Bhadrak

ଭିନ୍ନକ୍ଷମ ଘର ଖଣ୍ଡିଏ ନପାଇ ସପରିବାର ଅନଶନରେ ବସିଲେ

ଭଦ୍ରକ : ବାରମ୍ବାର ଅଭିଯୋଗ ଓ ଅନୁରୋଧ ସତ୍ୱେ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ କୋଟାରେ ଘର ଖଣ୍ଡିଏ ନମିଳିବାରୁ ବାଧ୍ୟହୋଇ ସେ ଶେଷରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଆମରଣ ଅନଶନରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗକାରୀ ଭଦ୍ରକ ବ୍ଲକ୍ ଅଧୀନସ୍ଥ ରାହାଞ୍ଜ ଗ୍ରାମନିବାସୀ ଲକ୍ଷ୍ମୀକାନ୍ତ ରାଉତ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେ ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ଗତ ୮-୯ ବର୍ଷ ପୂର୍ବେ ତାଙ୍କର ବାମ ହାତଟି ଦୁର୍ଘଟଣା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ୬୦ ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି । ଏହି ଅକ୍ଷମତା ଯୋଗୁଁ ସେ ତାଙ୍କ ପରିବାର ପ୍ରତିପୋଷଣ ସହ ଦୁଇପୁଅଙ୍କ ପାଠପଢା ଖର୍ଚ୍ଚ ବହନରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ତାଙ୍କ ଗ୍ରାମରେ ଥିବା ଘରଟି ଗତ ୨୦୧୬ ଅଗଷ୍ଟ ୩ ତାରିଖରେ ପୋଡିଯାଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସେ ଦୀର୍ଘଦିନ ହେବ ପଲିଥିନ ଟାଙ୍ଗି ଭଙ୍ଗାଘରକୁ ଆବଦ୍ଧ କରି ଶୀତ କାକର ଖରା ବର୍ଷାରେ ସ୍ତ୍ରୀ ଓ ଦୁଇପୁଅଙ୍କୁ ଧରି ବହୁକଷ୍ଟରେ କାଳାତିପାତ କରୁଛନ୍ତି । ଏଭଳି ଅବସ୍ଥାରେ ସେ ଘର ଖଣ୍ଡିଏ ପାଇଁ ଦୀର୍ଘଦିନ ହେବ ଏ ଅଫିସ୍ରୁ ସେ ଅଫିସ୍ ଦୌଡି ଦୌଡି ନୟାନ୍ତ ହୋଇଯାଇଥିଲେ ମଧ୍ୟ ତାଙ୍କ ଦୁଃଖ କେହି ବୁଝିଲେନାହିଁ । ଏ ସଂପର୍କରେ ସେ ରାହାଞ୍ଜ ପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯିବା ମଧ୍ୟରେ କୌଣସି ସୁଫଳ ନପାଇବାରୁ ବାଧ୍ୟହୋଇ ପୂର୍ବ ଘୋଷଣା ମତେ ନିଜର ପତ୍ନୀ ଓ ଦୁଇପୁଅଙ୍କୁ ଧରି ଆମରଣ ଅନଶନରେ ବିସିଥିଲେ । ଏ ସଂପର୍କରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button