ଓଡ଼ିଶା

ରାଜଧାନୀ ଉପାନ୍ତରେ ବନ୍ୟା, ପାଣି ଘେରରେ ଲୋକେ

ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷାର କରାଳ ରୂପ ଏବେ ରାଜ୍ୟ ଦେଖୁଛି। ରାଜ୍ୟର ପ୍ରାୟତଃ ୧୨ଟି ଜିଲ୍ଲାରେ ବନ୍ୟା ଜଳ। ବନ୍ୟା ଜଳରେ ଉବୁଟୁବୁ ଘର, ବାଡି, ସ୍କୁଲ, କଲେଜ, ମନ୍ଦିର। ତେବେ ଏହି ସ୍ଥିତି ଖାଲି ଗାଁ ଗହଳିର ନୁହେଁ। ଚଳିତ ବର୍ଷ ବନ୍ୟା  ପାଣିରେ ଉବୁ ଟୁବୁ ହେଲାଣି ଭୁବନେଶ୍ବରର ଦୟାନଦୀ ଇଲାକା।

ଦୟା ନଦୀରେ ବନ୍ୟା ଜଳ ଆସିବାରୁ ଭୟଭୀତ ଦୟାନଦୀ ପଠାରେ ରହୁଥିବା ଜନସାଧାରଣ l ଦୟାନଦୀ କୂଳରେ ଥିବା ମନ୍ଦିର ଅଧା ବୁଡ଼ିଯାଇଛି। ନଦୀବନ୍ଧରେ ଘଳିଆ ପଡି ଘାଇ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଘଳିଆ ହୋଇଥିବା ବହୁ ସ୍ଥାନରେ ବାଲିବସ୍ତା ଦିଆଯାଉଛି। ସେପଟେ ସୁନ୍ଦରପଦା ଅଞ୍ଚଳରେ ସାମାନ୍ୟତମ ପାଣି କମିଥିବା ବେଳେ, ପୁଣି ଆଜି ରାତି ସୁଦ୍ଧାରେ ପାଣି ବଢିବା ଆଶଙ୍କାକୁ ନେଇ ଚିନ୍ତାରେ ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଲୋକେ l

ସେପଟେ ଆଜି ମଧ୍ୟ ଭୁବନେଶ୍ୱର ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପାଞ୍ଚଗାଁ ଅଞ୍ଚଳର ବହୁତ ସାହି ଜଳବନ୍ଦୀ ଅବସ୍ଥାରେ ଅଛି। ଏହି ଅଞ୍ଚଳର ପରିବା ଓ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ସେପଟେ ଅଞ୍ଚଳରେ କୌଣସି ଜନପ୍ରତିନିଧି ବା ପ୍ରଶାସନ ପହଞ୍ଚି ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ସେହିପରି କଟକର ତଳି ଅଞ୍ଚଳରେ ପାଣି ମହାନଦୀ ପାଣି ପସିଯାଇଛି। ଅନେକଙ୍କ ଘରେ ଲହଡି ମାରୁଛି। ଏହାକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ ଲୋକେ ଘର ଛାଡିବାକୁ ଅରାଜି ହେଉଛନ୍ତି।

Leave a Reply

Your email address will not be published.

Back to top button