ସାର ସଙ୍କଟକୁ ନେଇ ଆଜି ଚାଲିପାରିଲାନି ବିଧାନସଭା। ମାତ୍ର ୪ ମିନିଟ୍ ଚାଲିଲା। ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ସବୁ ବାଏଁ ବାଏଁ ଉଡ଼ିଗଲା। ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବକୁ ନେଇ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ବିରୋଧୀ। ଚାଷୀ ମାରଣନୀତି ଚଳିବନି କହି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ଲାଗି ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୪ଟା ଯାଏ ମୁଲତବୀ କରିଦେଇଥିଲେ। ସାର ଯଥେଷ୍ଟ ମହଜୁଦ୍ ଅଛି ବୋଲି ବାହାସ୍ପୋଟ ମାରୁଛନ୍ତି ସରକାର। କିନ୍ତୁ ସାର ଦେଇପାରୁନାହାନ୍ତି। ଚାଷୀ କେଉଁଠି ଆଧାରକୁ ଲାଇନରେ ଲଗାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛି ତ କେଉଁଠି ରାସ୍ତାରୋକ କରୁଛି। ସାରର କଳାବଜାରୀ ଲାଗି ଚାଷୀ ସାର ପାଉନି। କଳାବଜାରୀରେ ଚଢ଼ା ଦରରେ ସାର କିଣିବାକୁ ଚାଷୀକୁ ବାଧ୍ୟ କରିଦିଆଯାଉଛି। ଡିଲରଙ୍କ ସହ ମଧୁଚନ୍ଦ୍ରିକାରୁ ଦୁର୍ଦ୍ଦଶା ଭୋଗୁଛି ଚାଷୀ। ପ୍ରଶ୍ନକାଳ ବାତିଲ୍ କରି ସାର ସମସ୍ୟା ବାବଦରେ ଆଲୋଚନା ଲାଗି ଅଡ଼ି ବସିଥିଲା ବିଜେଡି। ସାର ପ୍ରସଙ୍ଗରେ କଂଗ୍ରେସ ବି ମୁଲତବୀ ପ୍ରସ୍ତାବ ଦେଇଥିଲା। ରାଜ୍ୟରେ ଚାଷୀ ହନ୍ତସନ୍ତ, ରାଜ୍ୟ ସରକାର ଚୁପ୍। ସାର କଳାବଜାରୀରେ ଦଲାଲ୍ ମାଲେମାଲ ଅଭିଯୋଗ କରି ମୁଲତବୀ ନୋଟିସ୍ ଦେଇଥିଲା କଂଗ୍ରେସ। ସାର ସଙ୍କଟକୁ ନେଇ ଗୁରୁବାର କିଷାନ କଂଗ୍ରେସ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ବେଳେ ସାର ସଙ୍କଟକୁ ନେଇ ଗଲା ସୋମବାର ରାଜଭବନ ଆଗରେ ବିକ୍ଷୋଭ କରିଥିଲା ବିଜେଡି। ଚାଷୀ ଓ ସାର ସମସ୍ୟା ଆଲୋଚନା ନ ହେଲେ ଗୃହକୁ ଚଳାଇଦେବୁନି ବୋଲି ଚେତାବନୀ ଦେଇଛନ୍ତି ଉଭୟ ବିରୋଧୀ ଦଳ। ସାର ସମସ୍ୟାର ସ୍ପଷ୍ଟିକରଣ ଦିଅନ୍ତୁ ସରକାର। ସେପଟେ ଶାସକ ଦଳ କହିଛି, ସାର ସଙ୍କଟ ବାବଦରେ ସରକାର ବେଶ୍ ଅବଗତ। କଳାବଜାରୀ ରୋକିବାକୁ ସରକାର ବିଭିନ୍ନ ସ୍ଥାନରେ ରେଡ୍ କରି ଆବଶ୍ୟକୀୟ ଆକ୍ସନ ନେଉଛନ୍ତି। ସାର କେମିତି ଚାଷୀଙ୍କ ପାଖରେ ପହଞ୍ଚିବ ସେ ନେଇ ସରକାର ଯତ୍ନବାନ୍। କିନ୍ତୁ ଚାଷୀଙ୍କ ଆଳରେ ବିରୋଧୀ ଗୃହକୁ ନ ଚଳାଇଦେବାର ଯେଉଁ ପଲିଟିକାଲ ଏଜେଣ୍ଡା ଧରି ଆସିଲେ, ତାହା ରାଜ୍ୟବାସୀ ଦେଖିଲେ। ପ୍ରଶ୍ନକାଳ ଓ ଶୂନ୍ୟକାଳ ପରେ ମୁଲତବୀ ପ୍ରସ୍ତାବରେ ସାର ସଙ୍କଟକୁ ନେଇ ଆଲୋଚନା ହୋଇପାରିଥାଆନ୍ତା। କିନ୍ତୁ କଂଗ୍ରେସ କାଳେ ମାଇଲେଜ୍ ନେଇଯିବ, ସେଥିଲାଗି ବିଜେଡି ଏହାକୁ ଭଣ୍ଡୁର କରିବାକୁ ଚକ୍ରାନ୍ତ କଲା। ଆଉ ଉଭୟ ଦଳର ମିଳିତ ଷଡ଼ଯନ୍ତ୍ରରେ ଗୃହକୁ ବନ୍ଦ କରିବାକୁ ମସୁଧା ହୋଇଛି। ଜନତା ଓ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କେବଳ ପଲିଟିକାଲ ଷ୍ଟଣ୍ଟ। ସାର ସଙ୍କଟକୁ ନେଇ ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ଚାଲିପାରିଲାନି। ସାର ସମସ୍ୟା ଉତ୍କଟ ହେତୁ ଚାଷୀର ଦୁର୍ଦଶା ନିଇତି ସାମ୍ନାକୁ ଆସୁଥିଲା ବେଳେ ସରକାରଙ୍କ କିନ୍ତୁ କହିବା କଥା, ସାର ଯଥେଷ୍ଟ ମହଜୁଦ୍ ଅଛି। ଆଉ ଗ୍ରାଉଣ୍ଡର ବାସ୍ତବତା ଓ ସରକାରଙ୍କ ମନ୍ତବ୍ୟ ଭିତରେ କେତେ ତଫାତ, ତାକୁ ଦର୍ଶାଇବାକୁ ଅଡ଼ି ବସିଛନ୍ତି ବିରୋଧୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now