ଇଜିପ୍ଟିୟାନ ଶାଗୁଣାଙ୍କ ସୁରକ୍ଷାରେ ବ୍ରତୀ ବିକାଶ ପରିଷଦ

ଗଞ୍ଜାମ: ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକର ଗୋଳନ୍ଥରା ଅଞ୍ଚଳରେ ଇଜିପ୍ଟିୟାନ ଶାଗୁଣା । ଏହି ଶାଗୁଣାର ସୁରକ୍ଷା ନିମନ୍ତେ ଏବେ ଆଗକୁ ଆସିଛି ଆଞ୍ଚଳିକ ବିକାଶ ପରିଷଦ ।ପରିଷଦର କର୍ମକର୍ତ୍ତା ମାନେ ସ୍ଥାନୀୟ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରିବା ସହିତ ଶାଗୁଣା ମାନଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି କ୍ଷେତ୍ରରେ ବନବିଭାଗ କିଭଳି କାମ କରିବ ସେ ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକକୁ ସାକ୍ଷାତ କରି ଏବିଷୟରେ ଆଲୋଚନା କରିଛନ୍ତି ଏବଂ ୬ଟି ବିଷୟକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଲୁପ୍ତ ପ୍ରାୟ ହେଲାଣି ଶାଗୁଣାଙ୍କ ବଂଶ । ଧିରେ ଧିରେ ପ୍ରକୃତିରୁ ବିଭିନ୍ନ ପଶୁପକ୍ଷୀ ଲୋପ ପାଉଥିବାବେଳେ ଅନେକ ପ୍ରଜାତିର ଶାଗୁଣାଙ୍କ ବଂଶ ମଧ୍ୟ ଲୋପ ପାଇଲାଣି । ଏତିକି ବେଳେ ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକର ଗୋଳନ୍ଥରା ଅଞ୍ଚଳରେ ଦେଖିବାକୁ ମିଳିଛି ଇଜିପ୍ଟିୟାନ ଶାଗୁଣା । ଅଞ୍ଚଳରେ ଏପରି ପ୍ରଜାତିର ଶାଗୁଣା ରହିଥିବା ଜାଣି ଆଞ୍ଚଳିକ ବିକାଶ ପରିଷଦ ପ୍ରାୟ ଏକ ମାସ ଧରି ଶାଗୁଣାକୁ ନେଇ ରସିର୍ଚ୍ଚ କରିଥିଲେ । ଏକ ମାସର ଗଣନା ଅନୁସାରେ ଏହି ପ୍ରଜାତିର ଶାଗୁଣାଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ରେ ପହଞ୍ଚିଛି । ଯାହାକି ପରିବେଶ ପାଇଁ ଓ ପ୍ରକୃତି ପାଇଁ ବେଶ ଶୁଭଙ୍କର ବୋଲି କହିଛନ୍ତି ଆଞ୍ଚଳିକ ବିକାଶ ପରିଷଦର ସଭାପତି ।
ଆଞ୍ଚଳିକ ବିକାଶ ପରିଷଦପକ୍ଷରୁ ଶାଗୁଣାଙ୍କ ଉପସ୍ଥିତି ଥିବା ଅଞ୍ଚଳର ଲୋକଙ୍କୁ ଯାଇ ସଚେତନ କରାଇଛନ୍ତି । ଯାହା ଦ୍ୱାରା ଶାଗୁଣାର ସୁରକ୍ଷା ହୋଇପାରିବ । ଇଣ୍ଟରନେଶନାଲ ବାର୍ଡ଼ ଲାଇଫ ଡ଼ାଟା ଜୋନ ଦ୍ବାରା ଜଣାପଡ଼ିଛିଯେ ସାରା ବିଶ୍ବରେ ଇଜିପ୍ଟିୟାନ ଶାଗୁଣା ମାତ୍ର ୬୧୦୦ ରୁ ୯୦୦ ମଧ୍ୟରେ ରହିଛନ୍ତି । ଶାଗୁଣାଙ୍କ ମୁଖ୍ୟ ଖାଦ୍ୟ ମୃତ ପଶୁଙ୍କ ଶବ ହୋଇଥିବାବେଳେ ପଶୁଙ୍କୁ ଦିଆଯାଉଥିବା ଡ଼ାଇକ୍ଲୋଫେନାକ ଟୀକା ଶାଗୁଣାଙ୍କ ପାଇଁ ବିପଦ ସାଜିଛି । ଏନେଇ ଇଜିପ୍ଟିୟାନ ଶାଗୁଣା ଦେଖାଯାଉଥିବା ଅଞ୍ଚଳର ୧୦ କିଲୋମିଟର ପରିଧିକୁ ଶାଗୁଣା ସୁରକ୍ଷା ଅଞ୍ଚଳ ଭାବେ ଘୋଷଣା କରିବା ସହିତ ଏହି ଅଞ୍ଚଳରେ ଡ଼ାଇକ୍ଲୋଫେନାକ ଟୀକା ଦେବା ଉପରେ କଟକଣା ଏବଂ ଏମାନଙ୍କ ସୁରକ୍ଷା ପାଇଁ ଦାବିପତ୍ର ମୁଖ୍ୟ ବନ୍ୟପ୍ରାଣୀ ଓ ବନ ସଂରକ୍ଷକଙ୍କୁ ପ୍ରଦାନ କରାଯାଇଛି । ସେପଟେ ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ସମ୍ପୃକ୍ତ ଅଞ୍ଚଳରେ ଇଜିପ୍ଟିୟାନ ଶାଗୁଣା କେତେ ମାତ୍ରାରେ ରହିଛନ୍ତି ତାହାର ପରିସଂଖ୍ୟନ କରାଯିବ । ପରେ ସେମାନଙ୍କର ସୁରକ୍ଷା ଓ ବଂଶବୃଦ୍ଧି ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ।
ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