ରାଜନୀତି

ପାଇଲଟଙ୍କୁ ଲଲିପପ୍!

() କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନାମାଙ୍କନର ପ୍ରଥମ ଦିନରେ ଦଳର ବରିଷ୍ଠ ନେତା ତଥା ଜି-୨୩ ସଦସ୍ୟ ଶଶି ଥରୁର ନାମାଙ୍କନ ପାଇଁ ଫର୍ମ ସଂଗ୍ରହ କରିଥିବା ବେଳେ ସୋନିଆଙ୍କ ପ୍ରିୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ସର୍ବୋଚ୍ଚ ପଦରେ ଆସିନ୍ନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ସବୁ ରାଜ୍ୟର କଂଗ୍ରେସ କମିଟି ନିର୍ବାଚନରେ ଭାଗ ନେବାକୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ରାଜସ୍ଥାନ କଂଗ୍ରେସରେ ଉଷ୍ଣତା ବଢି ଯାଇଛି। ରାଜସ୍ଥାନ ସ୍ଥିତିକୁ ଦେଖିଲେ ମନେ ହେଉଛି ଅଧ୍ୟକ୍ଷ ପଦଠାରୁ ଯେମିତି ଅଧିକ ଜରୁରୀ ମୁଖ୍ୟମନ୍ତ୍ରୀ ଚୌକି। ଏହି ଚୌକି ବଞ୍ଚାଇବାକୁ ଗେହଲଟ ସବୁ କଳ କୌଶଳ ଲଗାଇ ଏହି ପସାପାଲିରେ ଯେମିତି ସଫଳ ହୋଇଛନ୍ତି।

ଆରମ୍ଭ ହୋଇଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା। ବିଜ୍ଞପ୍ତି ଅନୁଯାୟୀ ୨୪ରୁ ନାମାଙ୍କନ ଦାଖଲ ହୋଇ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ପଦ ଦୌଡରେ ଥିବା ପ୍ରମୁଖ ଦାବିଦାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ଯେମିତି ଅଧ୍ୟକ୍ଷ ପଦଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଛି ମୁଖ୍ୟମନ୍ତ୍ରୀ ପଦ। ତେଣୁ ସେ ନିର୍ବାଚନ ଲଢିବା ସ୍ଥିର ହୋଇସାରିଥିଲେ ମଧ୍ୟ ନାମାଙ୍କନ ଦାଖଲ କରିବାକୁ ଶେଷ ତାରିଖ ଧାର୍ଯ୍ୟ ନେଇ ଚର୍ଚ୍ଚା ହେଉଛି।  ରାହୁଲଙ୍କ ୱାନ ମ୍ୟାନ ୱାନ ପୋଷ୍ଟ ରିମାଇଣ୍ଡର ପରେ ଗେହଲଟଙ୍କ ପାଇଁ ବଢିଥିଲା ସମସ୍ୟା।

ମୁଖ୍ୟମନ୍ତ୍ରୀ ପଦ ନିଜ କବଜାରେ ରଖିବାକୁ ଲାଗି ପଡିଛନ୍ତି। ଗେହଲଟଙ୍କର ଏକମାତ୍ର ଲକ୍ଷ୍ୟ କୌଣସି ପ୍ରକାରେ ସଚିନ ପାଇଲଟଙ୍କ ହାତକୁ ଚାଲି ନ ଯାଉ ମୁଖ୍ୟମନ୍ତ୍ରୀ ପଦ । ତେଣୁ ଜାତୀୟ ରାଜଧାନୀରେ କଂଗ୍ରେସ ଭିତରେ ଯେତିକି ରାଜନୈତିକ ଉଷ୍ଣତା ଦେଖା ଯାଉନି, ତାଠୁ ଅଧିକ ଉଷ୍ଣ ହୋଇଉଠିଛି ରାଜସ୍ଥାନ। ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ଏହାକୁ ନେଇ ଆଜି ସଂଧ୍ୟାରେ ବିଧାୟକ ଦଳର ବୈଠକ ହେବାକୁ ଯାଉଛି। ଏହି ବୈଠକରେ ରାଜ୍ୟ କଂଗ୍ରେସ ଦାୟିତ୍ବରେ ଥିବା ଅଜୟ ମାକନଙ୍କ ସହ ସାମିଲ ହେବେ ମଲିକାର୍ଜୁନ ଖଡଗେ। ରାଜ୍ୟ କଂଗ୍ରେସର ଦୁଇ ଗୋଷ୍ଠୀକୁ ମନେଇ ସୁରୁଖୁରୁରେ ମୁଖ୍ୟମନ୍ତ୍ରୀ କରିବା ହେଉଛି ଏହି ଦୁଇ ନେତାଙ୍କ ଦାୟିତ୍ବ।

ତେବେ ଏହା ପୂର୍ବରୁ  ଦିଲ୍ଲୀରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀକୁ ନେଇ ରବିବାର ସକାଳୁ ସକାଳୁ ବସିଛି ବୈଠକ। ବୈଠକରେ ବହୁ ମାନସ ମନ୍ଥନ ପରେ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ, ଗୋବିନ୍ଦ ସିଂହ ଡୋଟାସାରାଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ଅଧ୍ୟକ୍ଷ ଭାବେ ସଚିନ ପାଇଲଟଙ୍କୁ ବଛାଯାଇଛି। ଆଗାମୀ ନିର୍ବାଚନର କମାଣ ସମ୍ଭାଳିବେ ସଚିନ। ଯଦି ଆଗାମୀ ନିର୍ବାଚନରେ ଦଳ ରାଜସ୍ଥାନରେ ବିଜୟ ହାସଲ କରେ ତେବେ ସଚିନ ହେବେ ମୁଖ୍ୟମନ୍ତ୍ରୀ। ଏକ ନୂଆ ଫର୍ମୁଲାକୁ ନେଇ ଦିଲ୍ଲୀରେ ହାଇକମାଣ୍ଡଙ୍କ ନେତୃତ୍ବରେ ବୈଠକ ଅନୁଷ୍ଠିତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ଏହି ନିଷ୍ପତ୍ତି ଅନୁଯାୟୀ ସଂଧ୍ୟାରେ ଔପଚାରିକ ଘୋଷଣା ହେବ ବିଧାୟକଦଳ ବୈଠକରେ।

ଅର୍ଥାତ୍ ନିଜ ଚାଲରେ ସଫଳ ହୋଇଛନ୍ତି ଗେହଲଟ। ନା ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ, ନାହିଁ ଆଉ ୨୦୨୦ ପରି ଦଳରେ ସୃଷ୍ଟି ହେବ ଅସ୍ଥିରତା। ୨୦୨୦ରେ ପାଇଲଟଙ୍କ ବିଦ୍ରୋହ ରାଜ୍ୟରେ କଂଗ୍ରେସ ସରକାରକୁ ଭାଙ୍ଗିବା ସ୍ଥିତିକୁ ନେଇ ଆସିଥିଲା। ଏହି ସମସ୍ୟାର ସମାଧାନ ପାଇଁ ହୁଏତର ଜାତୀୟ ନେତୃତ୍ବ ପାଇଲଟଙ୍କୁ ଆସନ୍ତା ଥରକୁ ମୁଖ୍ୟମନ୍ତ୍ରୀ ପଦର ଲଲିପପ୍ ଦେଖାଇଛନ୍ତି। ଯଦି ଏହି ଲଲିପପ୍‌ ରେ ପାଇଲଟ ଭଳିଗଲେ ଭଲ, ନୋହିଲେ କଂଗ୍ରେସର ଆଭ୍ୟନ୍ତରିଣ କନ୍ଦଳର ଫାଇଦା ନେବାକୁ ଚାହିଁ ବସିଥିବା ବିଜେପି ବାଜିମାତ କରିବା ପାଇଁ ହୁଏତ ଖୋଲିଯିବ ବାଟ ବୋଲି ପୂର୍ବରୁ ଆଶଙ୍କା ପ୍ରକାଶ କରି ସାରିଛନ୍ତି ଏନସିବି ପ୍ରମୁଖ ସରଦ ପାୱାର।

ପାୱାରଙ୍କ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। କାରଣ କଂଗ୍ରେସର ଭିତିରି କଳି ଉପରେ ବିଜେପିର ଆଖି। ବିଭିନ୍ନ ରାଜ୍ୟରୁ ବହୁ କଂଗ୍ରେସ ନେତାଙ୍କୁ ମଧ୍ୟ ପଦ୍ମ ପୋଖରୀରେ ସ୍ନାନ କରାଇ ସାରିଛନ୍ତି ସାହା ଓ ମୋଦିଙ୍କ ଯୋଡି। ଏହାକୁ ନେଇ ରାଜସ୍ଥାନ ବିଜେପିର ନେତା କହିସାରିଲେଣି କି, ଯଦି କଂଗ୍ରେସ ଛାଡି କେହି ତାଙ୍କ ଦଳରେ ସାମିଲ ହେବାକୁ ଚାହଁନ୍ତି, ସେମାନଙ୍କୁ ସ୍ବାଗତ କରାଯିବ। ସେପେଟ

ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବୋପରେ କହିବା ସହ ପାଇଲଟ ବିଜେପିର ଗୁଧ୍ରୁ ଦୃଷ୍ଟି ପ୍ରତି କଂଗ୍ରେସ ନେତା ମଧ୍ୟ ସଚେତନ ଥିବା ପରି ମନେ ହେଉଛି। ଦୁଇ ବର୍ଷ ପୂର୍ବରୁ ଦଳରେ ନିୟମ ଭଙ୍ଗ କରିଥିବା କିଛି ଲୋକ ଯଦି ଏହି ପଦ ପାଇଁ ବିବେଚିତ  ହୁଅନ୍ତି, ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ ଡ ସୁବାଶ ଗର୍ଗ 

ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜାତୀୟ ନେତୃତ୍ବଙ୍କ ଦ୍ବାରା ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କିନ୍ତୁ ଏହା ଦଳ ପାଇଁ ସହଜ ମନେ ହେଉନାହିଁ। ପାଇଲଟ ଏହି ନିଷ୍ପତ୍ତିକୁ କିପରି ଗ୍ରହଣ କରିବେ ତାହା ପରବର୍ତ୍ତୀ ସମୟରେ ହିଁ ସ୍ପଷ୍ଟ ହେବ।

Related Articles

Leave a Reply

Your email address will not be published.

Back to top button