କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ତେଜିଲା ବିବାଦ। ପ୍ଲଟ ନିଲାମ ପକ୍ରିୟାକୁ କଡା ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ। ପୂର୍ବ ପରି ପ୍ଲଟ ଆବଣ୍ଟନ କରିବାକୁ ମିଳିତ ମଞ୍ଚ ଦାବି କରିଛି। ନିଷ୍ପତ୍ତିର ପୁନର୍ବିଚାର ନ କଲେ ଆଗକୁ କଡ଼ା ବିରୋଧ ହେବ ବୋଲି ବ୍ୟବସାୟୀ ସଂଘ ଚେତାବନୀ ଦେଇଥିଲା ବେଳେ ନୂଆ ବ୍ୟବସ୍ଥା ଦ୍ୱାରା ଦଲାଲି ହଟିବ ଓ ସ୍ୱଛତା ରହିବ ବୋଲି କହିଛନ୍ତି ଜିଲ୍ଲାପାଳ।
କଟକର ଐତିହାସିକ ବାଲିଯାତ୍ରା ପାଇଁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଘନେଇଵାରେ ଲାଗିଛି । ଯଦିଓ ଏବେ ମେଳା ପାଇଁ ପ୍ରଶାସନ ପକ୍ଷରୁ ଷ୍ଟଲ ବୁକିଙ୍ଗ ପ୍ରକ୍ରିୟା ଚାଲିଛି । ୨୦୧୯ ମସିହା ତୁଳନାରେ ଷ୍ଟଲ ପାଇଁ ଜାଗା ଦର ବର୍ଗ ଫୁଟ ପିଛା ଢେର ବୃଦ୍ଧି କରାଯାଇଛି। ସେପଟେ ନିଲାମ ପ୍ରକ୍ରିୟା କରିବା ଦ୍ୱାରା ଆଗକୁ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ। ଏଭଳି ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଦାବି କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ। ଐତିହାସିକ ବାଲିଯାତ୍ରାର ଅସ୍ମିତାକୁ ପ୍ରଶାସନ କୁଠାରଘାତ କରୁଛି। ୧୮ ତାରିଖ ପରେ ଏ ନେଇ ପରବର୍ତ୍ତୀ କାର୍ଯ୍ୟପଂଥା ଗ୍ରହଣ କରି ବିରୋଧକୁ ଆହୁରି ତୀବ୍ର କରାଯିବ ବୋଲି ଚେତେଇ ଦେଇଛି ସଂଘ।
ସେପଟେ ଜିଲ୍ଲାପାଳ କହିଛନ୍ତି, ପ୍ଲଟ ଆବଣ୍ଟନ ପକ୍ରିୟାରେ ସ୍ୱଚ୍ଛତା ଆସିବା ପାଇଁ ଏଭଳି ନିଲାମ ପକ୍ରିୟା କରାଯାଇଛି। ଯେଉଁ ପ୍ଲଟ ପାଇଁ ଏକାଧିକ ଦାବିଦାର ଥିବେ କେବଳ ସେହି ପ୍ଲଟର ନିଲାମ କରାଯିବ। ଆଉ ଯେଉଁ ପ୍ଲଟ ଗୁଡିକରେ ଜଣେରୁ ଅଧିକ ଆବେଦନକାରୀ ନ ଥିବେ, ସେ ପ୍ଲଟ ସିଧାସଳଖ ଆବେଦନ କରିଥିବା ବ୍ୟବସାୟୀଙ୍କୁ ଦିଆଯିବ। ଏଥିସହ ଚଳିତ ବର୍ଷ ରାସ୍ତା କଡରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ୯ଦିନ ପାଇଁ କେବଳ ହଜାରେ ଟଙ୍କାରେ ଷ୍ଟଲ ପାଇଁ ଜାଗା ଦିଆଯିବ। ଫଳରେ ସେମାନେ ସୁବିଧାରେ ବ୍ୟବସାୟ କରିପାରିବେ।
ବାଲିଯାତ୍ରା ପାଇଁ ୧୪ଶହ ପ୍ଲଟ ବିକ୍ରି କରାଯିବାକୁ ପ୍ରଶାସନର ଯୋଜନା ଥିବା ବେଳେ ଆରମ୍ଭରୁ ଦେଖା ଦେଇଥିବା ଏହି ବିବାଦ ଆଗକୁ କି ମୋଡ଼ ନେଉଛି, ଦେଖିବାର କଥା।
ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now