ଜୟପୁର: ପ୍ରସିଦ୍ଧ ଅପରାଜିତା ପୂଜା ପରେ ସମାପ୍ତ ହୋଇଛି ଐତିହାସିକ ଦଶହରା । ଜୟପୁର ଦଶହରା ପର୍ବ ପାରମ୍ପରିକ ରୀତି ନୀତି ଅନୁସାରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅପରାଜିତା ପୂଜା ପରେ ସମାପ୍ତ ହୋଇଯାଇଛି । ଭୋର ସାଢେ ୫ଟାରେ ଦଶହରା ପଡ଼ିଆ ଠାରେ ଏହି ପୂଜା ସମାପନ ହୋଇଛି । ଆତସବାଜୀ କାର୍ଯ୍ୟକ୍ରମ ସହ ରାବଣ ପୋଡିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା ।
୨ବର୍ଷର କରୋନା କଟକଣା ପରେ ଜୟପୁରର ଦଶହରା ପଡିଆରେ ରାବଣ ପୋଡି ସହ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାସହ ଅପରାଜିତା ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତିଙ୍କ ସଭାପିତିତ୍ୱରେ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଆକ୍ତର, ଏସପି ବରୁଣ ଗୁ୍ଣ୍ଠପାଲ୍ଲି ପ୍ରମୁଖ ଉପସ୍ଥିତ ରହି ବଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ସହ ମାଙ୍କ ପ୍ରତିକ ଲାଠି ଧାରିଙ୍କୁ ସମ୍ମାନିତ କରାଯାଇଛି ।
ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଅପରାଜିତା ପୂଜାରେ ଅଧିଷ୍ଠାତ୍ରୀ ମାଦକ୍ଷିଣ କାଳିକା, ମା ଭଗବତୀ, ମା ବସନ୍ତାୟୀ, କନକ ଦୁର୍ଗାଙ୍କ ବିମାନ ବାହାରି ଜୟପୁର ଦଶହରା ପଡିଆରେ ପହଞ୍ଚିଥିଲା । ଦଶହରା ପଡିଆରେ ୪ଟି ଅସ୍ଥାୟୀ ମଣ୍ଡପ କରାଯାଇ ମାଙ୍କ ଅପରାଜିତା ପୂଜା କରାଯାଇଥିଲା । ଏହାସହ ରାଜନଅର ଠାରେ ବସାଯାଇଥିବା ମୃନ୍ମୟୀ ମୂର୍ତ୍ତିକୁ ମଧ୍ୟ ମେଲାଣି ଦିଆଯାଇଥିଲା ।
ଅବିଭକ୍ତ କୋରାପୁଟ ଜିଲା ସମେତ ଆନ୍ଧ୍ର, ଛତିଶଗଡର ଲୋକଙ୍କ ଭିଡ ଭିତରେ ଦଶହରା ଶେଷ ହୋଇଛି । ପ୍ରଚଳିତ ପ୍ରଥା ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଆସିଥିବା ଲାଠି ଗୁଡ଼ିକ ବାଙ୍କମଠ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିବା ବେଳେ ମାଁଙ୍କ ପ୍ରତୀକ ଲାଠିଧାରୀ ଆସି ଦଶହରାରେ ସାମିଲ ହୋଇ ଜୟପୁର ବାସୀଙ୍କୁ ଆଶୀର୍ବାଦ କରିଛନ୍ତି ।
ମାଙ୍କ ଶୋଭାଯାତ୍ରାରେ ବାଜା ବାଣ, ନାଚ ଗୀତ ସହ ବିଭିନ୍ନ ଆଦିବାସୀ ନାଚ, ପାରମ୍ପରିକ ବାଦ୍ୟରେ ଜୟପୁର ଐତିହାସିକ ଦଶହରା ଶେଷ ହୋଇଛି ।
ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now