ଅପରାଧଓଡ଼ିଶା

ରହସ୍ୟ ଘେରରେ ଗୁଳିକାଣ୍ଡ

() ପୁଲିସ ଗୁଳିରେ ଚାଲିଗଲେ ମନ୍ତ୍ରୀ। ଓଡ଼ିଶା ଇତିହାସରେ ଏହା ପ୍ରଥମ। ଯିଏ ସୁରକ୍ଷା ଦାୟିତ୍ୱରେ ଥିଲା, ସେ ହିଁ ହତ୍ୟା କଲା। ତା ପୁଣି ଦିବାଲୋକରେ। ସର୍ବସମ୍ମୁଖରେ। ଏହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲାଣି କଂଗ୍ରେସ। ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଆଉ ଶାସକ ଦଳ କହିଛି, ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ଯାଏ ଅପେକ୍ଷା କରନ୍ତୁ।

ରହସ୍ୟ ଘେରରେ ପୁରା ଗୁଳିକାଣ୍ଡ। ଏଏସଆଇ ଗୋପାଳ କାହିଁକି ଗୁଳି କଲେ ମନ୍ତ୍ରୀଙ୍କୁ। ହତ୍ୟା ଉଦ୍ଦେଶ୍ୟରେ ତ ନିଶ୍ଚିତ। କିନ୍ତୁ ଏହା ପଛର କାରଣ କଅଣ। ସୁନ୍ଦରଗଡ଼ ରିଜର୍ଭ ବାରାକରେ ରଖି ଅଭିଯୁକ୍ତ ଗୋପାଳଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ହସ୍ପିଟାଲରେ ବିଳମ୍ୱିତ ରାତିରେ ଶବ ବ୍ୟବଛେଦ ସରିଛି। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ବି ହୋଇଛି। ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। କିନ୍ତୁ ସମସ୍ତଙ୍କର ଗୋଟିଏ କଥା, ନବ ଆଉ ନାହାନ୍ତି ସତ। କିନ୍ତୁ ତାଙ୍କୁ ଏଭଳି ଦିବାଲୋକରେ ମାରିଲେ କାହିଁକି ଗୋପାଳ। ସେ ପ୍ରଶ୍ନ ଅଧିକ ଆନ୍ଦୋଳିତ କରୁଛି। ଆଉ ଏହାକୁ ନେଇ ରାଜନୀତିକ କମ୍ପନ ତେଜିଛି। ଯଦି ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକ କେତେ ଦୂର ସୁରକ୍ଷିତ।

ମନ୍ତ୍ରୀଙ୍କୁ ପୁଲିସ ମାରିଥିଲା ବେଳେ ପୁଲିସ କେମିତି ତଦନ୍ତ କରୁଛି ବୋଲି ପଚାରିଛି କଂଗ୍ରେସ। ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହି ଗୃହ ବିଭାଗର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ। ଘଟଣା ପଛରେ ଷଡ଼ଯନ୍ତ୍ରର ସନ୍ଦେହ କରିଛି କଂଗ୍ରେସ। ଆଉ ବିଜେପି କହିଛି, ଏହାର ସିବିଆଇ ତଦନ୍ତ ହେଉ। ପୁଲିସକୁ ପାଗଳ ସଜାଇ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ହତ୍ୟାକୁ ଚପାଇଦେବାକୁ ଉଦ୍ୟମ ହେଉଛି।   କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଉପରେ ଭରସା ନାହିଁ। କାରଣ ସେ ବିଜେଡି କର୍ମୀଙ୍କ ଭଳି କାମ କରନ୍ତି। ଆଉ ବିଜେଡି କହୁଛି, ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। ତଦନ୍ତ ଶେଷ ଯାଏ ବିରୋଧୀ ଅପେକ୍ଷା କରନ୍ତୁ। ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ରାଜନୀତି ଶୋଭା ପାଉନି।

ଖେରୁଆଲରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ଅକାଳ ବିୟୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ସମସ୍ତଙ୍କ ଆଖି ଗୋଟିଏ ଜାଗାରେ। କାହିଁକି ଗୋପାଳ ମାରିଲେ। ପୁରା ପ୍ରକରଣ ପଛର କାରଣ କଅଣ। ନବଙ୍କ ଭଳି ନେତାଙ୍କୁ ଅନୁଗତ ଝୁରୁଛନ୍ତି। ଦକ୍ଷ ସଂଗଠକ, ମେଳାପୀ ଥିବାରୁ ତାଙ୍କ ଭଳି ନେତାଙ୍କ ଦକ୍ଷତାକୁ ନେଇ ବିରୋଧୀ ବି ଝୁରୁଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଦୋଷୀ ଦଣ୍ଡ ପାଉ। କିନ୍ତୁ କାହିଁକି ଏମିତି ଗୋପାଳ କଲେ, ସେ କଥାର ସ୍ପଷ୍ଟତା ପଦାକୁ ଆସୁ।

କର୍ମଭୂମିରେ ନବ ଦାସଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। କ୍ରାଇମବ୍ରାଞ୍ଚ ଗୋପାଳଙ୍କ ମୁହଁରୁ କାରଣ ବାହାର କରିବାକୁ ଜେରା କରୁଛି। ହେଲେ କାରଣ ପଦାକୁ ନ ଆସିଲା ଯାଏ, ଏହି ଅଘଟଣର ଏପିସୋଡକୁ ନେଇ ଅନେକ ମନଗଢ଼ା, ଗୁଜବ ଖବର ବି ମନକୁ ଆନ୍ଦୋଳିତ କରୁଥିବ।

ଝାରସୁଗୁଡ଼ାରୁ ସନ୍ତୋଷ ମିଶ୍ରଙ୍କ ସହ ଭୁବନେଶ୍ୱରରୁ ନବକିଶୋର ସାହୁଙ୍କ ରିପୋର୍ଟ,

Leave a Reply

Your email address will not be published.

Back to top button