Latest Newsଓଡ଼ିଶାରାଜନୀତି

ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏବଂ ମନ୍ତ୍ରୀ ସମୀର ରଂଜନ ଦାସ ଓ ଶ୍ରୀକାନ୍ତ ସାହୁ ଦେଲେ ଇସ୍ତଫା

ଭୁବନେଶ୍ୱର, ୧୨ ମଇ – ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ବେଳେ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଇସ୍ତଫା ଦେଇଛନ୍ତି । ଉଭୟ ମନ୍ତ୍ରୀ ଗତ କିଛି ଦିନ ହେଲା ବିବାଦ ଘେରରେ ଥିଲେ । ବିରୋଧୀ ଦଳ ପକ୍ଷରୁ ଉଭୟ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହେବା ସହ ଆନ୍ଦୋଳନ ହେଉଥିଲା । ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବା ଲାଗି ସେମାନେ ଇସ୍ତଫା ଦେଇଛନ୍ତି ବୋଲି ଉଭୟ ଶ୍ରୀକାନ୍ତ ସାହୁ ଓ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇଛନ୍ତି ।

୨୦୨୨ରେ ହୋଇଥିବା ଅଦଳବଦଳରେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ନୂଆ କରି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ଶ୍ରମ ଓ କର୍ମଚାରୀ ବୀମା ବିଭାଗ(ରାଷ୍ଟ୍ରମନ୍ତ୍ରୀ-ସ୍ୱାଧୀନ ) ଦାୟିତ୍ୱ ମିଳିଥିଲା ସେହିପରି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ପଦ ମିଳିଥିଲା ।

ଦଳର ଭାବମୂର୍ତ୍ତିକୁ ନିର୍ମଳ ରଖିବା ପାଇଁ ଏହି ଦୁଇ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିବା ଅନୁମାନ କାରଯାଉଛି । କାରଣ ଶ୍ରୀକାନ୍ତ ନାମରେ ପୂର୍ବରୁ ବିଜେଡି ଦଳର ଜଣେ ନେତ୍ରୀ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ । ସେହିପରି ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପରେ ଆଙ୍ଗୁଳି ଉଠିଥିଲା । ତେଣୁ ଏହି ଦୁଇ ଜଣ ମନ୍ତ୍ରୀ ବିବାଦ ଘେରରେ ଥିଲେ ।

ବିକ୍ରମ ଆରୁଖ ନିଜ ଇସ୍ତଫାକୁ ନେଇ କହିଛନ୍ତି ଯେ ସେ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଖକୁ ପଠାଇଥିବା କହିଛନ୍ତି । ବାଚସ୍ପତି ଭାବେ ମୁଁ ନିଷ୍ଠାର ସହିତ କାର୍ଯ୍ୟକରିବାକୁ ଚେଷ୍ଟା କରିଛି । ଆଗକୁ ମଧ୍ୟ ରାଜନେ?ତିକ ଜୀବନରେ ନିଷ୍ଠାର ସହ କାମ କରିବି ବୋଲି ଶ୍ରୀ ଆରୁଖ ସାମ୍ବାଦିକମାନଙ୍କୁ କହିଛନ୍ତି । ଦଳ ମୋତେ ଯେଉଁ ଦାୟିତ୍ୱ ଦେଲେ ବି ମୁଁ ତାହାକୁ ଆନ୍ତରିକତାର ସହିତ ସମ୍ପନ୍ନ କରିବି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button