ରାଜ୍ୟରେ ଖରିଫ ଧାନ ବିକ୍ରୟ ପାଇଁ ଖୋଲିଛି ମଣ୍ଡି। କିନ୍ତୁ ଏଯାଏଁ ସମସ୍ତ ସ୍ଥାନରେ ମଣ୍ଡି ଖୋଲିନଥିବାରୁ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି। ଖୋଦ ଯୋଗାଣ ମନ୍ତ୍ରୀ ମଧ୍ୟ ଏହା ସ୍ୱୀକାର କରିଲେଣି ଯେ, ସବୁ ମଣ୍ଡି ଖୋଲିନି। ତା ସାଙ୍ଗକୁ କଟନୀ ଛଟନୀର ମଧ୍ୟ ଆସୁଛି ଅଭିଯୋଗ। ଏହା ହେଉଛି ବାଙ୍କୀ ହରିରାଜପୁର ସେବା ସମବାୟ ସମିତି। ଏଠି ଧାନମଣ୍ଡି ଉଦଘାଟନ ଦିନରୁ ଦେଖିବାକୁ ମିଳିଛି ଚାଷୀ ଅସନ୍ତୋଷ। ମିଲର ଓ ସେବା ସମିତି ସମ୍ପାଦକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ମାନେ ଶୋଷଣ ହେଉଥିବା ଅଭିଯୋଗ କରିଛନ୍ତି। ମିଲର ମାନେ ଧାନ କୁଇଣ୍ଟାଲ ପିଛା ଚାଷୀଙ୍କ ଠାରୁ ୬ କିଲୋ ରୁ ୮ କିଲୋ ଧାନ କାଟୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସେବା ସମିତି ହରିରାଜପୁରର ସମ୍ପାଦକ କହିଛନ୍ତି କଟନୀ ଛଟନୀ ର ଅଭିଯୋଗ ଆସିନି। ସେହିପରି ଘୋଳପୁର ସେବା ସମବାୟ ସମିତି ର ନିଜସ୍ୱ ଜାଗା ନ ଥିବା ଯୋଗୁ ରାସ୍ତା ଉପରେ ଚାଲିଛି ଧାନମଣ୍ଡି। ଯେଉଁଥିପାଇଁ ନାହିଁ ନ ଥିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଚାଷୀ। ଯେଉଁ ଗୋଦାମଗୃହ ରହିଛି ତାହା ମଧ୍ୟ ଭାଙ୍ଗିରୁଜି ପାଣି ଗଳୁଛି। କୁସୁପଙ୍ଗି ସେବା ସମବାୟ ର ସେହି ସମାନ ସ୍ଥିତି। ଏଠି ଖୋଲା ଆକାଶ ତଳେ ଚାଲିଛି ଧାନ ମଣ୍ଡି। ଅନ୍ୟପଟେ ଅଫିସ କାର୍ଯ୍ୟାଳୟଟି ଏକ ପୁରୁଣା ଆଜବେଷ୍ଟ ର ଗୃହ ମଧ୍ୟରେ ଚାଲି ଆସୁଛି। ଶିମିଳିପୁର ସେବା ସମବାୟ ସମିତିର ମଧ୍ୟ ଗୋଦାମଗୃହ ନାହିଁ।
ଅପରପକ୍ଷରେ ଧାନ ସଂଗ୍ରହ ରେ ବିଳମ୍ୱ ନେଇ ଶେରପୁର ଛକ ନିକଟରେ ଭଦ୍ରକ ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେଚାଷୀ। ଟୋକନ୍ ପାଇଥିଲେ ମଧ୍ୟ ଏ ଯାଏଁ ସରକାରୀ ମଣ୍ଡି ଖୋଲି ନ ଥିବା ଅଭିଯୋଗ କରିଛନ୍ତି । ବାଧ୍ୟ ହୋଇ ଦଲାଲ ଙ୍କ ହାତରେ ଶାଗ ମାଛ ଦରରେ ବିକ୍ରୀ କରୁଥିବା ଚାଷୀ କହିଛନ୍ତି। ଭଦ୍ରକ ଜିଲ୍ଲାରେ ଚଳିତ ମାସ ୫ ତାରିଖ ରୁ ଯୋଗାଣ ବିଭାଗ ପକ୍ଷରୁ ଧାନ ମଣ୍ଡି ର ଶୁଭାରମ୍ଭ କରାଯାଇଥିଲେ ମଧ୍ୟ ଏ ଯାଏଁ ସମସ୍ତ ମଣ୍ଡି ଖୋଲି ନ ଥିବା ଯୋଗୁଁ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରୀ କରି ନ ପାରି, ଅଭାବୀ ବିକ୍ରି ର ସମ୍ବୁଖିନ ହୋଇଛି।
ସେହିପରି ବାସୁଦେବପୁର ବ୍ଲକ ଏଡ ତାଳ ସମବାୟ ସମିତି ସମ୍ମୁଖରେ ଧାନର କଟନୀ ଛଟନୀ କୁ ବିରୋଧ କରି ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣ ଧାରଣା ଦିଆଯାଇଛି। ଶତାଧିକ ଚାଷୀ ଏହି ଧାରଣା ରେ ସାମିଲ ହୋଇଛନ୍ତି। ଯେ ପର୍ଯ୍ୟନ୍ତ ସମାଧାନ ନହୋଇଛି ଗଣ ଧାରଣରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ। ଗୋଟିଏ ପଟେ ମଣ୍ଡି ଖୋଲିବାରେ ବିଳମ୍ୱ ସାଙ୍ଗକୁ ଧାନମଣ୍ଡିରେ କଟନୀ ଛଟନୀ ଅଭିଯୋଗ। ଅନ୍ୟପଟେ ଭିତିଭୂମି ଅଭାବ ଯୋଗୁ ଖୋଲା ଆକାଶ ତଳେ ଚାଲିଛି ଧାନମଣ୍ଡି। ଚାଷୀଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ସରକାର କି ଠୋସ ପଦକ୍ଷେପ ନେଉଛନ୍ତି ଏବେ ଦେଖିବାକୁ ବାକି ରହିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now