ଓଡ଼ିଶା

ଚକଡା ଚିନ୍ତାରେ ଚାଷୀ

 ଦେବଗଡରୁ : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଶରଣଖୋଳ, ଜୁଆଳିଭଙ୍ଗା ସମେତ ଅନେକ ଗ୍ରାମରେ ଚାଷୀଙ୍କୁ ଦାଉ ସାଧିଲାଣି ଚକଡା ପୋକ l ହେକ୍ଟର ହେକ୍ଟର ଚାଷ ଜମିରେ ଅମଳକ୍ଷମ ଧାନ ଫସଲରେ ଚକଡା ପୋକ ପ୍ରାଦୁର୍ଭାବ ଯୋଗୁଁ ଦେବଗଡ଼ ଜିଲ୍ଲା ତିଲେଇବଣି ପଞ୍ଚାୟତ ଜୁଆଳିଭଙ୍ଗା ଚାଷୀ ପୁଣିଥରେ ମୁଣ୍ଡରେ ହାତଦେଇଛି l

ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା । କୃଷି ଉପରେ ୯୦ ପ୍ରତିଶତରୁ ଅଧିକ ନିର୍ଭର କରୁଥିବା ଅନୁନ୍ନତ ଦେବଗଡ଼ ଜିଲ୍ଲାରେ ଚଳିତ ବର୍ଷ କେତେବେଳେ ସ୍ୱଳ୍ପ ବୃଷ୍ଟି ତ କେତେବେଳେ ଅଦିନିଆ ବର୍ଷା କାରଣରୁ ଚାଷୀ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି । ଆଉ ଏତିକିବେଳେ ଏସବୁରୁ ଫସଲକୁ ବଞ୍ଚାଇ ନିଜ ଭବିଷ୍ୟତ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହାତୀ, ବାର୍ହା ଭଳି ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ମଧ୍ୟ ଚାଷୀଙ୍କ ନିଦ ହଜାଇ ଦେଉଛି । ଆଉ ସବୁ ପରେ ଦିନ ରାତି ଜଗି ଜଙ୍ଗଲୀ ପଶୁଙ୍କ ଠାରୁ ନିଜ ଫସଲ ସୁରକ୍ଷିତ କରିବା ବେଳେ ଏବେ ଦାଉ ସାଜୁଛନ୍ତି ଚକଡା ପୋକ। ତେବେ ଗତ କିଛିଦିନ ଧରି ତିଳେଇବଣି ବ୍ଲକର ବିଭିନ୍ନ ଅଞ୍ଚଳରେ ଚକଡା ପୋକ ଲାଗି ଚାଷୀଙ୍କ ଧାନ ଫସଲ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିବା ସହ ହତାଶ ହୋଇଛନ୍ତି l  ଅନ୍ୟପଟେ  ଶରଣଖୋଳ, ଜୁଆଳିଭଙ୍ଗା ଅଞ୍ଚଳର ପ୍ରାୟ ୫୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଚକଡା ଦାଉରୁ ଚାଷ ବଞ୍ଚାଇବାକୁ ଯାଇ କୀଟନାଶକ ପ୍ରୟୋଗ ହୋଇଥିଲା, କିନ୍ତୁ ଔଷଧ ପ୍ରୟୋଗ ପରେ ମଧ୍ୟ ଏହା ଚକଡାକୁ ଦମନ କରି ପାରିନାହିଁ l ଭେଜାଲ କୀଟନାଶକ ଯୋଗୁଁ ଏଭଳି ହେଉଥିବା ଚାଷୀ ଆଶଙ୍କା କରିଥିବା ବେଳେ ଧାନ ଫସଲରେ ଚକଡା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଯଥା ଶିଘ୍ର କ୍ଷତିପୂରଣ ଯୋଗାଇ ଦେବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଚାଷୀଙ୍କ କ୍ଷତିକୁ ବିରି ମୁଗ ଭଳି ଡାଲି ଜାତୀୟ ଚାଷ ରେ କୃଷି ବିଭାଗ ଭରଣା କରିବାକୁ ଉଦ୍ୟମ କରିବ ବୋଲି ବ୍ଲକ କୃଷି ଅଧିକାରୀ ପ୍ରକାଶ କରିଛନ୍ତି l

କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ଜଙ୍ଗଲୀ ପଶୁ। ଆଉ ଏସବୁରୁ ବର୍ତ୍ତିବା ପରେ ଚକଡା ଚିନ୍ତା । ତେବେ ଚାଷୀଙ୍କ କ୍ଷତି ହୋଇଥିବା ଚାଷର କ୍ଷତିପୂରଣ ସରକାର ଭରଣ କରିବେ ନା ଚାଷୀମାନେ ଫସଲ ନଷ୍ଟ କାରଣରୁ ଅନ୍ୟ କେଉଁ ପନ୍ଥା ଅବଲମ୍ବନ କରି ନିଜ ପରିବାର ବଞ୍ଚାଇବେ ଦେଖିବାକୁ ବାକି ରହିଲା।

ପ୍ରତାପ କିଶୋର ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button