ଚାଷୀଙ୍କୁ ବିହନ, ତଳି, ପନିପରିବା ମଞ୍ଜି ଓ ସାର ଯୋଗାଣ ସୁନିଶ୍ଚିତ କରାଯାଉ

Spread the love

ଭୁବନେଶ୍ୱର : ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ବିଳମ୍ବିତ ହେଲେ ମଧ୍ୟ ଏହି ବର୍ଷା ଚାଷ ଓ ଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । କିନ୍ତୁ ପ୍ରଥମ ଅଷଡା ବର୍ଷାରେ ବହୁ ଚାଷୀ ବୁଣାବୁଣି କରିଥିଲେ ଓ ତଳି ପକାଇଥିଲେ । ପରେ ଖରା ହେବା ଯୋଗୁଁ ସେ ତଳି ସବୁ ମରିଯାଇଥିଲା ଓ ବୁଣାବୁଣି ହୋଇଥିବା ଧାନ ଗଜା ମରୁଡିରେ ନଷ୍ଟ ହୋଇଯାଇଥିଲା । ଏବେ ବହୁ ଚାଷୀଙ୍କ ପାଖରେ ଧାନ ବିହନ ନାହିଁ । ନୂଆ ତଳି ପକାଇ ରୁଆରୁଇ କରିବା ପାଇଁ କିମ୍ବା ବୁଣାବୁଣି କରିବା ପାଇଁ ଚାଷୀର ବିହନ ଦରକାର । ତେଣୁ ସରକାର ଚାଷୀଙ୍କୁ ବିହନ, ପନିପରିବା ମଞ୍ଜି ଓ ସାର ଯୋଗାଣ ସୁନିଶ୍ଚିତ କରବା ପାଇଁ ତୁରନ୍ତ କୃଷି କ୍ୟାବିନେଟ୍ ଡାକିବାକୁ ସମାଜବାଦୀ ପାର୍ଟି ଦାବି କରିଛି ।

ସମାଜବାଦୀ ପାର୍ଟି ରାଜ୍ୟସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ସମବାୟ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇ ଚାଷୀମାନେ କିଭଳି ସୁବିଧାରେ କୃଷିଋଣ ପାଇପାରିବେ ସେ ଦିଗରେ ପଦକ୍ଷେପ ନିଅନ୍ତୁ । କାରଣ ଆଗକୁ ମୌସୁମୀ ଆହୁରି ସକ୍ରିୟ ହେବା ସଙ୍ଗେସଙ୍ଗେ ଲଘୁଚାପ ଯୋଗୁଁ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହୁଛି । ତେଣୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କୁ ଚାଷ ପାଇଁ ଆବଶ୍ୟକ ହେଉଥିବା ଏହିସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ କୃଷିଋଣ ସହଜ ଓ ଶସ୍ତାରେ ଯୋଗାଇଦେବାକୁ ବେହେରା ଦାବି କରିଛନ୍ତି । ପ୍ରତି ସପ୍ତାହରେ ଜିଲ୍ଲାସ୍ତରରେ କିଭଳି ଭାବରେ ଚାଷୀଙ୍କୁ ବିହନ, ସାର ଓ କୃଷିଋଣ ଦିଆଯାଉଛି, ତାହାର ମଧ୍ୟ ସମୀକ୍ଷା ହେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *