ଓଡ଼ିଶା

ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ ରହିଛି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟନୁସାରେ ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ । ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦୈନିକ ଖବରକାଗଜରେ ପ୍ରକାଶିତ “ଓଡ଼ିଶା ମୁଣ୍ଡରେ ଅପପୁଷ୍ଟିର କଳଙ୍କ” ଆଲେଖ୍ୟ ଆଧାରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଅପପୁଷ୍ଟି, ଶିଶୁମୃତ୍ୟୁ ହାର, ମହିଳା ମାନଙ୍କ ରକ୍ତହୀନତା ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ । ବୟସ ଓ ଉଚ୍ଚତା ଅନୁସାରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ହେଉନାହିଁ । ଜନଜାତି ପିଲା ଓ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ଏହା କେବଳ ବିରୋଧୀ ଦଳର ଅଭିଯୋଗ ନୁହେଁ ବରଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସର୍ଭେର ରିପୋର୍ଟ କହୁଛି ।

ଆଜି ଜନ୍ମ ନେଉଥିବା ଶିଶୁଙ୍କୁ ନେଇ ଦେଶ ଅମୃତ ମହୋତ୍ସବ ପାଳନ କରିବ । ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଅର୍ଥାତ୍ ଆଜିର ୧୦ ବର୍ଷର ପିଲା ସେ ସମୟରେ ୨୩ ବର୍ଷର ଯୁବକ ହେବ । ସେହି ପିଲାର ଦୃଢ ଇଚ୍ଛାଶକ୍ତି ବଳରେ ଓଡ଼ିଶା ପରିବର୍ତ୍ତନର ବଡ଼ ଭରସା ହେବ । ମାତ୍ର ବର୍ତ୍ତମାନରୁ ସେମାନଙ୍କର ସ୍ୱାସ୍ଥ୍ୟ ଓ ଶରୀରର ଯତ୍ନନେବାକୁ ହେବ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘ ବର୍ଷ ଧରି ଅନୁରୋଧ କରାଯିବା ପରେ ମଧ୍ୟ ସେ ଏ ଦିଗ ପ୍ରତି ଧ୍ୟାନ ନ ଦେବା ଦୁଃଖର ବିଷୟ । ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ ରହିଛି । ମୋତେ କାଉଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋତ ଯେତେ ଗାଳିମନ୍ଦ କଲେ ଚଳିବ କିନ୍ତୁ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନ ଦିଆଯାଉ । ଗଭର୍ଣ୍ଣାନ୍ସ ଅଭାବକୁ ସେ ପୂରଣ କରନ୍ତୁ ।

ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିବ ନାହିଁ । ଏଠି ଫାଳେ ଇଞ୍ଜିନ ଅଛି । ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ତାହା ମହାପ୍ରଭୁ ନିଷ୍ପତି ନେବେ । ହରିୟାଣାରେ ଡବଲ ଇଞ୍ଜିନ ସରକାର ପରେ ସେଠାରେ ବାଳିକାଙ୍କ ଜନ୍ମ ସଂଖ୍ୟା ବୃଦ୍ଧି ପାଇଛି । ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ମୂଳ ପ୍ରସଙ୍ଗ ଏବଂ ତଥ୍ୟ ଆଧାରରେ ଏହାର ବିତର୍କ ହେବା ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published.

Back to top button