ଓଡ଼ିଶାରାଜନୀତି

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଚିଠି ପରେ ଜୋର ଧରିଛି ରାଜନୀତି

ଭୁବନେଶ୍ବର: ରାଜ୍ୟରେ ଗଣତାନ୍ତ୍ରିକ ଶାସନ ଚାଲିଛି ନା ଅମଲାତନ୍ତ୍ରର। ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ସରକାର ଏହି ମର୍ମରେ ଚିଠି ଲେଖିବା ପରେ ପୁଣି ଥରେ ଏଭଳି ବିତର୍କିତ କଥାକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି। ଅନେକ ସ୍ଥାନରେ ସାଂସଦ ଓ ବିଧାୟକଙ୍କୁ ଅଫିସର ସମ୍ମାନ ଦେଉନାହାନ୍ତି। ଅଫିସରଙ୍କ ଆଚରଣକୁ ନେଇ ଏଭଳି ଚିଠି ଆସିବା ପରେ ବୁକ୍ ସର୍କୁଲାର ୪୭କୁ ନେଇ ପୁଣି ଚର୍ଚ୍ଚା ଧରିଛି।

ବିଧାୟକ, ସାଂସଦଙ୍କୁ ସମ୍ମାନ ଦିଅ।  ସେମାନେ ନିର୍ବାଚିତ ପ୍ରତିନିଧି। ଗଣତନ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ।ବୁକ୍ ସର୍କୁଲାର-୪୭କୁ ଅନୁପାଳନ କର।ନେତାଙ୍କୁ ଅଧିକାରୀଙ୍କ ଅସମ୍ମାନ, ଅସହଯୋଗ ପ୍ରସଙ୍ଗରେ ଅନେକ ଅଭିଯୋଗ ପାଇବା ପରେ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏହି ମର୍ମରେ ଚିଠି ଲେଖି ତାଗିଦ୍ କରିଛନ୍ତି କେନ୍ଦ୍ର ସରକାର। ଯଦି ଏହାର ଖିଲାପ କରିବାର ପ୍ରମାଣ ମିଳେ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ଏଭଳି ଚିଠି ପରେ ଓଡ଼ିଶାରେ ଅମଲାତନ୍ତ୍ର ସରକାର ଚାଲିଥିବାର ଆରୋପକୁ ଏହା ଯେମିତି ଖାପ୍ ଖୁଆଇଛି। ଆଉ ବଡ଼ କଥା ହେଲା, ଅଫିସରରାଜ୍ ଲାଗି ନେତାଙ୍କୁ ନା ମିଳୁଛି ସମ୍ମାନ, ସହଯୋଗ ନା ମହତ୍ତ୍ୱ ବୋଲି କହିବାକୁ ପଛାଇନାହାନ୍ତିଖୋଦ୍ ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଆଉ କେନ୍ଦ୍ରର ଚିଠିକୁ ତାଳ ଦେଇ ସୌମ୍ୟଙ୍କ ସ୍ୱୀକାରୋକ୍ତି ଯେମିତି ବିରୋଧୀ ଦଳକୁ ସୁହାଇଛି। ଠିକ୍ ସେମିତି ଶାସକ ଦଳକୁ ଅକଳରେ ପକାଇଛି। ଅଫିସକୁ ଗଲେ ବସିବାକୁ ଅଫିସର ଚୌକି ଦେଉନାହାନ୍ତି। ମନ୍ତ୍ରୀ ତଳେ ଆଉ ସଚିବ ଉପରେ ବୋଲି ଦର୍ଶାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ବିଜେପି କହିଥିଲା ବେଳେ କଂଗ୍ରେସ କହିଛି, କେନ୍ଦ୍ର ସରକାର ଚିଠି ଲେଖି ଉଚିତ ପଦକ୍ଷେପ ନେଇଛନ୍ତି। ବୁକ୍ ସର୍କୁଲାରର ଖୁଲମଖୁଲା ଉଲ୍ଲଂଘନ ହେଉଛି। ଆଉ ବିଜେଡି କହିଛି, ରାଜ୍ୟରେ କଅଣ ଚାଲିଛି ଦେଖିବା ବଦଳରେ ଆଗ କେନ୍ଦ୍ରରେ କଅଣ ହେଉଛି, ତାକୁ ନେଇ ଅବଗତ ହେବାର ଆବଶ୍ୟକତା ଅଛି।

ନେତାଙ୍କୁ ମାନୁନାହାନ୍ତି ଅଫିସର। ଅନେକ ଘଟଣାର ନଜିର ରହିଛି। ଆଉ ଏତିକିବେଳେ କେନ୍ଦ୍ରର ତାଗିଦା ପରେ ଅଫିସରଙ୍କ ଆଚରଣରେ ପରିବର୍ତ୍ତନ ହେଉଛି କି ନା, ଦେଖିବାକୁ ରହିଲା।

ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button