ପରିବା ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ ଓ ରାସ୍ତା ରୋକୋ

Spread the love

ଭୁବନେଶ୍ୱର : ପନିପରିବା ଦରରେ ନିଆଁ ଲାଗିଛି । ଟମାଟୋ କିଲୋ ୧୨୦, ବିନ୍ସ ୨୦୦ ପାର, ଅଦା ୩୦୦ ଉପରେ । ପୋଟଳ, କଲରା, ବାଇଗଣ କୌଣସି ପରିବାରେ ହାତ ମାରି ହେଉନି । ୫୦୦ ଟଙ୍କାରେ ବି ବ୍ୟାଗ ପୂରୁନି । ଡାଲି କିଲୋ ବି ୧୬୦ । ଖାଉଟି ହନ୍ତସନ୍ତ । ସରକାର ନିଦାବିଷ୍ଣୁ ସାଜିଛନ୍ତି ।

ଏହି ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ବିକ୍ଷୋଭ ଏବଂ ରାସ୍ତାରୋକୋ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଭୟ ସଙ୍ଗଠନର ଶତାଧିକ କର୍ମୀ ବ୍ୟାନର ଓ ପ୍ଲାକାର୍ଡମାନ ହାତରେ ଧରି ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ବିକ୍ଷୋଭକାରୀମାନଙ୍କୁ ସିପିଆଇର ଜୋନ ସମ୍ପାଦକ ତଥା ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନା ଉଦ୍ବୋଧନ ଦେଇ କହିଲେ- ୨୦୦୦ ମସିହାରେ ବିଜୁ ଜନତା ଦଳ ତା’ର ନିର୍ବାଚନ ଇସ୍ତାହାରରେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା କଥା କହିଥିଲା ୨୩ ବର୍ଷ ଭିତରେ ତାହା ହୋଇଥିଲେ ଅମଳ ସମୟରେ ଚାଷୀ ଟମାଟୋ ବିକି ନ ପାରି ରାସ୍ତାରେ ଫିଙ୍ଗନ୍ତା ନାହିଁ । କୋବି କିଆରିରେ ଟ୍ରାକ୍ଟର ମଡ଼ାନ୍ତା ନାହିଁ କି ଆଜି ପରିବା ଦରରେ ନିଆଁ ଲାଗି ନ ଥାନ୍ତା । ଏଣୁ ଏଥିପାଇଁ ସରକାର ଦାୟୀ । ବିକ୍ଷୋଭ ପରେ ରାଜମହଲ ଛକଠାରେ ରାସ୍ତାରୋକୋ କରାଯିବାରୁ ଯାନବାହନ ଚଳାଚଳ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ବିକେଏମ୍ୟୁ ରାଜ୍ୟ ସହସମ୍ପାଦକ ଶଙ୍କର ବାରିକ, ଭୁବନେଶ୍ୱର ସିପିଆଇ ସହସମ୍ପାଦକ କୈଳାସ ପୁହାଣ, ଆଦିବାସୀ ନେତା ଡାକ ହେମ୍ବ୍ରମ୍, ଶରତ ସ୍ୱାଇଁ, ଛେତମ୍ବର ଭୋଇ, ପଞ୍ଚାନନ ସାହୁ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *