Latest Newsଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତିଶିକ୍ଷା/ଗବେଷଣା

ରାଜ୍ୟ ବାୟୋଟେକ୍‌ନୋଲୋଜି ନୀତି ନେଇ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର : ବିଜ୍ଞାନ ଓ ବୈଷୟିକ ବିଭାଗ ଆନୁକୂଲ୍ୟରେ ରାଜ୍ୟର ନୂତନ ବାୟୋଟେକ୍‌ନୋଲୋଜି ନୀତି ନେଇ ଏକ ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଭିନ୍ନ ଶିକ୍ଷଣ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଓ ସରକାରଙ୍କ ତରଫରୁ ୫୦ରୁ ଅଧିକ ପ୍ରତିନିଧି ଯୋଗଦେଇ ସେମାନଙ୍କର ମୂଲ୍ୟବାନ ମତାମତ ରଖିଥିଲେ ।

ଭିତିଭୂମିର ଉନ୍ନତି, ଗବେଷଣା ତଥା ବିକାଶକୁ ଆଧାର କରି ରାଜ୍ୟରେ ବାୟୋଟେକ୍‌ନୋଲୋଜି ପରିମଣ୍ଡଳକୁ ସୁଦୃଢ଼ କରିବା ଉପରେ ସମସ୍ତ ଅଂଶୀଦାର ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ଶିଳ୍ପ ନୀତି-୨୦୨୨ରେ ଓଡ଼ିଶା ସରକାର ବାୟୋଟେକ୍‌ନୋଲୋଜିକୁ ଏକ ପ୍ରମୁଖ କ୍ଷେତ୍ର ଭାବେ ଚିହ୍ନିତ କରିଥିବାବେଳେ ସମସ୍ତ ଯୋଗ୍ୟ ବାୟୋଟେକ୍‌ନୋଲୋଜି ଉଦ୍ୟୋଗୀଙ୍କୁ ପର୍ଯ୍ୟାପ୍ତ ସରକାରୀ ସମର୍ଥନ ଓ ସହାୟତା ଦେବାକୁ ଅଂଶୀଦାରମାନେ ମତବ୍ୟକ୍ତ କରିଥିଲେ ।ଏହା ବ୍ୟତୀତ ରାଜ୍ୟରେ ନିବେଶ ବୃଦ୍ଧି ନିମନ୍ତେ ଶିଳ୍ପ ବିଶେଷଜ୍ଞମାନେ ସାମୁଦ୍ରିକ ବାୟୋଟେକ୍‌ନୋଲୋଜି, ବାୟୋମେଡିକାଲ ଇଂଜିନିୟରିଂ, ଡାଇଗ୍ନୋଷ୍ଟିକ୍‌, ଜୈବ-ଖଣିଜ ପ୍ରକ୍ରିୟାକରଣ, ଜୈବବିବିଧତା ପରି ପ୍ରମୁଖ ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବାକୁ ଉଲ୍ଲେଖ କରିଥିଲେ ।

ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ଓ ଭାରତ ସରକାରଙ୍କ ପ୍ରତିନିଧିମାନେ ଯଥାର୍ଥ ସେବା ପ୍ରଦାନ ଓ ପ୍ରଶାନସିକ ସୁବିଧା ନିମନ୍ତେ ସୁଦୃଢ଼ କାର୍ଯ୍ୟାନ୍ୱୟନ ଢାଂଚା, ସାଂଗଠନିକ ବ୍ୟବସ୍ଥା, ତଦାରଖ ଓ ମୂଲ୍ୟାୟନ ବ୍ୟବସ୍ଥା, ଡିଜିଟାଲ୍ ପ୍ଲାଟଫର୍ମ, ତଥ୍ୟ ସଂଗ୍ରହଣ ଓ ଆନ୍ତଃସଂଯୁକ୍ତ ବ୍ୟବସ୍ଥାଗୁଡ଼ିକ ଉପରେ ମତ ଦେଇଥିଲେ ।

ବିଜ୍ଞାନ ଓ କାରଗରୀ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା ପ୍ରତିନିଧି ତଥା ଅଂଶୀଦାରମାନଙ୍କ ସହିତ ମତବିନିମୟ ସମୟରେ ବାୟୋଟେକ୍‌ନୋଲୋଜି ନୀତିରେ ବାୟୋ-ସାମୁଦ୍ରିକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ଓ ସେ ଦିଗରେ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ସହିତ ସଂପର୍କ ରଖିବା ଉପରେ ପରାମର୍ଶ ଦେଇଥିଲେ । ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କର ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀବୃନ୍ଦ କର୍ମଶାଳାରେ ଉପସ୍ଥିତ ଥିଲେ । ଆସନ୍ତା ଦୁଇ ମାସ ମଧ୍ୟରେ ବାୟୋଟେକ୍‌ନୋଲୋଜି ନୀତି ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହେବ ବୋଲି ଆଶା କରାଯାଇଛି ।

Leave a Reply

Your email address will not be published.

Back to top button