାତିର ଅସ୍ମିତା ପାଇକ ବିଦ୍ରୋହ ସ୍ମାରକୀ କାମ ଆଗକୁ ବଢୁଛି । କେବଳ ଏତିକି ନୁହେଁ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଓଡ଼ିଶାର ଅନେକ ଅନାଲୋଚିତ ବୀରତ୍ୱ ମାନଙ୍କ କଥା ଦେଶ ଓ ବିଶ୍ୱରେ ପହଁଚିଛି । ଅପରପକ୍ଷରେ ପାଇକ ବିଦ୍ରୋହ ସ୍ମାରକୀ ନ କରାଇ ଦେବା ପାଇଁ ବିଜେଡିର ନିଜକୁ ସାଆନ୍ତ ଓ ଗୁମାସ୍ତା ଭାବୁଥିବା ଲୋକମାନେ ଷଡଯନ୍ତ୍ର ରଚିଛନ୍ତି । ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ୫୦ ଏକର ଜମି ମାଗି ଥିବା ବେଳେ ରାଜ୍ୟ ସରକାର ମାତ୍ର ୯.୫ ଏକର ଜମି ଦେଇଛନ୍ତି । ବର୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ଡିଏଫଓଙ୍କ ଦାବି ଅନୁସାରେ ୭୭୯ଟି ଗଛ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇସରିଛି । ରାଜ୍ୟ ସରକାରଙ୍କର ଜାଗା ଦେବାରେ ବିଳମ୍ବ ହେବା କାରଣରୁ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥାନରୁ ବିଦ୍ୟୁତ୍ ଖୁଂଟ ଓ ଗଛ ସ୍ଥାନାନ୍ତରରେ ବିଳମ୍ବ ହୋଇଛି । ଯାହା ପାଇକ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ମାନକୁ ଦର୍ଶାଉଛି । ପାଇକ ସଂଗ୍ରାମୀଙ୍କ ସ୍ମୃତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାରେ ଘୋର ଅଭାବ ରହିଛି । ଟାଳଟୁଳ ନୀତି ଅବଲମ୍ବନ ନ କରି ରାଜ୍ୟ ସରକାର ସ୍ମାରକୀ ନିର୍ମାଣ ପାଇଁ ସହଯୋଗୀ ହୁଅନ୍ତୁ । ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଅନିଲ ବିଶ୍ୱାଳ, ଭୂବନେଶ୍ୱର ଜିଲ୍ଲା ସବାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଅଶ୍ରୀତ ପଟ୍ଟନାୟକ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *