କେବଳ ଭୁବନେଶ୍ୱର କାହିଁକି। ଲୋକଙ୍କ ସରକାର ଭାବେ ଲୋକଙ୍କ ପାଖକୁ ଯିବେ ସରକାର। ଲୋକେ କାହିଁକି ଅଯଥା ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଦୌଡ଼ିବେ। ସେଥିଲାଗି ସମ୍ୱଲୁପୁର ଯାଇଥିଲେ ମୁଖ୍ୟମନ୍ତ୍ରୀ। ସାଙ୍ଗରେ ବିଭିନ୍ନ ବିଭାଗର ୧୦ ମନ୍ତ୍ରୀ ଓ ୧୫ ଆଇଏଏସ ଅଫିସର। ସମ୍ୱଲପୁରରେ ଲୋକଙ୍କ ଦୁଃଖ ଶୁଣିଥିଲେ। ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଅନୁରୂପ ଅଭିଯୋଗ ପ୍ରକୋଷ୍ଠ ବସିବ। ଅଧିକାରୀମାନେ ନିଜ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗରିବ ଓ ଅସହାୟଙ୍କ ଦୁଃଖ ପ୍ରତି କେହି ଯେମିତି ଉଦାସୀନ ରହିବେନି , ସେ ନେଇ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ୱଲପୁର ମହାନଗର ନିଗମ ଅଫିସରେ ବସିଥିଲା ମୁୃଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ସକାଳ ୮ଟାରୁ ଲୋକାରଣ୍ୟ ହୋଇଉଠିଥିଲା ପରିସର। ଅଭିଯୋଗ ଶୁଣାଣୀର ଦଶମ ପାଳି ଥିଲା ପୁରା ନିଆରା। କାରଣ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଲୋକେ ଯାଉଥିଲେ। କିନ୍ତୁ ପ୍ରଥମ ଥର ସରକାର ଆସିଥିଲେ ଅଭିଯୋଗ ଶୁଣିବାକୁ। ଏହି ପାଳିରେ ହଜାରେ ଜଣ ଅନଲାଇନ ଜରିଆରେ ପଞ୍ଜୀକୃତ ଓ ଅଫଲାଇନରେ ପ୍ରାୟ ୪ଶହ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା। ସିଙ୍ଗିଲ ଓ୍ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ୧୯ଲକ୍ଷ୫୦ହଜାର ଟଙ୍କାର ଚିକିତ୍ସା ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଦିଆଯାଇଛି। ଅନ୍ୟ ଅଭିଯୋଗଗୁଡ଼ିକର ଆବଶ୍ୟକସ୍ଥଳେ ଫୋନ୍ ଜରିଆରେ ତ୍ୱରିତ ସମାଧାନ ଲାଗି ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଅଭିଯୋଗପ୍ରକୋଷ୍ଠରୁ ଫେରୁଥିବା ପ୍ରତିଟି ଅଭିଯୋଗକାରୀଙ୍କ ମୁହଁରେ ଭରସା ଓ ଆତ୍ମସନ୍ତୋଷର ଝଲକ ବାରି ହୋଇପଡ଼ୁଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now