ଓଡ଼ିଶା

ବିଶ୍ବ ନାଟ୍ୟ ଦିବସ ପାଳିତ

ବରଗଡ: ବରଗଡ ସୌଖିନ ରଙ୍ଗମଞ୍ଚ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ । ନାଟକ ହେଉଛି ସମାଜର ଦର୍ପଣ । ସମାଜ ଯେତେବେଳେ ଅଧପତନ ଆଡ଼କୁ ଗତିକରେ ନାଟକ ହିଁ ସମାଜକୁ ସଠିକ୍ ବାଟକୁ ଆଣିଥାଏ । ଏପରି ଏକ ବାର୍ତ୍ତା ନେଇ ବରଗଡ ସୌଖିନ ରଙ୍ଗମଞ୍ଚ ପକ୍ଷରୁ ପାଳିତ ହୋଇଛି ବିଶ୍ୱ ନାଟ୍ୟ ଦିବସ । ଏହି ଅବସରରେ ଦୁଇଟି ସମ୍ବଲପୁରୀ ନାଟକ ଦେଖ ଭାଇ ଦେଖ ଓ ଗୁଟେ ରାତିର କଥା ପ୍ରଦର୍ଶିତ ହୋଇଥିଲା । ଯାହା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ଦର୍ଶକଙ୍କୁ ।

ସମାଜକୁ ସଚେତନତା କରିବାର ଉତ୍କୃଷ୍ଟ ମାଧ୍ୟମ ହେଉଛି ନାଟକ, ଯାହା ଆଦିମ କାଳରୁ ଆଜି ପର୍ଯ୍ୟନ୍ତ ରହି ଆସିଛି । ତେବେ ୧୯୬୧ ମସିହାରେ ଏହାକୁ ଅଧିକ ପ୍ରସାରିତ ଏବଂ ଏଥିରେ ଅଭିନୟ କରୁଥିବା କଳାକାରଙ୍କୁ ଉତ୍ସାହିତ କରିବା ପାଇ ମାର୍ଚ୍ଚ ୨୭ ତାରିଖକୁ ବିଶ୍ଵ ନାଟକ ଦିବସ ଭାବେ ପାଳନ କରାଯାଉଛି ।  “ନାଟକ ଏବଂ ଶାନ୍ତି ପାଇଁ ସଂସ୍କୃତି” ଏପରି ଏକ ବିଷୟବସ୍ତୁକୁ ନେଇ ବରଗଡ ସୌଖିନ ରଙ୍ଗମଞ୍ଚ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବରଗଡ ସୌଖିନ ରଙ୍ଗମଞ୍ଚ ପକ୍ଷରୁ  ନାଟକ ଦେଖ ଭାଇ ଦେଖ ପ୍ରଦର୍ଶିତ ହୋଇଥିଲା। ଏଥିରେ ଜଣେ ମଧ୍ୟବିତ୍ତ ପରିବାର କିପରି ସମାଜରୁ କଳୁଷିତ ହେଉଛି ଏବଂ ସଂଘର୍ଷ କରୁଛି ତାହାକୁ ନାଟକ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା । ସେହିପରି ସମର୍ପଣ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ନାଟକ ଗୋଟିଏ ରାତିର କଥା ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଦେଖାଯାଉଥିବା ମନୋମାଲିନ୍ୟ, ପ୍ରେମ, ବିରହ ବେଦନା ଓ ପରିଶେଷରେ ନିଜର ଭୁଲ ଜାଣି ତାଙ୍କର ପୁନହ ମିଳନ ନାଟକ ମାଧ୍ୟମରେ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।

ଏହି ବିଶ୍ଵ ନାଟ୍ୟ ଦିବସରେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସାଧୁ ନେପାକ ଏବଂ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବହୁ ନାଟ୍ୟ ପ୍ରେମୀ ଦର୍ଶକ ଓ କଳାକାର ଏଥିରେ ସାମିଲ ହୋଇଥିଲେ । ସମାଜକୁ ସୁଦୃଢ କରିବା ପାଇଁ ନାଟକ ବରିଷ୍ଠ ଭୂମିକା ଗ୍ରହଣ କରିଥିବା ଏବଂ ପ୍ରତ୍ୟେକ ମଣିଷ ନିଜର ଚରିତ୍ରକୁ ନାଟକରେ ଦେଖି ସୁଧାର ଆଣିପାରିବେ ବୋଲି ଅତିଥି କହିଥିଲେ ।

ଧୀରେ ଧୀରେ ମଞ୍ଚ ନାଟକ ଅଧପତନ ଆଡ଼କୁ ଗତି କରୁଥିବା ବେଳେ ଏହାକୁ ବଞ୍ଚାଇ ରଖିଥିବା କଳାକାରଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଜରୁରୀ ହୋଇ ପଡ଼ିଛି ।

ଧ୍ରୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button