ଓଡ଼ିଶାରାଜନୀତି

ଆଚରଣ, ଉଚ୍ଚାରଣ ପ୍ରତି ଯଥେଷ୍ଟ ସଜାଗ ଓ ସତର୍କ ରହିବା ଦରକାର

() ସ୍ୱାଭାବିକ ବିଧାନସଭା। ଆଉ ଏହାକୁ ତାଳ ଦେଇ ସଦସ୍ୟଙ୍କ ଭିତରେ ପରସ୍ପରକୁ ସହଯୋଗ, ସମନ୍ୱୟର ଅଧ୍ୟାୟ ବି ଦେଖିବାକୁ ମିଳିଲା। କିନ୍ତୁ ନବ ଦାସ ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଅଧ୍ୟାୟକୁ ନେଇ ଆଗତ ମୋସନ ଉପରେ ଆଲୋଚନା ଆଗରୁ ଗୃହରେ ଯେଭଳି ଏହି ପ୍ରସଙ୍ଗକୁ ନେଇ ଅନେକ ରାଜନୈତିକ ଆରୋପ ପ୍ରତ୍ୟାରୋପ ସହ ବ୍ୟକ୍ତିଗତ ଗୋହି ଖୋଳାଖୋଳିକୁ ନେଇ ଅନେକ ତୁଙ୍ଗ ନେତା ଅନୁତପ୍ତ ଥିବାର ଦୃଶ୍ୟର ସାକ୍ଷୀ ସାଜିଲା ବିଧାନସଭା। ସବୁଠି ସକରାତ୍ମକ ସହଯୋଗ ଓ ସହଭାଗିତାର ବାତାବରଣ ଦେଖିବାକୁ ମିଳିଥିଲା।

ହୋହଲ୍ଲା, ହଟ୍ଟଗୋଳ ଓ ନାରାବାଜି ଆଜି ନଥିଲା। ଗୃହ ଥିଲା ପୁରା ସ୍ୱାଭାବିକ। ପ୍ରଶ୍ନକାଳ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ହେଲେ ଶୂନ୍ୟକାଳରେ ଶାସକ ଦଳକୁ ଚ୍ୟାଲେଞ୍ଜ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବିଧାନସଭାରେ ଶାସକ ଦଳର ୪୬ ବିଧାୟକଙ୍କ ନାଁରେ ଥିବା ୧୮୦ ମାମଲାର ଚିଠା ପଢିଥିଲେ। କହିବାକୁ ଉଚିତ ମଣୁନଥିଲେ ବି କହିବାକୁ ବାଧ୍ୟ ହେଲି ବୋଲି କହି ଗୋହି ଖୋଳିଥିଲେ। ଯେହେତୁ ତାଙ୍କୁ ଅଭ୍ୟାସଗତ ଅପରାଧୀ କହି ଶାସକ ଦଳ କ୍ରମାଗତ ଆଟାକ୍ କରୁଛି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁକୁ ଯୋଡ଼ି ଷଡ଼ଯନ୍ତ୍ର ପଛରେ ବୋଲି ଚିତ୍ରଣ ହେଉଛି। ସେଥିଲାଗି କେଉଁ ବିଧାୟକଙ୍କ ନାଁରେ କେଉଁ ମାମଲା ତାକୁ ପଢ଼ିଥିଲେ। ରାଜନୀତି କଲେ କେସ୍ ଖାଇବାକୁ ପଡ଼େ। ମାମଲା ଅଛିର ଅର୍ଥ କେହି ଅପରାଧୀ ନୁହେଁ। କୋର୍ଟ ଏହାର ବିଚାର କରିବ। ୬ ଜଣ ବିଧାୟକଙ୍କ ନାଁରେ ହତ୍ୟା, ୨ଜଣଙ୍କ ନାଁରେ ଡକାୟତି, ୯ଜଣଙ୍କ ନାଁରେ ଚୋରୀ, ୪ଜଣଙ୍କ ନାଁରେ ଲାଞ୍ଚ ନେବା, ୪ ଜଣଙ୍କ ନାଁରେ ଅପହରଣ, ୨୮ଜଣଙ୍କ ନାଁରେ ଧମକ ଅଭିଯୋଗ, ୫ ଜଣଙ୍କ ନାଁରେ ମହିଳା ଅସଦାଚରଣ ସହ ଜଣଙ୍କ ନାଁରେ ବଳାତ୍କାର ମାମଲା ରହିଛି। ସୌମ୍ୟରଞ୍ଜନଙ୍କ ନାଁରେ ୧୯ ଓ ବ୍ରଜ ପ୍ରଧାନଙ୍କ ନାଁରେ ୨୯ ମାମଲା ଅଛି ବୋଲି ପଢିଥିଲେ। କେବଳ ଏତିକି ନୁହେଁ, ତାଙ୍କ ନାଁରେ ଥିବା ମାମଲାଗୁଡ଼ିକର ସମୀକ୍ଷା ହେଉ। ଖୋଲା ମଞ୍ଚରେ ଆଲୋଚନା ଲାଗି ସେ ପ୍ରସ୍ତୁତ ବୋଲି କହିଛନ୍ତି ଜୟନାରାୟଣ। ବିଜେପୁର ହତ୍ୟାକାଣ୍ଡରେ ବି ସେ ସଂଶ୍ଲିଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରିଦେବେ। ୨୦୦୯ ଯାଏ ଗୋଟିଏ ବି ମାମଲା ନାହିଁ ତାଙ୍କ ନାଁରେ। କିନ୍ତୁ ବିଜେଡି ମେଣ୍ଟରୁ ଓହରିବା ପରେ ତାଙ୍କ ନାଁରେ ମାମଲା ଉପରେ ମାମଲା ଚାଲିଛି। ଏତକ ଓଗାଳିବା ପରେ ଅବଶ୍ୟ ଜୟନାରାୟଣ କହିଛନ୍ତି, ସେ ଯଦି କାହାପ୍ରତି ସାମାନ୍ୟତମ ଖରାପ ବ୍ୟବହାର କରିଥିବାର ପ୍ରମାଣିତ ହେବ, ତେବେ ସେ ରାଜନୈତିକ ଜୀବନରୁ ସନ୍ୟାସ ନେଇଯିବେ।

ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଜୟନାରାୟଣଙ୍କଠୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ବିରୋଧୀ ଦଳ ନେତା ଭାବେ ତାଙ୍କୁ ମ୍ୟାନେଜ୍ କରିପାରୁନଥିବାରୁ ଶାସକ ଦଳ ଚକ୍ରାନ୍ତ କରୁଛି ବୋଲି କହିଥିଲେ ଜୟନାରାୟଣ। ତେବେ ଏହା କାହା ଉଦ୍ଦେଶ୍ୟରେ ବୋଲି ପଚାରିଥିଲେ ନରସିଂହ। ଆଉ ଜୟନାରାୟଣ ବି ନମ୍ରତାର ସହ ଉତ୍ତର ରଖିଥିଲେ ଯେ, କୌଣସି ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ସେ ଆକ୍ଷେପ କରିନାହାନ୍ତି। କାହା ମନରେ କଷ୍ଟ ଦେଇଥିଲେ ସେ ଦୁଃଖିତ ବୋଲି କହିଛନ୍ତି ଜୟନାରାୟଣ। ବିଧାୟକଙ୍କୁ ନା ସରକାରୀ ଅଫିସରଙ୍କଠୁ ସମ୍ମାନ ମିଳୁଛି ନା ପ୍ରତିପକ୍ଷ ଦଳରୁ।  ବୁକ୍ ସର୍କୁଲାର ୪୭ର ଖୁଲମଖୁଲା ଉଲ୍ଲଂଘନ ହେଉଛି। ଏଥିକ୍ସ କମିଟି ବୁଲୁଛି ଆଉ ପ୍ରିଭିଲେଜ୍ କମିଟି କାମ କରୁନି। ଯଦି ବିଧାୟକଙ୍କ ସମ୍ମାନ ନାହିଁ, ତେବେ ଗୃହର ସମ୍ମାନ କେମିତି ରହିଲା ବୋଲି ପଚାରି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ନରସିଂହ। ଗୃହର ସଦସ୍ୟ ଭାବେ ପରସ୍ପର ପ୍ରତି ସମ୍ମାନ ରହିବା ଦରକାର। ବାଚସ୍ପତିଙ୍କ ବି କିଛି କର୍ତ୍ତବ୍ୟ ଅଛି ବୋଲି କହିଛନ୍ତି ନରସିଂହ। ଆଉ ଜବାବରେ ଅମର ଶତପଥୀ କହିଛନ୍ତି ଯେ, ବିଧାୟକଙ୍କୁ ସମ୍ମାନ ମିଳିବା ଦରକାର।  ଜନପ୍ରତିନିଧିଙ୍କ ଆଚରଣ, ଉଚ୍ଚାରଣ ମାର୍ଜିତ ହେବା ବି ଦରକାର। ଗୋଟିଏ ଆଚାର ସଂହିତାର ଗଣ୍ଡିରେ ସମସ୍ତ ସଦସ୍ୟ ଆସୁଥିବାରୁ କେହି କାହା ପ୍ରତି ଅପମାନଜନକ ଟିପ୍ପଣୀ ଦେବା ଉଚିତ ନୁହେଁ। ସୌମ୍ୟ ଓ ବ୍ରଜଙ୍କ ନାଁ ନେଇ କେତେ ମାମଲା ଅଛି ବୋଲି ବିରୋଧୀ ଦଳ ନେତା କହିଥିବାରୁ ତାକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ଅନୁରୋଧ କରିଥିଲେ ବାଚସ୍ପତିଙ୍କୁ ଅମର।

ଲାଗୁଥିଲା ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଗଣତନ୍ତ୍ରର ପବିତ୍ର ମନ୍ଦିରରେ ନିର୍ବାଚିତ ସଦସ୍ୟ ଆଜି କେବଳ ସକରାତ୍ମକ ସନ୍ଦେଶ ଦେଉନଥିଲେ। ତା ସହ ଆଚରଣ, ଉଚ୍ଚାରଣ ପ୍ରତି ଯଥେଷ୍ଟ ସଜାଗ ଓ ସତର୍କ ରହିବା ଦରକାର ବୋଲି ହୃଦବୋଧ କରୁଥିଲେ ଆଇନ ପ୍ରଣେତା।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button