ବିପଦସଂକେତ ଉପରେ ପାଇକା ନଦୀ

ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ଓ ଏହାର ଶାଖା ପାଇକା ନଦୀର ବନ୍ୟାଜଳ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ମହାନଦୀ ଓ ଏହାର ଶାଖା ପାଇକା ନଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। କୋଲର ରାସ୍ତା ଉପରେ ଚାରିଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ତିର୍ତ୍ତୋଲରୁ ତାରତୋଲ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ରାସ୍ତା ଦେଇ ଯାତାୟାତକୁ ବାରଣ କରାଯାଇଛି। ତିର୍ତ୍ତୋଲ ଧୋୟା ଅଞ୍ଚଳ ଓ କେନ୍ଦ୍ରାପଡା ଜିଲ୍ଲାକୁ ଯାତାୟାତ କରୁଥିବା ଯାତ୍ରୀବାହୀ ଯାନ ଗୁଡିକ ରାହାମା-ଖୋସାଲପୁର-ତାରତୋଲ ଦେଇ ଯାତାୟାତ କରୁଛି। ସେହିପରି ଏହାକୁ ସଂଯୋଗ କରୁଥିବା କୁଜଙ୍ଗ ବ୍ଲକର ତିନୋଟି ପଞ୍ଚାୟତ ବଡବାଲିକଣି, କାଠକୋଟ ଓ ହଂସୁରା ପଞ୍ଚାୟତରେ ବନ୍ୟା ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କୋଲର ପଞ୍ଚାୟତ ଗୋପିଆକୂଦ ଗ୍ରାମର୧୫୦ପରିବାର ବନ୍ୟାଜଳ ଘେରରେ ରହିଛନ୍ତି। ତରଜଙ୍ଗା ପଞ୍ଚାୟତ କୋଟକଣା ଠାରୁ ମଣିଜଙ୍ଗା ପଞ୍ଚାୟତ ମଣିଜଙ୍ଗା ପାଳନ୍ଦା ପର୍ଯ୍ୟନ୍ତ ମହାନଦୀ ପଠାରେ ବସବାସ କରୁଥିବା ଓ ଏଠାରେ ଥିବା ଇଟାଭାଟି ଗୁଡିକରେ କାମ କରୁଥିବା ଶ୍ରମିକ ପରିବାରକୁ ମିଶାଇ ପାଖାପାଖି ସାତ ଶହରୁ ଉର୍ଦ୍ଧ ଲୋକ ଓ ସେମାନଙ୍କ ଗୃହପାଳିତ ପଶୁ ତାଳଦଣ୍ଡା କେନାଲବନ୍ଧ ଓ ବିଦ୍ୟାଳୟ ମାନଙ୍କରେ ଆଶ୍ରୟ ନେଇଛନ୍ତି। ପାଇକା ନଦୀ ବନ୍ୟାଜଳ ପ୍ରଭାବରେ ସାମନ୍ତରାପୁର ପଞ୍ଚାୟତ ଅନୁପଲ୍ଲା ଗ୍ରାମର ୨୦ରୁ ଉର୍ଦ୍ଧ ପରିବାର ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ମହାନଦୀ ବନ୍ୟାଜଳରେ ଗୋପିଆକୂଦ ଓ ଆଖପାଖ ନଦୀପଠାରେ କେତେକ ଲୋକ ରହିଯାଇଥିବା ବେଳେ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବନ୍ୟା ବିପନ୍ନମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ସହ ଗୃହପାଳିତ ପଶୁମାନଙ୍କ ପାଇଁ ଔଷଧ ଦାନା ଯୋଗାଇଦେବାର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆହୁରି କିଛି ଘଣ୍ଟା ଧରି ବନ୍ୟା ପରିସ୍ଥିତି ତିର୍ତ୍ତୋଲ ଅଞ୍ଚଳରେ ସମ୍ବେଦନଶୀଳ ରହିବ ବୋଲି କୁହାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *