ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି

Spread the love

ସାଲେପୁର : କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକର ପଞ୍ଚାୟତମାନଙ୍କରେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଶାସନ ତରଫରୁ ବଣ୍ଟନ କରାଯାଇଛି । ଏଥିରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ହେଉଛି । କିଛି ପ୍ରକୃତ ହିତାଧିକାର ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇଥିଲା ବେଳେ କିଛି ବ୍ୟକ୍ତି ରାଜନୈତିକ ବ୍ୟକ୍ତି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ କରି ଆବାସ ଯୋଜନା ହାତେଇଥିବା ଅଭିଯୋଗ ହେଉଛି । ଏପରିକି ଦୁଇ ବଖରା ପକ୍କାଘର ଥିବା ବ୍ୟକ୍ତି ଚାଳ ଘର ଦେଖାଇ ଅନ୍ୟ ଏକ ଆଇ.ଡି. କରି ଆବାସ ଯୋଜନା ହାତେଇ ନେଇଛନ୍ତି । ଯାହାଦ୍ଵାରା ପଞ୍ଚାୟତ ସ୍ତରୀୟ କୁଜି ନେତାଙ୍କ ଆକ୍ରୋଶର ଶିକାର ହୋଇ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ନପାଇ ଭଙ୍ଗା କୁଡିଆରେ କାଳାତିପାତ କରୁଛନ୍ତି ।

ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମର ଜଣେ ଯୋଗାଣ ବିଭାଗ ରିଟେଲର ଓ ଅନ୍ୟ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ହାତେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କର କୋଠାଘର ଥିଲା ବେଳେ ତାଙ୍କର ୫ ଏକରରୁ ଅଧିକ ଚାଷ ଜମି ଥିବା ଅଭିଯୋଗ ହୋଇଛି । ଏପରିକି କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ଗ୍ରାମର ନାମ ପରିବର୍ତ୍ତନ ଓ ଭଡାଘରେ ରହୁଥିବା ଦର୍ଶାଇ ଆବାସ ଯୋଜନା ହାତେଇଥିବା ଅଭିଯୋଗ ହୋଇଛି । ଏପରିକି ପ୍ରଶାସନ ତରଫରୁ ସଂପୃକ୍ତ ବ୍ୟକ୍ତିଙ୍କ ଜମାଖାତାକୁ ୪୦ ହଜାର ଟଙ୍କା ପ୍ରଥମ କିସ୍ତିର ଅର୍ଥ ଯାଇଥିବା ଜଣାଯାଇଛି । ଏ ସମ୍ପର୍କରେ ଜିଗ୍ନିପୁର ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟ ମଳୟ କୁମାର ଘଡାଇ ୫-ଟି ସଚିବ, ପଞ୍ଚାୟତରାଜ ମନ୍ତ୍ରୀ ଓ ନିଶ୍ଚିନ୍ତକୋଇଲି ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି । ସେହିପରି ବଡକ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମରେ ଜନୈକ ବ୍ୟକ୍ତି ଦୁଇ ବଖରା ପକ୍କାଘର ଥିବା ବେଳେ ଏକ ବଖରା ଆଜବେଷ୍ଟସ ଘର ଅଛି । ସେ ପୁରୁଣା ଚାଳ ଘରକୁ ଦର୍ଶାଇ ଆବାସ ଯୋଜନା ହାତେଇଛନ୍ତି । ତାଙ୍କର ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଅର୍ଥ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ଜାଣିବାକୁ ମିଳିଛି । ସେ ଉକ୍ତ ଅର୍ଥରେ କେଉଁଠାରେ ଘର କରିବେ ସାଧାରଣରେ ପ୍ରଶ୍ନ ଉଠିଛି । ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କର ଦୁଇ ବଖରା କୋଠାଘର ଥିଲେ ମଧ୍ୟ ବାପା ଭାଇଙ୍କଠାରୁ ଭିନ୍ନେ ଦର୍ଶାଇ ଚାଳଘର ଦେଖାଇ ଆବାସ ଯୋଜନା ହାତେଇଥିବା ଅଭିଯୋଗ ହେଉଛି । କିନ୍ତୁ ବଡକ୍ଷୀର ପଞ୍ଚାୟତ ବଡକ୍ଷୀର ଗ୍ରାମର ଯୋଗ୍ୟବ୍ୟକ୍ତି ଅଜୟ ରାଉଳ ଏବଂ କର୍ଣ୍ଣାଟ ପାତ୍ର ଆବାସ ଯୋଜନା ପାଇବାକୁ ଯୋଗ୍ୟ ଥିଲେ ମଧ୍ୟ ସେ ଏଥିରୁ ବଞ୍ଚିତ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।

ଏ ବିଷୟରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ସହ ଯୋଗାଯୋଗ କରିବାରୁ ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *