
ଭୁବନେଶ୍ବର: ଦିନ ଯେତିକି ଗଡୁଛି ନବ ଦାସ ହତ୍ୟାକାଣ୍ଡ ସେତିକି ବିବାଦୀୟ ହେଉଛି। ହତ୍ୟାକାଣ୍ଡକୁ ସପ୍ତାହେ ବିତିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ହାତ ଏବେ ବି ଖାଲି। ହତ୍ୟାକାରୀ ଗୋପାଳ ଦାସ ଗିରଫ କିନ୍ତୁ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସଠିକ ତଦନ୍ତ ଦାବିରେ ବିଜେପି ଖୁବଶୀଘ୍ର ଜନ ଆନ୍ଦୋଳନ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଆଉ କଂଗ୍ରେସ ବି ଧର୍ମେନ୍ଦ୍ରଙ୍କ ସ୍ବରରେ ସ୍ବର ମିଳାଇ ସରକାରଙ୍କୁ ସମାଲୋଚନା କରିଛି। ସେପଟେ ବିରୋଧୀଙ୍କ ପ୍ରଶ୍ନର କଡା ଜବାବ ରଖିଛି ଶାସକ ଦଳ।
ନବ ଦାସ ହତ୍ୟାକାଣ୍ଡକୁ ବିତିଲାଣି ସପ୍ତାହେ। କ୍ରାଇମବ୍ରାଞ୍ଚ ହାତ ଏବେ ବି ଖାଲି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟରେ ରାଜ୍ୟ ସରକାର। ହତ୍ୟାକାରୀ ଗିରଫ ହୋଇଥିଲେ ମଧ୍ୟ ହତ୍ୟା ପଛର କାରଣର ଟେର ପାଉନି ପୋଲିସ। ଯାହାକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜିଙ୍କୁ କଡା ସମାଲୋଚନା କରିଛନ୍ତି। “ତୁ ଗୁହାରି କରିବୁ ଯାହାକୁ, ମୁଁ ଗେରସ୍ତ କରିଛି ତାହାକୁ” କହି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହାସହ ଡିଜିଙ୍କ ଜଗନ୍ନାଥ ଭରସା ମନ୍ତବ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ସୂଚନା ଦେଉଛି ବୋଲି କହିଛନ୍ତି। ଆଗକୁ ଜନ ଆନ୍ଦୋଳନ ପାଇଁ ବିଜେପି ପ୍ରସ୍ତୁତ ହେଉଥିବା ଧର୍ମେନ୍ଦ୍ର କହିଛନ୍ତି। ଏହାସହ ମାହାଙ୍ଗା ଡବଲ ମର୍ଡର, ହକି ତାରକା ଆନନ୍ଦ ଟପ୍ପୋ ହତ୍ୟା ଓ ବିଜେଡି ବିଧାୟକଙ୍କ ଯୌନ କେଳେଙ୍କାରୀ ପ୍ରସଙ୍ଗ ଉଠାଇଛନ୍ତି। ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ବୟାନକୁ କଂଗ୍ରେସ ସମର୍ଥନ କରି ନବ ଦାସ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ।
ଏପଟେ ବିରୋଧୀଙ୍କ ପ୍ରଶ୍ନର କଡା ଜବାବ ରଖିଛି ଶାସକ ଦଳ। ଆଇନ ଶୃଙ୍ଖଳା ଏକ ସ୍ପର୍ଶକାତର ବିଷୟ। ଯେଉଁ ଘଟଣା ଘଟୁଛି ରାଜ୍ୟ ସରକାର ଅନୁରୂପ ଭାବେ ତାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ସେ ଦିଗରେ ଅବହେଳା କରିନାହାନ୍ତି। ଭବିଷ୍ୟତରେ କିପରି ତାର ପୁନରାବୃତ୍ତି ନହେବ ସେ ପଦକ୍ଷେପ ନେଉଛନ୍ତି। ତା ପରେ ବି ବିରୋଧୀ କାହିଁକି ସନ୍ତୁଷ୍ଟ ନୁହଁନ୍ତି ସେ କଥା ସେମାନେ କହି ପାରିବେ ବୋଲି କହିଛି ବିଜେଡି।
ଦିନ ଗଡ଼ିବା ସହ ନବ ଦାସ ହତ୍ୟାକାଣ୍ଡର ତଦନ୍ତଙ୍କୁ ନେଇ ପ୍ରଶ୍ନ ବଢୁଛି। ଅନ୍ୟପଟେ ରାଜନୀତି ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି। ଆଗାମୀ ଦିନରେ ଜଣା ପଡିବ ଏହି ଘଟଣାର ମୋଡ଼ କେଉଁ ଦିଗକୁ ଯାଉଛି ।
ନବ କିଶୋର ସାହୁଙ୍କ ରିପୋର୍ଟ