ଓଡ଼ିଶା

ଖତ ଖାଉଛି ଲକ୍ଷାଧିକ ଟଙ୍କାର ସ୍ବଚ୍ଛ ସବାରୀ

ନବରଙ୍ଗପୁର:  ବିନା ଇନ୍ଧନରେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ନବରଙ୍ଗପୁର ପୌରପାଳିକା ପକ୍ଷରୁ ଅଳିଆ ଆବର୍ଜନା ସଂଗ୍ରହ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ବ୍ୟାଟେରୀ ଚାଳିତ ଗାଡି କିଣାଯାଇଥିଲା। ହେଲେ ରାସ୍ତାରେ ଗାଡି ଗଡିବାର ଏକବର୍ଷ ନପୂରୁଣୁ ସବୁତକ ଗାଡି ଅକାମୀ ହୋଇ ପଡି ରହିଛି। ଫଳରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଲକ୍ଷାଧିକ ଟଙ୍କାର ସମ୍ପତି ଖତ ଖାଉଛି।

ନବରଙ୍ଗପୁର ପୌରପାଳିକା ଅଞ୍ଚଳରେ ଅଳିଆ ସଂଗ୍ରହ କରିବା ପାଇଁ କିଣାଯାଇଥିଲା ବ୍ୟାଟେରୀ ଚାଳିତ ଗାଡି । ଏହି ଗାଡି ଗୁଡିକୁ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇ ନାମ ରଖାଯାଇଥିଲା ସ୍ବଛ ଶବାରୀ । ଗାଡିଗୁଡ଼ିକୁ ଚଳାଇବା ପାଇଁ ମହିଳା ମାନଙ୍କୁ  ନିୟୋଜିତ କରାଯାଇଥିଲା। ଏହି କାମରେ ନିୟୋଜିତ ଥିବା ୨୦ ଜଣ ମହିଳା ପୌରପାଳିକା ଠାରୁ ପାରିଶ୍ରମିକ ପାଇ ରୋଜଗାରକ୍ଷମ ହୋଇଥିଲେ । କିନ୍ତୁ ଏବେ ବ୍ୟାଟେରୀ ଚାଳିତ ଗାଡି ଗୁଡିକ ସାମାନ୍ୟ ଖରାପ ହେବାପରେ ସେହି ଗାଡି ଗୁଡିକୁ ମରାମତି କରିବା ପରିବର୍ତେ  ପକେଇ ରଖାଯାଇଛି । ଏହି ବ୍ୟାଟେରୀ ଚାଳିତ ୧୦ଟି ଗାଡିକୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ନବରଙ୍ଗପୁର ପୌରପାଳିକା କିଣିଥିବାବେଳେ, ଘର ମାନଙ୍କ ଠାରୁ ଅଳିଆ ଉଠାଇବା ପାଇଁ ପୌରପାଳିକା ଅଞ୍ଚଳର ୧୭ ଗୋଟି ୱାର୍ଡବାସୀଙ୍କ ଠାରୁ ଘର ପିଛା ମାସିକ ୩୦ ଟଙ୍କା ଶୁଳ୍କ ମଧ୍ୟ ଆଦାୟ କରାଯାଉଥିଲା। ଏହିପରି ଭାବେ ଲକ୍ଷାଧିକ ଟଙ୍କା ବ୍ୟୟରେ କିଣା ଯାଇଥିବା ଗାଡି ଗୁଡିକୁ ମରାମତି ନକରି ମୋ ଖତ କେନ୍ଦ୍ରରେ ଦୀର୍ଘ ଦିନ ଧରି ପକେଇ ରଖିବା ପୌରପାଳିକା କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଯାହାକୁ ନେଇ ପ୍ରତିବାଦ ର ସ୍ୱର ଉଠିଛି ।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କିଣା ଯାଇଥିବା ଏହି ଗାଡି ଗୁଡିକୁ ତୁରନ୍ତ ମରାମତି ନକଲେ କିଛି ଦିନପରେ ଏହି ବ୍ୟାଟେରୀ ଗାଡି ଗୁଡିକ ମଧ୍ୟ କବାଡି ଦୋକାନକୁ ଚାଲିଯିବ ଏବଂ ସରକାରଙ୍କ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଗାଡି କିଣାଯାଇଥିଲା ତାହା କାଗଜ ପତ୍ର ରେ ସୀମିତ ହୋଇ ରହିଯିବ । ଯେଉଁ ସଂସ୍ଥା ଠାରୁ ଗାଡ଼ି ଗୁଡିକୁ କିଣାଯାଇଥିଲା ସେହି ସଂସ୍ଥା ଗାଡି ମରାମତି କରୁଛି ନାହିଁ। ପୌରପାଳିକା ବି ଏଥିପ୍ରତି ଧ୍ୟାନ ଦେଉଛି । ଗାଡି ଖରାପ ହେଲେ ପୌର ପ୍ରଶାସନ ଏହାର ମରାମତି ପାଇଁ ରାଇଘର ବ୍ଲକ ଆଇଟିଆଇ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ସହ ଚୁକ୍ତି ସ୍ବାକ୍ଷରିତ କରିଥିଲା। ତେବେ ରାଇଘର ଠାରୁ ନବରଙ୍ଗପୁର ପ୍ରାୟ ୧୦୦ କିମି ଦୂର  ହୋଇଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ନବରଙ୍ଗପୁର ଯିବା ପାଇଁ ଅନିଛା ପ୍ରକାଶ କରୁଛନ୍ତି। ଫଳରେ ରାଇଘର ସହିତ ଚୁକ୍ତି ବାତିଲ ହୋଇଯାଇଥିଲା । ବର୍ତମାନ ଗାଡି ସବୁ ନଷ୍ଟ ହେବାକୁ ବସିଥିବା ବେଳେ ଏଥିପ୍ରତି ପ୍ରଶାସନ ର ଦୃଷ୍ଟି ପଡୁନି । ଏ ସମ୍ପର୍କରେ ପୌରପାଳିକା ଅଧିକାରୀ ଙ୍କୁ ପଚାରିବାରୁ ଗାଡି ଗୁଡିକର ମରାମତି ପାଇଁ  ଆଉ ଗୋଟିଏ ସଂସ୍ଥାକୁ ଦାଇତ୍ୱ ଦିଆଯିବ ବୋଲି କହିଛନ୍ତି ।

ସରକାର କୋଟି କୋଟି ଟଙ୍କା ଜନହିତକର ଯୋଜନା ପାଇଁ ଖର୍ଚ୍ଚ କରୁଥବାବେଳେ ନବରଙ୍ଗପୁର ପୌରପାଳିକାର ଏଭଳି ଅବ୍ୟବସ୍ଥା କୁ ଦେଖିଲେ ଦାୟିତ୍ୱରେ ଥିବା ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ଚିନ୍ତାଧାରା ସରକାର କା ମାଲ ଦରିୟାମେ ଡାଲ ଭଳି ମନେ ହେଉଛି।

ରବି ପଟ୍ଟନାୟକ

Leave a Reply

Your email address will not be published.

Back to top button