ଓଡ଼ିଶାକଳାକଳା ଓ ସଂସ୍କୃତିମନୋରଞ୍ଜନ

ରାଜ୍ୟରେ ଗୀତିନାଟ୍ୟ ପରିବେଷଣକୁ ପ୍ରୋତ୍ସାହିତ କରାଯିବ : ସଂସ୍କୃତି ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର : ଗଣକବି ବୈଷ୍ଣବ ପାଣିଙ୍କ ୬୭ତମ ଶ୍ରାଦ୍ଧୋତ୍ସବ ଗତକାଲି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଶିକ୍ଷାବିତ କାମଦେବ ମହାପାତ୍ର କବିତା ଆବୃତି କରିବାପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ଜେନା, ଅଧ୍ୟାପକ ମଣ୍ଡଳୀ, ଛାତ୍ରଛାତ୍ରୀ, ପ୍ରବୀର ମହାନ୍ତି, ଡ଼ଃ ମିହିର ପଟ୍ଟନାୟକ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ରୀତା ମହାନ୍ତି, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ସଭ୍ୟବୃନ୍ଦ, ଅନୁପମା ବେହେରା, ପ୍ରଗତି ରଥ, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, କବି ଦମ୍ପତି ନାରାୟଣ ମୁଦୁଲି ଓ ସୁଜାତା ମୁଦୁଲି ପ୍ରମୁଖ ଯୋଗଦେଇ ଗଣକବିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଲୋକକବି ଜଗନ୍ନାଥ ପାଣି, ଗଣକବି ବୈଷ୍ଣବ ପାଣି ଓ ବାଳକୃଷ୍ଣ ମହାନ୍ତି ଗୀତିନାଟ୍ୟଧାରାକୁ ବିକଶିତ କରିଥିଲେ । ବାଳକୃଷ୍ଣ ମହାନ୍ତିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ବିଧାୟକ ସାମଲ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ରାଉତରାଏ ନିଜ ବକ୍ତବ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସହ ରାଜ୍ୟର ନୃତ୍ୟ ସଙ୍ଗୀତ ଅନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେହିଭଳି ପୂର୍ବ ପରି ଗୀତିନାଟ୍ୟ ପରମ୍ପରାକୁ ବିକଶିତ କରିବାକୁ ଗୀତିନାଟ୍ୟ ପରିବେଷଣ ନିମନ୍ତେ ବିଭାଗ ତରଫରୁ ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅନୁଶାସନ ସଚିବ ଲଷ୍ମୀଧର ବେହେରା ସଂଯୋଜନା କରିଥିବାବେଳେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ନାୟକ ବନ୍ଦନା ଗାନ ସହ ବୈଷ୍ଣବ ପାଣିଙ୍କ ବିଭିନ୍ନ ଗୀତିନାଟ୍ୟର ସଙ୍ଗୀତ ପରିବେଷଣ କରିଥିଲେ ।

Leave a Reply

Your email address will not be published.

Back to top button