() ପ୍ରତିଷ୍ଠା ଦିବସକୁ ପ୍ରତିବାଦ। ପୁରୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳିଥିଲା ବେଳେ ଏପଟେ ସମସ୍ତ ମଣ୍ଡଳ ଓ ଜୋନସ୍ତରରେ ସତ୍ୟାଗ୍ରହ କରିଥିଲା ବିଜେପି। ତେବେ ପ୍ରତିଷ୍ଠା ଦିବସ ଅନ୍ତରାଳରେ ଆହୁରି ଶହେ ବର୍ଷ ବିଜେଡି ରହିବ ବୋଲି ନବୀନ କହିଥିଲା ବେଳେ ରାଜନୀତିରେ ଅପରାଧୀକରଣ ବିରୁଦ୍ଧରେ ସତ୍ୟାଗ୍ରହ କରିଛି ବିଜେପି। ସେପଟେ ଦିନକ ପରେ କଂଗ୍ରେସର ପ୍ରତିଷ୍ଠା ଦିବସ। ଆଉ ଉଭୟ ବିଜେଡି-ବିଜେପି ମିଶିକି ଥିବାର ଆରୋପ ଲଦିଛି କଂଗ୍ରେସ।
ପୁରୀ ତାଳବଣିଆ ପଡ଼ିଆରେ ବିଜେଡି ପାଳିଛି ପ୍ରତିଷ୍ଠା ଦିବସ। ମାଆ ମାନେ ଚାହିଁଲେ ବିଜେଡି ଆହୁରି ଶହେ ବର୍ଷ ରହିବ ବୋଲି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଲୋକଙ୍କ ଲାଗି ଭଲ କାମ କରିବାକୁ ଆହ୍ୱାନ ଦେଇଛନ୍ତି କର୍ମୀଙ୍କୁ। ୨୫ ବର୍ଷ ପୂର୍ତ୍ତି ଅବସରରେ ଅନେକ ସଂକଳ୍ପ ନେଇ ମଞ୍ଚରୁ ଫେରିଛନ୍ତି ନେତା ଓ କର୍ମୀ। କିନ୍ତୁ ପ୍ରତିଷ୍ଠା ଦିବସ ଅନ୍ତରାଳରେ ସୌମ୍ୟଙ୍କ ଧାମନଗରରେ ଦଳର ଅହଙ୍କାର ମନ୍ତବ୍ୟ, ପ୍ରସନ୍ନଙ୍କ ମୁହଁରେ ବିଜୁ ଆଦର୍ଶରେ ଦଳ ଚାଲୁଛି କି ନାହିଁର ଗୁଢ଼ ତତ୍ତ୍ୱ ଓ ସର୍ବୋପରି ଓଡ଼ିଶାର ପରିଚୟ କହିଲେ ଜଗନ୍ନାଥ ଓ ବିଜୁଙ୍କୁ ବୁଝାଏ ବୋଲି ରମେଶ ମାଝୀଙ୍କ ମନ୍ତବ୍ୟ ହଇଚଇ ଖେଳାଇଦେଇଛି।
ସେପଟେ ରାଜନୀତିରେ ଅପରାଧୀକରଣକୁ ବିରୋଧ କରି ୪ ଘଣ୍ଟିଆ ସତ୍ୟାଗ୍ରହ କରି ବିଜେଡି ପ୍ରତିଷ୍ଠା ଦିବସରେ କାଉଣ୍ଟର କରିଛି ବିଜେପି। ଓଡ଼ିଶା ରାଜନୈତିକ ଅପରାଧୀଙ୍କର ଚରାଭୂଇଁ ପାଲଟିଛି। ବିଜେଡି ସରକାର ହିଁ ମୁଖ୍ୟ କାର୍ପଟଦାର କହି ଗର୍ଜିଛି। କ୍ରମାଗତ ବୃଦ୍ଧି ପାଉଥିବା ନାରୀ ହିଂସା ଓ ନିର୍ଯ୍ୟାତନା ପ୍ରତିବାଦରେ ବର୍ଷିଛି। ଏହା ସହ ଆଗୁଆ ବିଧାନସଭା ବନ୍ଦ ନେଇ ସରକାରୀ ଚକ୍ରାନ୍ତ ବିରୁଦ୍ଧରେ ଫେରାଦ୍ ସହ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି ଜଣାଇଛି।
ପ୍ରତିଷ୍ଠା ଦିବସରେ ପ୍ରତିବାଦର ରାଜନୀତିକୁ ଉପହାସ କରିଛି କଂଗ୍ରେସ। ପରସ୍ପର ସହ ମିଶିକି ଥିବା ଉଭୟ ଦଳର କେବଳ ଏହା ପବ୍ଲିକ ଷ୍ଟଣ୍ଟ୍। ୨୮ରେ କଂଗ୍ରେସ ନିଜର ପ୍ରତିଷ୍ଠା ଦିବସ ପାଳିବ। ହାତମୁଠାକୁ ଟାଣ କରି ୨୪ ଲାଗି ଲଢିବାକୁ ପୁରା ଦଳ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ସୁର।
ସବୁ ଦଳର ଉଣା ଅଧିକେ ଫୋକସ ହେଉଛି ମହିଳା ସଶକ୍ତିକରଣ। କାରଣ ସମସ୍ତେ ଜାଣିଛନ୍ତି, ମହିଳା ଭୋଟ୍ ଯୁଆଡ଼େ, ବିଜୟ ସିଆଡେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now