ନୀତି ଓ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ- ବିଜେଡିରେ କମ୍ପନ

ବିଜେଡିରେ ଯାହା ଚାଲିଛି ଠିକ୍ ଚାଲିନି। ଯେଉଁ ନିଷ୍ପତ୍ତି ନିଆଯାଉଛି, ତାହା ଦଳକୁ କ୍ଷତି ପହଞ୍ଚାଉଛି। ଏଭଳି କହି ଦଳର ନୀତି, ନିଷ୍ପତ୍ତି ଓ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ୍ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ। ଯେଉଁମାନେ ଦଳର ପରିଚାଳନାକୁ ନେଇ ଖୁଲମଖୁଲା ଅସନ୍ତୋଷ ଜାହିର କରି ଦଳବିରୋଧୀର ଆଖ୍ୟା ପାଇଲେଣି। ସେମାନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶୀଷ। ପ୍ରଫୁଲ୍ଲ ମଲ୍ଲିକ, ଶ୍ରୀମୟୀ ମିଶ୍ର ହୁଅନ୍ତୁ ଅବା ଏନ.ଭାସ୍କର ରାଓ। ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ସସପେଣ୍ଡ କରିବା ଠିକ୍ ହେଲାନି। ଶ୍ରୀମୟୀଙ୍କୁ ଟିକଟ ଦେବା ନାଁରେ ନିର୍ଯାତନା ଦେଲେ। ଟିକଟ ଦେବାକୁ କହି ପ୍ରତାରଣା କରାଗଲା। ସାଂସଦ ପ୍ରାର୍ଥୀ କହି ଏରିଆରେ ବୁଲାଇଲେ। କିନ୍ତୁ ପରେ ପ୍ରାର୍ଥୀ ପରିବର୍ତ୍ତନ କରିଦେଲେ। ଶ୍ରୀମୟୀ ଯାହା ସବୁ କହିଛନ୍ତି ସତ। ଏନ.ଭାସ୍କର ରାଓଙ୍କ ଭଳି ବରିଷ୍ଠ ନେତାଙ୍କୁ ଅଣଦେଖା କରାଗଲା। ସେଥିଲାଗି ସେ ବାଧ୍ୟ ହୋଇ ଦଳ ଛାଡ଼ିଲେ ବୋଲି କହିଛନ୍ତି ଦେବାଶୀଷ। ସେପଟେ ଦଳ କହିଛି, ଯିଏ ବିଶୃଙ୍ଖଳିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ବାରମ୍ୱାର ଦେବାଶୀଷଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ। ଦଳ ସୁପ୍ରିମୋ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଉଛନ୍ତି। ଦଳ ବିରୁଦ୍ଧରେ ଏଭଳି ବୟାନବାଜି ଉଚିତ ନୁହେଁ। ଶୃଙ୍ଖଳା କମିଟି ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବ। ୨୪ ବିପର୍ଯ୍ୟୟ ପରେ ଦଳ ଯେଭଳି ଢଙ୍ଗରେ ଚାଲିବା କଥା, ସେ ନେଇ ଚାଲୁନି କହି କଟାକ୍ଷ କରିଥିଲେ ପ୍ରଫୁଲ୍ଲ। ଦଳ ଠିକରେ ନଚାଲିଲେ ଇସ୍ତଫା ଦେବି ବୋଲି କହିବା ପର ଦିନ ଦଳ ତାଙ୍କୁ ସସପେଣ୍ଡ କରିଥିଲା। ରାୟଗଡ଼ାର ଦୁଇ ହେଭିଓ୍ୱେଟ ଏନ.ଭାସ୍କର ରାଓ ଓ ଲାଲବିହାରୀ ହିମିରିକା ବି ଦଳୀୟ ନିଷ୍ପତ୍ତିକୁ ପ୍ରତିବାଦ କରି ନିଜ ବାଟ କାଟିଦେଲେ। ବିଜୁ ସ୍ୱାଭିମାନ ମଞ୍ଚ ଗଢ଼ି ସଂଘର୍ଷ ଲାଗି ଅଣ୍ଟା ଭିଡ଼ିଛନ୍ତି। ଆଉ ଶ୍ରୀମୟୀ ମିଶ୍ର କେବେ ଧୃତରାଷ୍ଟ୍ର ତ କେବେ ଭଣ୍ଡ ସନ୍ୟାସୀ ଉପାଖ୍ୟାନ ଦେଇ ସୋସିଆଲ ମିଡିଆରେ ଯେଉଁ ତୀର୍ଯ୍ୟକ ତୀର ମାରୁଛନ୍ତି। ତାକୁ ନେଇ ଦଳ ତାଙ୍କୁ ବି ଚେତାଇଦେଲାଣି। ଚୁପ୍ ରୁହ ନଚେତ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ ବୋଲି ଶ୍ରୀମୟୀଙ୍କୁ ଇଙ୍ଗିତ ଦେଇସାରିଲାଣି ବିଜେଡି। ତେବେ ଏମିତି କେତେଜଣଙ୍କ ମୁହଁରେ ବାଡ଼ ଦେବ ବିଜେଡି। ଶୃଙ୍ଖଳା ଓ ଅନୁଶାସନ ଏକଦା ଦଳର ମାପକାଠି ଥିଲା ବେଳେ ଆଜି ଯେମିତି ବାଡ଼ ଭୁଷୁଡ଼ିବା ଭଳି ଅବସ୍ଥା ହୋଇଗଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *