ଜାତି ଜନଗଣନା- ଶ୍ରେୟ ନେବାକୁ ଲଢ଼େଇ..

ଜାତିଗତ ଜନଗଣନା ସାମାଜିକ ନ୍ୟାୟ ଲାଗି ବଡ଼ ସଂକଳ୍ପ। ଗଲା ୧୧ ବର୍ଷ ଧରି ସରକାରଙ୍କ ସେବାର ମନୋବୃତ୍ତିକୁ ଏହା ପ୍ରତିଫଳିତ କରିଛି। ସମାଜର ସବୁ ବର୍ଗଙ୍କୁ ଲାଭ ମିଳୁ। ଏହି ଉଦ୍ଦେଶ୍ୟରେ ମୋଦି ସରକାର ଜାତିଗତ ଜନଗଣନା ଲାଗି ବାଟ ଖୋଲିଦେଲେ। ଦେଶର ବଞ୍ଚିତ ବର୍ଗକୁ ଅଧିକାର ଦେବା, ସେମାନଙ୍କ ପ୍ରତିନିଧିତ୍ୱକୁ ଅଧିକ ଜାହିର୍ କରିବାକୁ ସରକାରଙ୍କ ପ୍ରତିବଦ୍ଧତାର ଏହା ସ୍ୱରୂପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁ କିଭଳି ଜାତିଗତ ଜନଗଣନା ବିରୋଧୀ ଥିଲେ, ସେ କଥାର ଅବତାରଣା କରିଛନ୍ତି ଧର୍ମେନ୍ଦ୍ର। ମଣ୍ଡଳ କମିଶନଙ୍କ ରିପୋର୍ଟକୁ ୧୦ ବର୍ଷ ଧରି ଚାପିଥିଲେ ଇନ୍ଦିରା ସରକାର। ସେତେବେଳେ ସରକାର ଓ ସିଷ୍ଟମ କାହା ହାତରେ ଥିଲା ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର। ରାଜୀବ ଗାନ୍ଧୀ ବି ଓବିସି ସଂରକ୍ଷଣ ବିରୁଦ୍ଧରେ ଭାଷଣ ଦେଇଥିଲେ। ଯାହାର ସାମାଜିକ ନ୍ୟାୟ ନିଜ ପରିବାର ଭୀତରେ ସୀମିତ, ସେମାନଙ୍କଠୁ ଅଧିକ କଅଣ ଆଶା କରାଯିବ। ଜନଗଣନା ଓ ସର୍ଭେ ଭିତରେ ତଫାତ୍ କଅଣ , ତାହା କଂଗ୍ରେସକୁ ଜଣାନାହିଁ। ବାବା ସାହେବ ଆମ୍ୱେଦକରଙ୍କୁ ଭାରତରତ୍ନ ଦେଇପାରିନଥିବା କଂଗ୍ରେସ ମୁହଁରେ ଏଭଳି ଭାଷା ଶୋଭାପାଏନା। ତୋଷାମଦକାରୀ ସୋନିଆ ଓ ରାହୁଲଙ୍କୁ ଶ୍ରେୟ ଦେଉଥିଲେ, ପ୍ରଧାନମନ୍ତ୍ରୀଙ୍କୁ ନୁହେଁ। ମୋଦିଙ୍କ ସମୟ ଉପଯୋଗୀ ନିର୍ଣ୍ଣୟ ପରେ କିଛି ଲୋକ ହତାଶ ହୋଇ ନକରାତ୍ମକ ମନୋବୃତ୍ତି ଦେଖାଉଥିବା ବିରୋଧୀ ନିବୃତ୍ତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର କହିଥିଲେ ଯେ, ଏହା କଂଗ୍ରେସର ଭିଜନ ଥିଲା। ଯାହାକୁ ସରକାର ଗ୍ରହଣ କରିବାକୁ ବାଧ୍ୟ ହେଲେ। ତେବେ ଜାତିଗତ ଜନଗଣନାର ଟାଇମଲାଇନ୍ ନେଇ ସ୍ପଷ୍ଟତା ଲୋଡ଼ିଥିଲେ ରାହୁଲ। ସଂରକ୍ଷଣର ୫୦ ପ୍ରତିଶତ ସ୍ଲାବ୍ ହଟାଇବାକୁ ଦାବି କରିଥିଲେ। ଲୋକଙ୍କ ପ୍ରକୃତ ଗଣନା ହେଉ, ବ୍ୟୁରାକ୍ରାଟିକ ଜନଗଣନା ନ ହେଉ। ଜାତିଗତ ଜନଗଣନା ନେଇ ରାହୁଲ କ୍ରେଡିଟ୍ ନେବା ପରେ ଧର୍ମେନ୍ଦ୍ର ଏଭଳି ଟାର୍ଗେଟ କରିଛନ୍ତି। ସେପଟେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ମାଣିକଲାଲ ଟାଗୋର। ମୋଦି ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କ୍ଷମତାରେ ଅଛନ୍ତି। ୨୦୧୧-୧୨ରୁ ଜାତିଜନଗଣନା ତଥ୍ୟ ସରକାରଙ୍କ ପାଖରେ ଥିଲା। ଜାତି ଜନଗଣନା କରିପାରିଥାଆନ୍ତେ। ଯେହେତୁ ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଏହାର ନେତୃତ୍ୱ ନେଇ କେନ୍ଦ୍ର ଉପରେ ଘନ ଘନ ଚାପ ପକାଇଆସୁଥିଲେ। କାଳେ ରାହୁଲ ଶ୍ରେୟ ନେଇଯିବେ, ସେ ଭୟରେ ପ୍ରତି କଥାରେ ନେହେରୁ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରି ନିଜର ପିଲାଳିଆମୀ ଦେଖାଉଛନ୍ତି ଧର୍ମେନ୍ଦ୍ର। ଶସ୍ତା ରାଜନୀତିରୁ ନିବୃତ୍ତ ରୁହନ୍ତୁ ଧର୍ମେନ୍ଦ୍ର ବୋଲି ପରାମର୍ଶ ଦେଇଛନ୍ତି ମାଣିକଲାଲ। ସେପଟେ ଓଡ଼ିଶାରେ ଜାତି ଜନଗଣନାକୁ ନେଇ ସମାନ ରାଜନୀତି ଜୋର୍ ଧରିଛି। ବିଜେଡି କେନ୍ଦ୍ରର ଜାତି ଜନଗଣନା ନିଷ୍ପତ୍ତିକୁ ସ୍ୱାଗତ କରିଛି। କିନ୍ତୁ ସଂରକ୍ଷଣରେ ଥିବା ୫୦ ପ୍ରତିଶତ ସ୍ଲାବ୍ ହଟାଇବାକୁ ଦାବି କରିଛି। ୨୦୨୩ରୁ ବିଜେଡି ସରକାର ପଛୁଆ ବର୍ଗଙ୍କ ଲାଗି ଅନେକ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଓବିସି କମିଶନ ଗଠନ କରିଥିଲା। ଆଉ ଏହାକୁ ଅନୁକରଣ କରି କେନ୍ଦ୍ର ସରକାର ଏବେ ଏହି ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ନବୀନ। ବିଜେଡି ସବୁବେଳେ ସାମାଜିକ ନ୍ୟାୟ ଲାଗି ଛିଡ଼ାହୋଇଛି। ଏସସି, ଏସଟି, ଓବିସିଙ୍କୁ ନ୍ୟାୟ ଦେବାକୁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ। ସଂସଦରେ ୨୦୧୦ରେ ବିଜେଡି ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଥିଲା। ବିଜେଡି ସଂସଦୀୟ କମିଟି ବି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଦାବି ଦୋହରାଇଥିଲା। ବିଧାନସଭା ଷ୍ଟାଣ୍ଡିଂ କମିଟିରେ ବି ଏ କଥା ଉଠାଇଛି ବିଜେଡି। କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ସତ। କିନ୍ତୁ ନିୟମାବଳୀ ଆସିନି। ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ଜାତିଭିତ୍ତିକ ଜନଗଣନା ସମୟରେ ଚିହ୍ନଟ କରାଯାଉ। ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରାଯାଉ। ଆର୍ଥିକ ଅନଗ୍ରସରଙ୍କୁ ଅଗ୍ରାଧିକାର ଦିଆଯାଉ। ସର୍ବୋପରି ଯାହାର ସଂଖ୍ୟା ଯେତେ, ତାହାର ଭାଗ ସେତିକି ହେବା ଦରକାର ବୋଲି ଦାବି କରିଛନ୍ତି ଅରୁଣ। ପିସିସି ପ୍ରଭାରୀ ଅଜୟ ଲାଲୁ କହିଛନ୍ତି, କେନ୍ଦ୍ରର ଏହି ନିଷ୍ପତ୍ତି ପଛରେ ରାହୁଲଙ୍କ ସଂଘର୍ଷ, ସଂକଳ୍ପ ଓ ସମର୍ପଣ ରହିଛି। ଆମ୍ୱେଦକରଙ୍କୁ ଯେମିତି ପୁରା ଦେଶ ମନେ ପକାଉଛି,ଠିକ୍ ସେମିତି ଶୋଷିତ ସମାଜ ରାହୁଲଙ୍କୁ ସବୁବେଳେ ସ୍ମରଣ ରଖିବ। କଂଗ୍ରେସ ଏହି ଅବସରରେ ବିଜୟ ଦିବସ ପାଳିଛି। ମିଠା ବାଣ୍ଟି କେକ୍ କାଟି ବିଜୟ ଉତ୍ସବ ପାଳିଛି। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବି କହିଛନ୍ତି, ଜାତି ଜନଗଣନାକୁ ନେଇ ଇଣ୍ଡିମେଣ୍ଟ ସବୁବେଳେ ସଡ଼କରୁ ନେଇ ସଂସଦ ଯାଏ ଦାବି କରିଆସୁଥିଲେ। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ହକ୍ ଛଡ଼ାଯାଉଥିଲା। ଯାହାର ସଂଖ୍ୟା ଯେତିକି, ସେମାନେ ସେତିକି ଅନୁପାତରେ ସାମ୍ୱିଧାନିକ ସଂରକ୍ଷଣର ସୁବିଧା ପାଇବା ଦରକାର। ବିଜେପି କହିଛି, ଶ୍ରେୟ ନେବାକୁ ଯେମିତି ପ୍ରତିଯୋଗିତା ଚାଲିଛି, ତାହା ହାସ୍ୟାସ୍ପଦ। ବଞ୍ଚିତ ବର୍ଗଙ୍କ ଅଧିକାର ଲାଗି ମୋଦି ସରକାରଙ୍କ ପ୍ରତିବଦ୍ଧତା ଦେଶବାସୀ ଦେଖୁଛନ୍ତି। ଲାଗୁଛି,, ଜାତି ଜନଗଣନା ନେଇ ଯେମିତି ଶ୍ରେୟ ରାଜନୀତିର ପ୍ରତିଯୋଗିତା ଆରମ୍ଭ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *