ବ୍ରାହ୍ମଣୀପାଳ ଟାଟାଷ୍ଟିଲ ପ୍ଲାଣ୍ଟରେ ଶ୍ରମିକଙ୍କ ବଢୁଛି ସମସ୍ୟା, ସମାଧାନର ବାଟ ଫିଟୁନାହିଁ, ତେଜୁଛି ବିବାଦ

Spread the love

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ଟାଟା ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକଙ୍କ ବଢୁଛି ସମସ୍ୟା, ସମାଧାନର ବାଟ ଫିଟୁନାହିଁ । ବିବାଦ ତେଜିବାରେ ଲାଗିଛି ।

ସୂଚନା ମୁତାବକ ଉକ୍ତ ଷ୍ଟିଲ ପ୍ଲାଣ୍ଟରେ ବିଭିନ୍ନ ସମସ୍ୟା ସହ ଦରମା ବୃଦ୍ଧିକୁ ନେଇ ଏଫ ଏ ପି ବ୍ରାହ୍ମଣୀପାଳ ଟାଟା ଷ୍ଟିଲ ପ୍ଲାଣ୍ଟର ଶ୍ରମିକଙ୍କ ବୃଦ୍ଧି ହେଉଛି ଅଶାନ୍ତି । ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ୱ ହେବ ବାରମ୍ବାର ୟୁନିଅନ ପକ୍ଷରୁ ଚିଠି ମାଧ୍ୟମରେ ଶ୍ରମିକମାନଙ୍କ ଦରମା ବୃଦ୍ଧି ସହ ବିଭିନ୍ନ ସମସ୍ୟା ନେଇ ଅବଗତ କରିଥିଲେ ମଧ୍ୟ କର୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ସରକାରୀ ନିୟମ ଓ ଆଧାର କାର୍ଡ, ସ୍କୁଲ ସାର୍ଟିଫିକେଟ, ପାନକାର୍ଡ, ଜନ୍ମ ପ୍ରମାଣ ପତ୍ରକୁ ପ୍ଲାଣ୍ଟର କର୍ତ୍ତୃପକ୍ଷ ବେଖାତିରି କରି ଶ୍ରମିକଙ୍କୁ ମନମ୍ମୁଖି ଭାବେ ପ୍ଲାଣ୍ଟରୁ ବିତାରିତ କରୁଛନ୍ତି । ଏଠାରେ ମୁଖ୍ୟ କଥା ଯେ, ଶ୍ରମିକମାନଙ୍କ କାର୍ଯ୍ୟକାଳର ସମୟ ନପୁରୁଣୁ ସେମାନଙ୍କୁ ପ୍ଲାଣ୍ଟରୁ ଅବସର ପ୍ରାପ୍ତ କରାଯାଉଛି ।

ଅବସର ସମୟରେ ଶ୍ରମିକଙ୍କ ପାଇବାକୁ ଥିବା ବକେୟା ଦରମା, ବୋନସ୍ ନଦେଇ ପ୍ଲାଣ୍ଟ ଫାଟକରେ ପ୍ରବେଶକୁ ବନ୍ଦ କରାଯାଉଛି । ଘଟଣା ସମ୍ପର୍କରେ ବାରମ୍ବାର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ କିମ୍ବା ସମାଧାନର ବାଟ ବାହାରି ନଥିବା ଅଭିଯୋଗ ହୋଇଛି ।

ଏଠାରେ ପ୍ରଶ୍ନ ଯେ, ଜିଲ୍ଲା ଶ୍ରମ ବିଭାଗର ଏହି ପ୍ଲାଣ୍ଟର କର୍ତ୍ତୃପକ୍ଷଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି, ଅନ୍ୟପଟେ ଶ୍ରମିକମାନଙ୍କ ଦୁଃଖ ବୁଝିବ କିଏ । ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଫେରୋ ଆଲୁଏଜ ପ୍ଲାଣ୍ଟ ୱାର୍କସ ୟୁନିଅନ ପକ୍ଷରୁ ଗତ ଜୁନ ମାସ ୩ ତାରିଖ ଟୁଲ୍ ଡାଉନ୍ କରାଯିବାକୁ ନେଇ ଚିଠିରେ ଉଲ୍ଲେଖ କରାଯାଇଥିଲା । ଏହାର ପ୍ରତିବାଦରେ ବୁଧବାର ସକାଳୁ ୨୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ଏକାଠି ହୋଇ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ପ୍ଲାଣ୍ଟର ମୂଖ୍ୟ ଫାଟକ ସମ୍ମୁଖରେ ଏକ ସଭା ଆୟୋଜନ କରିଛନ୍ତି । ନିଜ ନିଜ ଉପରେ ହୋଇଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଙ୍ଘର୍ଷ କରିବାକୁ ପଛଘୁଞ୍ଚା ନଦେଇ ବିଭିନ୍ନ ନାରାବାଜି ଦେଇ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ଘଟଣାକୁ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ ସମାଧାନର ବାଟ ବାହାର କରିବା ବଦଳରେ ବିବାଦକୁ ବଢ଼େଇ ଭଳି ପ୍ଲାଣ୍ଟର କେଣ୍ଟିନରେ ଶ୍ରମିକଙ୍କ ପାଇଁ ଖାଦ୍ୟ ବନ୍ଦ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣରେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଏଭଳି ହୀନ କାର୍ଯ୍ୟ ପାଇଁ ଘୃଣା ମନୋଭାବ ସୃଷ୍ଟି ହୋଇଛି । ଯଥାଶୀଘ୍ର ଶ୍ରମିକଙ୍କ ସମସ୍ୟା ଗୁଡ଼ିକର ସମାଧାନ ନହେଲେ ଆଗାମୀ କାଲିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଶ୍ରମିକ ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *