ଅପାରଗ! ତା ସାଙ୍ଗକୁ ଅପମାନ ଅପଦସ୍ଥର ଅଧ୍ୟାୟ! ରାଜସ୍ୱ ବିଭାଗରେ ଏମିତି ଜଣେ ଅଫିସର ଏବେ ସରକାରଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ସାଜିଲେଣି। ସେ ଆଉ କେହି ନୁହଁନ୍ତି। ଓଆରଏସ ବାବୁ ଶ୍ରୀକାନ୍ତ ବେଉରା। ୨ ବର୍ଷ ତଳେ ନବୀନ ସରକାରଙ୍କ ଅମଳରେ ବେଶ୍ ଦକ୍ଷ ଅଫିସର ଭାବେ ଯାହାଙ୍କୁ ମୁଣ୍ଡ ଉପରେ ବସାଯାଇଥିଲା। ଆଜି କଅଣ ହେଲା କେଜାଣି। ମୋହନ ସରକାର ଅମଳରେ ଜିରାରୁ ଶିରା କାଢ଼ି ତାଙ୍କ ଦକ୍ଷତାର ମାପକାଠି ମାପିଲା ବେଳେ ପୁରା ନେଗେଟିଭ୍ ରିପୋର୍ଟ। ଜଗତସିଂହପୁର ସବ-ରେଜିଷ୍ଟ୍ରାର ଥିଲା ବେଳେ ଦକ୍ଷିଣ ଜୋନରେ ଥିବା ସମସ୍ତ ସବରେଜିଷ୍ଟ୍ରାର ଓ ଡେପୁଟି ସବ-ରେଜିଷ୍ଟ୍ରାରଙ୍କ କାମକୁ ତଦାରଖ ଭଳି ବଡ଼ ଗୁରୁଦାୟିତ୍ୱ ଦେଇଥିଲେ ସରକାର। ଡେପୁଟି ଆଇଜିଆର୍ ଭାବେ ପଦବୀରେ ବସାଇ ସପ୍ତାହରେ ଅତିକମରେ ଦୁଇ ଦିନ ଯାଇ ସବ-ରେଜିଷ୍ଟ୍ରାରମାନଙ୍କ କାମକୁ ତଦାରଖ ଲାଗି ନିର୍ଦେଶ ଦେଇଥିଲେ ସରକାର। ଆଇଜିଆର ଅଫିସକୁ ୨ ବର୍ଷ ଭିତରେ ଗୋଟିଏ ବି ଇନ୍ସପେକ୍ସନ ରିପୋର୍ଟ ଦେଇପାରିନଥିବା ବେଉରାଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ନ ନଜର ରଖିଥିଲା ରାଜସ୍ୱ ବିଭାଗ। ଗଲା ୧୯ ତାରିଖରେ ଏ ସନ୍ଦର୍ଭରେ ବେଉରାଙ୍କୁ ଏକ୍ସପ୍ଲାନେସନ ଜାରି କରି ଆଇଜିଆର ତାଙ୍କୁ ମାଗିଥିବା ରିପୋର୍ଟର ଆଜି ମହଲତ ପୁରୁଛି। ଶ୍ରୀକାନ୍ତ କଅଣ ଉତ୍ତର ରଖିବେ ତାହା ତ ପରର କଥା। କିନ୍ତୁ ଏ ଅଡ଼ୁଆ ନ ତୁଟୁଣୁ ବାବୁଙ୍କ ଆଉ ଏକ କାରନାମା ପଦାକୁ ଆସିଛି। କାମରେ ଅବହେଳା ଓ ଆଇଜିଆରଙ୍କୁ ଅବମାନନା ପରେ ଏବେ ଅପମାନ ଓ ଅପଦସ୍ଥର ଅଧ୍ୟାୟ ଆରମ୍ଭ ହୋଇଛି। ଯେଉଁ ୧୯ ତାରିଖରେ ଶ୍ରୀକାନ୍ତ ବେଉରାଙ୍କୁ ନୋଟିସ୍ ହୋଇଥିଲା। ସେହି ୧୯ ତାରିଖରେ ରିଲିଜ୍ ଓ ରେଲିଙ୍କୁଇସମେଣ୍ଟ ଡିଡ୍ ନେଇ ତଳିଆ ଅଫିସର କ୍ଲାରିଫିକେସନ ମାଗିଥିବା ସନ୍ଦର୍ଭରେ ଶ୍ରୀକାନ୍ତ ଦେଇଥିବା ଚିଠିକୁ ବି ପ୍ରତ୍ୟାହାର କରିଦିଆଯାଇଥିଲା। ଗୋଟିଏ ଦିନରେ ଦୁଇ ଦୁଇଟି ଚଡ଼କ ପଡିଥିଲା ଯେମିତି ଶ୍ରୀକାନ୍ତଙ୍କ ଉପରେ। ଘଟଣା କଅଣ ଜାଣନ୍ତୁ। ଆଉ କେମିତି ସବ-ରେଜିଷ୍ଟ୍ରାରଙ୍କୁ ନିଜ ମୁତାବକ ପରିଚାଳିତ କରି ବଡ଼ ଅଫିସରପଣିଆର ଦବଦବା ଜାହିର କରି ଏକ ସ୍ୱତନ୍ତ୍ର ମେଳି ବାନ୍ଧିଛନ୍ତି ଏ ବାବୁ ଜଣକ ବୋଲି ସବୁଠି ଚର୍ଚ୍ଚା। ଏ ଚିଠି ହିଁ ଏଭଳି ସନ୍ଦେହକୁ ଅଧିକ ଦୃଢ଼ କରୁଛି। ଜୁନ୍ ୧୭, ୨୦୨୫। ବାଲିପାଟଣା ସବ-ରେଜିଷ୍ଟ୍ରାର ରିଲିଙ୍କ୍ୟୁଇସମେଣ୍ଟ ଡିଡ୍ ନେଇ ଖୋର୍ଦ୍ଧା ଏଡିଏମ ବା ଜିଲ୍ଲା ରେଜିଷ୍ଟ୍ରାର ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ କିଛିଟା କ୍ଲାରିଫିକେସନ ମାଗିଥିଲେ। ଏଭଳି ମାମଲାରେ ଷ୍ଟାମ୍ପ ଡ୍ୟୁଟି ସମସ୍ୟା ସମାଧାନ ପରିପ୍ରେକ୍ଷୀରେ କ୍ଲାରିଫିକେସନ ମାଗିବା ବେଳେ ସେଣ୍ଟ୍ରାଲ ରେଞ୍ଜ ଡେପୁଟି ଆଇଜିଆର ଓ ଦକ୍ଷିଣ ଜୋନ୍ ଡେପୁଟି ଆଇଜିଆର, ରୋଟିଙ୍କୁ ବି ତଳେ କପି ଟୁ ବୋଲି ଲେଖିଥିଲେ। ଏଇଠି ଗଡ଼ବଡ଼ି ଓ ଭିତିରିଆ ମେଣ୍ଟର କାରସାଦି ଜଳଜଳ କରି ଦିଶୁଛି। ବାଲିପାଟଣା ସବ-ରେଜିଷ୍ଟ୍ରାର ତ ସେଣ୍ଟ୍ରାଲ ଜୋନ ଅଧୀନରେ ଯାଉଛନ୍ତି। ପୁଣି କ୍ଲାରିଫିକେସନ ମାଗିବା ବେଳେ ଦକ୍ଷିଣ ଜୋନର ଡେପୁଟି ଆଇଜିଆର ଶ୍ରୀକାନ୍ତ ବେଉରାଙ୍କୁ କାହିଁକି ଦର୍ଶାଇଲେ। ହଁ ଏୟା ବି ହୋଇଥିବ। ଯେହେତୁ ଶ୍ରୀକାନ୍ତ ରୋଟିରେ ଡିପ୍ଲୋଏମେଣ୍ଟ ଅଛନ୍ତି। ଆଉ ରେଭିନ୍ୟୁ ଅଫିସରଙ୍କୁ ଟ୍ରେନିଂ ବି ଦିଅନ୍ତି। ଜୁଲାଇ ୧୪, ୨୦୨୫। ବାଲିପାଟଣା ସବରେଜିଷ୍ଟ୍ରାର ମାଗିଥିବା ପ୍ରଶ୍ନର ଉତ୍ତର ଦେଲେ ଅବଶ୍ୟ ଶ୍ରୀକାନ୍ତ। ଆଇଜିଆରଙ୍କୁ ଆଡ୍ରେସ କରି ଗୋଟି ଗୋଟି କରି ପ୍ରାଞ୍ଜଳ ଭାବେ କଅଣ କରିବାକୁ ପଡ଼ିବ ବୋଲି ଲମ୍ୱା ଉତ୍ତର ବି ଦେଲେ ଶ୍ରୀକାନ୍ତ। ନିଜ ଆଡ଼ୁ ଆଗଭର ହୋଇ ଅନଲାଇନ ରାଜସ୍ୱ ପାଠଶାଳା ସେସନରେ କେମିତି ବିସ୍ତୃତ ତର୍ଜମା ହୁଏ, ତାହାର ବି ନଜିର ଦେଇ ଇଣ୍ଡିଆନ ଷ୍ଟାମ୍ପ ଆକ୍ଟରେ କଅଣ ରହିଛି, ସେ କଥା ବି ଦର୍ଶାଇଥିଲେ। ଆଉ ଆଇଜିଆରଙ୍କୁ ପରାମର୍ଶ ଦେଇଥିଲେ, ଏହି ଅନୁସାରେ ରାଜ୍ୟର ସମସ୍ତ ସବ- ରେଜିଷ୍ଟ୍ରାରଙ୍କୁ ଏ ସନ୍ଦର୍ଭରେ ଉପଯୁକ୍ତ ନିର୍ଦେଶାନାମା ଜାରି ହେଉ। ଆଉ ଅଗଷ୍ଟ ୧୯, ୨୦୨୫। ବାଲିପାଟଣା ସବ-ରେଜିଷ୍ଟ୍ରାର ମାଗିଥିବା କ୍ଲାରିଫିକେସନ ଉପରେ ଶ୍ରୀକାନ୍ତ ବେଉରା ନିଜ ଆଡ଼ୁ ଦେଇଥିବା ବିସ୍ତୃତ ପରାମର୍ଶ ଭରା ଚିଠିକୁ ପ୍ରତ୍ୟାହାର କରିନେଲେ ଆଇଜିଆର। ଆଇଜିଆର ସୁମିତା ସରକାର ସମସ୍ତ ସବ-ରେଜିଷ୍ଟ୍ରାରଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ଶ୍ରୀକାନ୍ତ ଜାରି କରିଥିବା ଚିଠି ପଛରେ ନା ଆଇଜିଆରଙ୍କ ଅନୁମତି ଅଛି ନା ରାଜସ୍ୱ ବିଭାଗର। ଏଭଳି କ୍ଲାରିଫିକେସନ ସବ-ରେଜିଷ୍ଟ୍ରାରଙ୍କ ଭିତରେ ସର୍କୁଲେସନ କରିବାର ଅର୍ଥ ହେଉଛି, ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିବା। କେବଳ ଏତିକି ନୁହେଁ। ଶ୍ରୀକାନ୍ତଙ୍କୁ ବି ତାଗିଦ୍ କରିଛନ୍ତି ଆଇଜିଆର। ଭବିଷ୍ୟତରେ ଏଭଳି କୌଣସି ଚିଠି ବିନା ଆଇଜିଆର୍ ଓ ରାଜ୍ୟ ସରକାରଙ୍କ ଅନୁମତି ବିନା ଜାରି କରିବେନି। କଥା ପଡ଼ିଛି। ତା ହେଲେ ଶ୍ରୀକାନ୍ତଙ୍କ ଭଳି ଅଫିସରଙ୍କ କାମରେ ସରକାର କଅଣ ଅସନ୍ତୁଷ୍ଟ କି। କେତେବେଳେ ଏକ୍ଲପ୍ଲାନେସନ ତ କେତେବଳେ ସେ ଜାରି କରୁଥିବା ଚିଠିକୁ ପ୍ରତ୍ୟାହାର କରିନିଆଯାଉଛି। ସେଥିଲାଗି ସବୁଠି ଚର୍ଚ୍ଚା। ଦକ୍ଷତା ନ ଥାଇ ଅତୀତ ସରକାରରେ ମନ ପସନ୍ଦର ଅଫିସରଙ୍କୁ ବିଭିନ୍ନ ଜାଗାରେ ଥଇଥାନ କରି ସନ୍ତୁଷ୍ଟି କରିବାର ଫର୍ମୁଲାକୁ ଆଉ ସହିବା ମୁଡ଼ରେ ନାହାନ୍ତି କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜ୍ଞାନଗାରିମା ଥାଇ ବି ମୋହନ ସରକାରରେ ଏତେ ନିନ୍ଦା କାହିଁକି ସହୁଛନ୍ତି ଶ୍ରୀକାନ୍ତଙ୍କ ଭଳି ଅଫିସର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ ଏଭଳି ଅଫିସରଙ୍କୁ ଚିହ୍ନଟ କରି କାର୍ଯାନୁଷ୍ଠାନ ଲାଗି ସବୁଜ ସଙ୍କେତ ଦେଇଛନ୍ତି କି। ଲୋକେ ରେଜିଷ୍ଟ୍ରେସନରେ ଏତେ ସମସ୍ୟା ଭୋଗୁଥିଲେ ହେଁ ସବ-ରେଜିଷ୍ଟ୍ରାରଙ୍କୁ ମେଳି କରି କିଛି ଅଧିକାରୀ ନିଜର ଆଧିପତ୍ୟ ଜାହିର କରିବାର ଏହା ପରିଣତି ନୁହେଁ ତ ବୋଲି ଏବେ ସବୁଠି ଚର୍ଚ୍ଚା।
Naxatra News is now on Whatsapp
Join and get latest news update delivered to you via whatsapp
Join Now