ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଧୀରେ ଧୀରେ ବଢ଼ିଲାଣି। ଜଗନ୍ନାଥ ଧାମ ଲେଖିବା ପରେ ଏହାକୁ ନେଇ ଅନୁତପ୍ତ ବଦଳରେ ପାଲଟା ବିଷ ଓଗାଳିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି, ପୁରୀ ମନ୍ଦିର ଓ ଜଗନ୍ନାଥ ଧାମକୁ ସେ ସମ୍ମାନ ଦିଅନ୍ତି। ସବୁ ଜାଗାରେ ମନ୍ଦିର ହେଲାଣି। କିନ୍ତୁ ପଶ୍ଚିମବଙ୍ଗ ଉପରେ ରାଗ କାହିଁକି। ବିଜେପି ଏତେ ଜଳୁଛି କାହିଁକି। କାଳୀମନ୍ଦିର ଓ ଗୁରୁଦ୍ୱାର ତ ଦେଶର ସବୁଠି ଅଛି। ସେପଟେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କହିବା ନେଇ ଆପତ୍ତି ବି ଉଠାଇସାରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଏହା ସହ ଓଡ଼ିଶା ସରକାରଙ୍କୁ ବି ଅପିଲ୍ କରିଛନ୍ତି, ଦୀଘାକୁ ଯିଏ ମହାପ୍ରଭୂଙ୍କ ଦାରୁ ନେଇ ଆସିଥିଲେ, ତାଙ୍କ ବିରୁଦ୍ଧରେ ଆକ୍ସନ ହେଉ। ମମତାଙ୍କ ମନ୍ତବ୍ୟକୁ ନେଇ ଦଳମତ ନିର୍ବିଶେଷରେ ଓଡ଼ିଶାରେ ସମ ବିରୋଧାଭାସର ସ୍ୱର ଶାଣିତ ହୋଇଛି। କଂଗ୍ରେସ କହିଛି, ଜଗନ୍ନାଥ ସଂସ୍କୃତିକୁ ଆଘାତ କରିବାକୁ ବଙ୍ଗ ସରକାର ବାରମ୍ୱାର ପ୍ରଚେଷ୍ଟା ଜାରି ରଖିଛନ୍ତି। ମମତାଙ୍କ ଲାଗି ଏହା ଶୁଭଙ୍କର ନୁହେଁ। ଯିଏ ପୁରୀରୁ ଯାଇ ଏଭଳି ଅବ୍ୟବସ୍ଥା ସହ ସାମିଲ ସହ ସାଲିସ କରିଛି, ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତୁରନ୍ତ ଗିରଫ କରନ୍ତୁ। ଜଗନ୍ନାଥ ଧାମ କେବଳ ପୁରୀକୁ ବୁଝାଏ। ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ। ବିଜେଡି କହିଛି, ଜଗନ୍ନାଥ ପ୍ରତି ଓଡ଼ିଆର ପରିଚୟ। ଯେଉଁଠି ବି ଜଗନ୍ନାଥ ମନ୍ଦିର ହେଲେ ଏହା ସ୍ୱାଗତଯୋଗ୍ୟ। କିନ୍ତୁ ଦୀଘାରେ ଜଗନ୍ନାଥ ଧାମ କରିବା ଓଡ଼ିଆଙ୍କ ଲାଗି କୁଠାରଘାତ। ପଶ୍ଚିମବଙ୍ଗ ସରକାର ଜାଣିଶୁଣି ଏଭଳି ବିବାଦୀୟ ଧାମ କରିଛନ୍ତି। ଶାସକ ବିଜେପି କହିଛି, ଓଡ଼ିଆ ଅସ୍ମିତା ପାଇଁ ବିଜେପି ସରକାରକୁ ଆସିଛି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଲାଗି ସରକାର ସଂକଳ୍ପବଦ୍ଧ। ଶ୍ରୀମନ୍ଦିର ପ୍ରଶାସକଙ୍କ ରିପୋର୍ଟ ଅନୁସାରେ ଆଇନ ମନ୍ତ୍ରୀ ସବୁ ଦିଗକୁ ଅନୁଧ୍ୟାନ ପରେ ସ୍ପଷ୍ଟ କରିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରଭୂଙ୍କ ଦାରୁ ବ୍ୟବହାର ହୋଇନି। ଯେଉଁ ଦାରୁ ବ୍ୟବହାର ହୋଇଛି, ତାହା ନିମ୍ୱ କାଠରେ। ଖୁବ ଶୀଘ୍ର ଏସଓପି ଜାରି ହେବ।