ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ 

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଅନ୍ୟତମ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟୁଥିବା ଅମ୍ୱାପାଲି ତଥା ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ। ଆସନ୍ତା ଜାନୁଆରୀ ୩ରୁ ଧନୁଯାତ୍ରା ଆରମ୍ଭ ହେବାକୁ ଥିବବେଳେ ଗୋପପୁର ଯାତ୍ରା କମିଟି ଦ୍ୱାରା ବୁଧବାର ଦିନ ସ୍ଥାନୀୟ ବୃନ୍ଦାବନ ପଡ଼ିଆଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ସହ କୃଷ୍ଣ, ବଳରାମ ଓ ରାଧା ଭୁମିକାରେ ଅଭିନୟ କରୁଥିବା କଳାକାରଙ୍କୁ ବରଣ କରାଯାଇଥିଲା। ପରେ ମନ୍ଦିରରୁ ଘଣ୍ଟବାଦ୍ୟ, ସଂକୀର୍ତ୍ତନର ତାଳେ ତାଳେ ଏକ ଭବ୍ୟ ଶୋଭାଯାତ୍ରା ଗାଁ ପରିକ୍ରମା କରି ଜୀରା ନଦୀ ତୁଠ ବୃନ୍ଦାବନ ପଡ଼ିଆରେ ପହଁଚିଥିଲା। ସେଠାରେ ନନ୍ଦରାଜଙ୍କ କୂଳପୁରୋହିତଙ୍କ ଦ୍ୱାରା ରୀତିନୀତିରେ ପୂଜା କରାଯାଇ କମିଟି ସଭାପତି ଉପ-ଜିଳ୍ଳାପାଳ ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ହାତରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଶୁଭସ୍ତମ୍ଭ ପରଠାରୁ ଆମ୍ବାପାଲି ଗାଁ ସଂପୂର୍ଣ୍ଣ  ଭାବେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଛନ୍ତି। ଏବେ ସଭିଁଏ ସେହି ଦ୍ଵାପର ଯୁଗର ଗୋପପୁର କୁ ଫେରିଯାଇ ୧୧ଦିନର ଏହି ମହାନାଟକର ଜଣେ ଜଣେ କଳାକାର ପାଳଟିଥାନ୍ତି । ଶୁଭସ୍ତମ୍ଭ ପରଠାରୁ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଗୋପପୁର ରେ ଆମିଷ ବାରଣ କରାଯାଇଥାଏ ।  ଏବଂ ଯାତ୍ରା କେମିତି ଆକର୍ଷଣୀୟ ହୋଇପାରିବ ସେନେଇ ସମସ୍ତେ ମନୋନିବେଶ କରି ପ୍ରସ୍ତୁତିରେ ଲାଗିପଡ଼ିଥନ୍ତି । ଚଳିତ ବର୍ଷ ନୂତନ କଳାକାର ଭାବେ କୃଷ୍ଣ ଭୁମିକାରେ ସ୍ବପ୍ନିଳ ମହାପାତ୍ର, ବଳରାମ ଭୁମିକାରେ ଦିବ୍ୟାଂଶୁ ବିର୍ତିଆ ଓ ରାଧା ଭୁମିକାରେ ସାଇନା ପ୍ରଧାନ ଅଭିନୟ କରୁଛନ୍ତି। ବିଗତ ବର୍ଷ ଅପେକ୍ଷା ଏବର୍ଷ ଉନ୍ନତ କଳା ପ୍ରଦର୍ଶନ କରିବେ ବୋଳି ସମସ୍ତେ ଆଶା କରିଛନ୍ତି । କମିଟି ମଧ୍ୟ ଏଥର କଳାକାରଙ୍କ ଅଭିନୟ କିପରି ଅଧିକ ଆକର୍ଷଣୀୟ ହୋଇପାରିବ ତାଉପରେ ଗୁରୁତ୍ଵ ଦେଇଛି । ସେପଟେ ଧନୁଯାତ୍ରା ଯେତିକି ପାଖେଇ ଆସୁଛି ଉଭୟ ମଥୁରା ଓ ଗୋପପୁରରେ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *