ଓଡ଼ିଶା

କେନାଲ୍ ପାଖରେ ଜମି ଥାଇ ଜମିରେ ମାଡୁନି ପାଣି

କେନ୍ଦୁଝର: ଧାନ ଅମଳକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଚାଷ ଜମି ଫାଟି ଆଁ କରିଛି। ଗତବର୍ଷ ଠାରୁ ଚଳିତ ବର୍ଷ ଭଲ ଧାନ ହେବା ସହ ଭଲ ଅମଳର ଆଶା ରଖିଥିଲା ଚାଷୀ । ହେଲେ ଏବେ କିଭଳି ଧାନ ଅମଳ କରିବ, ସେନେଇ ଚିନ୍ତାରେ ଚାଷୀ । କେନାଲରୁ ଯଥାଶୀଘ୍ର ପାଣି ଯୋଗାଇବାକୁ ଚାଷୀ ଦାବି କରିଥିବା ବେଳେ, ସମସ୍ୟାର ସମାଧାନ ପାଇଁ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ବରମାଳ ମୌଜାରେ ହେକ୍ଟର ହେକ୍ଟର ଚାଷ ଜମିରେ ଧାନଚାଷ ହୋଇଛି । ଗତବର୍ଷ ଠାରୁ ଚଳିତ ବର୍ଷ ଭଲ ଚାଷ ହୋଇଥିବାବେଳେ, ଏବେ ଧାନ ଅମଳକୁ  ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ନିକଟରେ ରେମାଳ କେନାଲ୍ ଥାଇ ସୁଦ୍ଧା ଜମିରେ ପାଣି ମାଡୁ ନଥିବାରୁ ଚାଷ ଜମି ଫାଟି ଗଲାଣି । ଏଭଳି ସ୍ଥିତି ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । କିଛି ଚାଷୀ ଏବେ ପାଣି ମଡାଇବାକୁ ଚେଷ୍ଟା କରୁଥିବା ବେଳେ, ତାହା ସମୁଦ୍ରକୁ ସଂଖେ ଭଳି ହୋଇଛି ।

୨୫କିଲୋମିଟର ପରିଧିରେ ୫ଟି ପଞ୍ଚାୟତ ଚାଷୀଙ୍କର ୪ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଚାଷଜମିରେ ଜଳସେଚନ ପାଇଁ ୧୯୮୦ରେ ଆରମ୍ଭ ହୋଇଥିଲା ରେମାଳ ମେଗା ନଦୀବନ୍ଧ ଯୋଜନା । ହେଲେ, ରକ୍ଷଣାବେକ୍ଷଣ ଅଭାବରୁ କେନାଲର ଅନେକ ସ୍ଥାନରେ ପାଣି ମାଡୁନଥିବା ଅଭିଯୋଗ ହେଉଛି । କେବଳ ବରମାଳ ମୌଜା ନୁହେଁ, କେନାଲରେ ପାଣି ମାଡୁନଥିବାରୁ ଏବେ ତୁଳସୀପୁର, ଧଳିଆପଶି ମୌଜାର ଶତାଧିକ ଚାଷୀଙ୍କର ଧାନଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ବିଭାଗୀୟ ଅଧିକାରୀଙ୍କୁ ଅବଗତ କରି ସମସ୍ୟାର ସମାଧାନ କରିବା ନେଇ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେଶଦୁରାପାଳ ସରପଞ୍ଚ ।

କେନାଲ୍ ପାଖରେ ଥାଇ ସୁଦ୍ଧା ଧାନ ଫସଲ ଅମଳ ସମୟରେ ପାଣି ଅଭାବରୁ ଧାନ ଜମି ଫାଟି ଆଁ କରିବା ଚାଷୀଙ୍କ ଦୁଃଖ ବଢାଇ ଦେଇଛି । ଯଥାଶୀଘ୍ର ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ଦାବି ହୋଇଛି ।

ଅମୂଲ୍ୟ କୁମାର ଜେନାଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button