
ଚାରି ଧାମରୁ ପୁରୀ ଜଗନ୍ନାଥ ଧାମ ଅନ୍ୟତମ। କିନ୍ତୁ ଜଗନ୍ନାଥ ଧାମ ଆଉ କେଉଁଠି ନାହିଁ। ଏ କଥା ସତ। କିନ୍ତୁ ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିରକୁ ଯିଏ ଧାମ କହୁଛି, ତାହା ବିଲକୁଲ ଗ୍ରହଣୀୟ ନୁହେଁ। ଦୀଘାର ଜଗନ୍ନାଥ ମନ୍ଦିର ବିଶ୍ୱାସର ପ୍ରତୀକ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଯିଏ ବି ଉଦ୍ୟମ କରୁଛି, ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ। ହେଲେ ଏହାକୁ ଅନ୍ୟତମ ଧାମ କହିବାରୁ ନିବୃତ୍ତ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ପୁରୀ ସାଂସଦ ସମ୍ୱିତ ପାତ୍ର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବି ଗତକାଲିଠୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ମହାପ୍ରଭୂଙ୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଦ୍ୱନ୍ଦାତ୍ମକ ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରିସାରିଛନ୍ତି। ଦିଘାରେ ଜଗନ୍ନାଥ ମନ୍ଦିରକୁ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା, ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ଆଦି ବାବଦରେ ଚର୍ଚ୍ଚା ଜଗନ୍ନାଥ ପ୍ରେମୀ ଓ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭିତରେ କଷ୍ଟ ଦେଉଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ତରୀଣ ତଦନ୍ତ ହୋଇ ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ବ୍ୟବସ୍ଥା କରିବାକୁ କହିଛନ୍ତି ଆଇନମନ୍ତ୍ରୀ। ଯଦି କେହି ଦୋଷୀ ସାବ୍ୟସ୍ତ ହେବେ ଆଉ ଜାଣତରେ ଏଭଳି କିଛି ଘଟଣା ଘଟାଇଥିବେ, ଦଣ୍ଡବିଧାନ କରାଯାଉ ବୋଲି ପରାମର୍ଶ ଦେଇଛନ୍ତି। ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିନ ସାମିଲ୍ ଥିବା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ କହିବା କଥା, ଏହାକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ। ଏମିତିରେ ରାମକୃଷ୍ଣ ନବକଳେବର ସମୟରେ ବଳକା ଥିବା ଦାରୁ ଦିଦିଙ୍କୁ ଦେଇଥିବା ନେଇ ଘମାସାନ ଜାରି ରହିଛି। ଯେଉଁ ଦାରୁରେ ଦିଘାରେ ଥିବା ଜଗନ୍ନାଥ ମନ୍ଦିରକୁ ଧାମ କୁହାଯାଇପାରିବନି ବୋଲି ଚାରିଆଡ଼ୁ ସ୍ୱର ଶାଣିତ ହେବାରେ ଲାଗିଛି। ଭାରତ ଓ ବିଦେଶରେ ଥିବା ଅନ୍ୟ ଜଗନ୍ନାଥ ମନ୍ଦିର ଭଳି ଦିଘାର ଜଗନ୍ନାଥ ମନ୍ଦିର ଅଟେ। ଦିଘା ପର୍ଯ୍ୟଟକଙ୍କ ଲାଗି ପର୍ଯ୍ୟଟନସ୍ଥଳ ହୋଇପାରେ। କିନ୍ତୁ ଶ୍ରଦ୍ଧାଳୁଙ୍କ ଲାଗି କଦାପି ଧାର୍ମିକ ସ୍ଥଳ ହୋଇପାରିବନି। ପଶ୍ଚିମବଙ୍ଗ ଏମିତିରେ ଆଗରୁ ରସଗୋଲା ତାଙ୍କର ବୋଲି ଦାବି କରି ଓଡ଼ିଶା ସହ ବିବାଦ ଜାରି ରହିଛି। ଏବେ ଓଡ଼ିଶାର ପରିଚୟ ଜଗନ୍ନାଥ ଧାମକୁ ପଶ୍ଚିମବଙ୍ଗ ସରକାର ଦିଘାରେ ଜଗନ୍ନାଥ ମନ୍ଦିର କରି ଏହାକୁ ଧାମ ବୋଲି ବିବେଚନା କରିବାରୁ ଏଭଳି ଆଉ ଏକ ଆଶଙ୍କା ଉପୁଜିଛି। ପଶ୍ଚିମବଙ୍ଗ ଲୋକ ଦାବି କଲେଣି ଯେ, ଦୁଇ ଦିନ ଭିତରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦୀଘା ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଗଲେଣି। ଅସମ୍ଭାଳ ଭିଡ଼ ହେଉଛି। ଆଉ କିଏ କହୁଛି, ଦୀଘା ଜଗନ୍ନାଥ ମନ୍ଦିର ସଂସ୍କୃତି ଓ ସୌନ୍ଦର୍ଯ୍ୟ ଭିତରେ ଏକ ସେତୁ ସାଜିଛି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେଣି, ଜଗନ୍ନାଥ ସଂସ୍କୃତି ସହ ଯିଏ ଖେଳିବ, ଫଳ ଭୋଗିବେ। ସମସ୍ତେ ଜାଣିଛନ୍ତି, ମହାପ୍ରଭୂଙ୍କ ଅସଲ ଧାମ କେଉଁଠି। କାହାର ଗର୍ବ ସହନ୍ତିନି ମହାପ୍ରଭୂ। ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି, ଯଦି ଜଗନ୍ନାଥପ୍ରେମୀଙ୍କ ଭିତରେ କୌଣସି ଆଘାତ ଲାଗିଛି, ସେମାନେ କହିବା କଥା। ଏହା ଭକ୍ତଙ୍କ ଭାବାବେଗର କଥା। ସାଧାରଣ ଜନତାଙ୍କ ପ୍ରଭୂଙ୍କ ପ୍ରତି ଭକ୍ତି ଓ ବିଶ୍ୱାସର ପ୍ରତୀକ। କାହାକୁ ଆଘାତ ଲାଗିଲେ ପ୍ରତିବାଦ କରିବା କଥା। ଓଡ଼ିଶା ସରକାର ଲୋକଙ୍କର ସେବା କରୁଛନ୍ତି। ଏଥିରେ ଓଡ଼ିଶା ସରକାରଙ୍କ ଭୂମିକା କଅଣ ବୋଲି ପଚାରିଛନ୍ତି ଦିଲ୍ଲୀପ ଘୋଷ। ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିର ଅଟେ। ଏହା ଧାମ ନୁହେଁ ବୋଲି ସର୍ବସାଧାରଣରେ ଘୋଷଣା କରନ୍ତୁ ଦିଦି। ଏହାକୁ କେହି ଗ୍ରହଣ କରିବେନି। ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିବାରୁ ମମତାଙ୍କୁ ଧନ୍ୟବାଦ ଦେଇଛନ୍ତି ସୁଦର୍ଶନ। କିନ୍ତୁ ଭକ୍ତଙ୍କ ଧାର୍ମିକ ଭାବନା ସହ ଖେଳିବାରୁ ନିବୃତ୍ତ ରୁହନ୍ତୁ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି ଚିଠି ଲେଖି ଆପତ୍ତି ଜାହିର କରିଛନ୍ତି ସୁଦର୍ଶନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now