ଝାରସୁଗୁଡା: ୨୪ରେ ଝାରସୁଗୁଡାରୁ ନବ ଲଢ଼ିବେ ନା ତାଙ୍କ ଝିଅ ଦୀପାଳି। ପାହାଡି ମନ୍ଦିରରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ କିଛି ଏମିତି ପ୍ରଶ୍ନର ଉତ୍ତର ପରୋକ୍ଷରେ ଦେଇ ଝିଅ ଦୀପାଳିଙ୍କ ଲାଗି ବାଟ ଉନ୍ମୁକ୍ତ କରିଛନ୍ତି ବିଧାୟକ ତଥା ମନ୍ତ୍ରୀ ନବ ଦାସ। ଲୋକେ ନିଷ୍ପତ୍ତି ନେବେ କହି କଂଗ୍ରେସ ହାତ ଛାଡ଼ି ବିଜେଡିକୁ ଆସିଲାବେଳେ କିଛି ଏମିତି ସମାନ ଢଙ୍ଗରେ ନିଷ୍ପତ୍ତିକୁ ଥୋପିଥିଲେ ନିର୍ବାଚନମଣ୍ଡଳବାସୀଙ୍କ ଉପରେ ନବ।
ଝାରସୁଗୁଡ଼ାରେ ନେତୃତ୍ୱ ନେବାକୁ ଦୀପାଲି ପ୍ରସ୍ତୁତ! କେବଳ ନିର୍ବାଚନମଣ୍ଡଳବାସୀଙ୍କ ମତ ଓ ନବୀନଙ୍କ ଆଶୀର୍ବାଦ ଆବଶ୍ୟକ। ଝିଅ ଦୀପାଲି ଲାଗି ଝାରସୁଗୁଡ଼ା ଆସନ ପାଇଁ ଦୀର୍ଘ ଦିନରୁ ପଥ ପ୍ରସ୍ତୁତ କରିଆସୁଥିବା ମନ୍ତ୍ରୀ ନବ ଦାସ ଆଜି ପରୋକ୍ଷରେ ଏଭଳି ଇଙ୍ଗିତ ଦେଇଛନ୍ତି। ପାହାଡ଼ି ମନ୍ଦିରରେ ଆୟୋଜିତ ଦଳୀୟ ସଭାରେ ବାପ-ଝିଅଙ୍କ ଭିତରୁ ୨୪ରେ କିଏ ଲଢ଼ିବ, ତାକୁ ନେଇ ଜାରି ସସପେନ୍ସ ଭିତରେ ଦୀପାଲି ବି ସମାନ ଢଙ୍ଗରେ ପ୍ରତିକ୍ରିୟା ରଖି ନିଜର ରାଜନୈତିକ ଅଭିଳାଷାକୁ ଦର୍ଶାଇଛନ୍ତି।
ଆଉ ନବ ବି ରାଜନୀତିରୁ ଅବସର ନେବାକୁ ଏକପ୍ରକାର ସଙ୍କେତ ଦେଇଛନ୍ତି। ଲୋକଙ୍କ ସେବା ଲାଗି ପଦପଦବୀର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଦଳର ସୁପ୍ରିମୋଙ୍କ ଉପରେ ସବୁ ନିର୍ଭର କରୁଛି କହି ଗୋଟି ଫିଙ୍ଗିଛନ୍ତି ନବ।
ଏମିତିରେ ବ୍ରଜରାଜନଗର ଉପନିର୍ବାଚନରେ ଦୀପାଲିଙ୍କୁ ମୈଦାନକୁ ଓହ୍ଲାଇବେ ବୋଲି ନବ ଭାବିଥିଲେ। ହେଲେ ସେଠାରେ ଫେଲ୍ ମାରିଥିଲେ। ଦୀପାଲି ବି ଦୀର୍ଘ ଦିନ ହେଲା ନବଙ୍କ ଉପଯୁକ୍ତ ରାଜନୈତିକ ଉତ୍ତରାଧିକାରୀ ଭାବେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ନିରନ୍ତର ସାମିଲ୍ ହେଉଛନ୍ତି। ଝିଅର ନିରନ୍ତର ରାଜନୈତିକ ଗତିବିଧି ଓ ବାପାଙ୍କ ରାଜନୀତିକ ସଫଳତା ହୁଏତ ଝାରସୁଗୁଡାରେ ୨୪ରେ ବାପ ବଦଳରେ ଝିଅକୁ ନେତୃତ୍ୱ ଦେବାକୁ ସେତେବଡ଼ ପ୍ରତିବନ୍ଧକ ଆସିନପାରେ।
ସନ୍ତୋଷ ମିଶ୍ରଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now