ଛତିଶା ନିଯୋଗ, ମୁକ୍ତିମଣ୍ଡପ ସଭା ମାର୍ଗଦର୍ଶିକା ପ୍ରସ୍ତୁତ କରିବ। ଯେଉଁ ଜାଗାରେ ଜଗନ୍ନାଥ ମନ୍ଦିର ହେଲେ, ମାର୍ଗଦର୍ଶିକା ଅନୁପାଳନ ହେବ। ଧାମ ଶବ୍ଦ ଉଠାଇଦେବା ସହ ଦୀଘାରେ ଥିବା ବେଳାଭୂମିକୁ ମହୋଦଧି କହିବାରୁ ନିବୃତ୍ତ ରହିବାକୁ ବଙ୍ଗ ସରକାରଙ୍କୁ ଅନୁରୋଧ କରାଯିବ। ଏହାକୁ ଗ୍ରହଣ ନକଲେ ଆଇନଗତ ଲଢ଼େଇ ହେବ ବୋଲି ସଙ୍କେତ ଦେଇଛନ୍ତି ସରକାର। ସେବକ ଅନ୍ୟ ଜାଗାରେ ପୂଜାର୍ଚ୍ଚନା କରିବାର ବିଧି ନାହିଁ। ଧର୍ମୀୟ ଭାବନାକୁ ଆଘାତ କରିଥିବାରୁ ରାମକୃଷ୍ଣ ଦାସମହାପାତ୍ରଙ୍କଠୁ ବିସ୍ତୃତ ସ୍ପଷ୍ଟିକରଣ ମଗାଯାଇଛି। ସପ୍ତାହକ ଭିତରେ ଜବାବ ଦେବେ। ଉତ୍ତର ସନ୍ତୋଷଜନକ ନ ହେଲେ ଦଣ୍ତିତ ହେବେ ରାମକୃଷ୍ଣ ଦାସ ମହାପାତ୍ର। ସୋସିଆଲ ମିଡ଼ିଆରେ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଚେଷ୍ଟା ଚାଲିଛି। କିଛି ନ୍ୟସ୍ତସ୍ୱାର୍ଥ ଲୋକେ ବୟକଟ୍ ଓଡ଼ିଶା ଓ ବେଙ୍ଗଲି ବୟକଟ୍ ପୁରୀ ଟୁରିଜିମ୍ ନାଁରେ ଏକ୍ସ-ରେ ବିଭ୍ରାନ୍ତିକର ପୋଷ୍ଟ କରିଛନ୍ତି। ଦୀଘାରେ ଜଗନ୍ନାଥ ମନ୍ଦିରକୁ ଧାମ କହିବା ପରେ ତେଜୁଥିବା ବିବାଦ ପରିପ୍ରେକ୍ଷୀରେ ଏଭଳି ପୋଷ୍ଟ ନିଆଁ ଲଗାଇଛି। ଏହାକୁ ଜଗନ୍ନାଥ ପ୍ରେମୀ ସମେତ ବିଭିନ୍ନ ମହଲ ନିନ୍ଦା କରିଛି। ଶ୍ରୀକ୍ଷେତ୍ରର ଗୌରବହାନି ହେଲା ଭଳି ଅପଚେଷ୍ଟାକୁ ବରଦାସ୍ତ କରାଯିବନି ବୋଲି ଚେତାଇ ଦିଆଯାଇଛି। ସେବାୟତ, ହୋଟେଲ ବ୍ୟବସାୟୀ ସଂଘ ନିନ୍ଦା କରିଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ଓ ବେଳାଭୂମିକୁ ମହୋଦଧି ଆଖ୍ୟା ଦେବା ପରଠୁ ବିବାଦ ଘନେଇବାରେ ଲାଗିଛି। ସେପଟେ ବହୁ ବାଦ ବିବାଦ ପରେ ଦୀଘା ମନ୍ଦିରରୁ ହଟିଛି ଜଗନ୍ନାଥ ଧାମ ଲେଖା। ପ୍ରବଳ ବିରୋଧ ପରେ ମମତା ମୁଣ୍ଡ ନୁଆଇଁଲେ ବୋଲି ଟ୍ୱିଟ୍ କରି ଅମିତ ମାଲଭିୟ କହିଛିନ୍ତି। କିନ୍ତୁ କେବଳ ଗୋଟିଏ ନାମଫଳକରୁ ଧାମ ଶବ୍ଦ ହଟିଛି। ଓ୍ୱେବସାଇଟରେ ଏବେ ବି ବଳବତ୍ତର ରହିଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now