ପାରାଦୀପ ବନ୍ଦରରେ ପୁଷ୍ପ ପ୍ରଦର୍ଶନୀ

() ଫୁଲ କେବେ ପୂଜାରେ ଲାଗେ ତ କେବେ ପ୍ରେମରେ । ବାସ୍ତବିକ ଫୁଲର ସମ୍ଭାର ଦେଖିଲେ ମନ ଆନମନା ହୋଇଯାଏ । ଦୁଃଖୀ ମଣିଷର ମନ ରେ କ୍ଷଣିକ ପାଇଁ ହେଉ ପଛେ ଭରି ଦେଇଥାଏ ଏକ ଅପରୂପ ଖୁସିର ସମ୍ଭାର। ପରିବେଶ, ମନ, ଓ ଆଖି ପଲକକୁ ମସଗୁଲ କରୁଥିବା ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲକୁ ନେଇ ପାରାଦୀପ ବନ୍ଦର କରୁଛି ପୁଷ୍ପ ପ୍ରଦର୍ଶନୀ।
ବନ୍ଦର ନଗରୀ ପାରାଦୀପ। କଳକାରଖାନାର କେଁ କଟର ଶଦ୍ଦ ସାଙ୍ଗକୁ ପରିବେଶ ପ୍ରଦୂଷଣ ସମସ୍ତଙ୍କୁ ଚକିତ କରିଥିଲା ବେଳେ ଏହି ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ କିଭଳି ଫୁଲ ର ସମ୍ଭାର ଦେଖିବାକୁ ମିଳେ , ତାହା ପ୍ରମାଣ କରିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ଧୂଳି ଧୂଆଁ ର ଆସ୍ତରଣ ଭିତରେ ନାଲି ନେଳି ଫୁଲ ର ଝଲକ୍ ଦେଖିବାକୁ ମିଳିଛି ପାରାଦୀପ ଅଫିସର କ୍ଲବ ପରିସର ରେ। ଦିର୍ଘ ୩୭ ବର୍ଷ ହେବ ବନ୍ଦର କର୍ତ୍ତୃପକ୍ଷ ଏକ ନିଆରା ପୁଷ୍ପ ପ୍ରଦର୍ଶନୀ କରି ଆସୁଛନ୍ତି।
ହେନା, ଜୁଇ, ଯାଇ, ମଲ୍ଲି, ଡାଲିଆ ଠାରୁ ଆରମ୍ଭ କରି ଅନେକ ପ୍ରଜାତିର ଫୁଲ ସାଙ୍ଗକୁ ପନିପରିବା ଓ ବିଭିନ୍ନ ସୌଖୀନ ଗଛ ଏହି ପ୍ରଦର୍ଶନୀ ରେ ସ୍ଥାନିତ ହୋଇଛି। ବନ୍ଦର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବନ୍ଦର ବାସିନ୍ଦା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଯୋଗ୍ୟ ବିବେଚିତ ମାନଙ୍କୁ ବନ୍ଦର ଅଧ୍ୟକ୍ଷ ପୁରସ୍କୃତ ମଧ୍ୟ କରିଥିଲେ। ବନ୍ଦର ନଗରୀ ର ପ୍ରଦୂଷଣ କୁ ନେଇ ନିରୁତ୍ସାହିତ ନହୋଇ ପ୍ରତିକୂଳ ପରିସ୍ଥିତିରେ ନିଜ ବାଡି ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଫୁଟାଇବା ଓ ପରିବେଶ କୁ ସନ୍ତୁଳନ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ପ୍ରତିବର୍ଷ କରାଯାଉଛି।
ବନ୍ଦର କର୍ତ୍ତୁପକ୍ଷଙ୍କ ଏହି ଭିନ୍ନ ପ୍ରୟାସ ବାସ୍ତବିକ୍ କବି, ଭାବୁକ ଓ ଦେଖେଣାହାରୀଙ୍କୁ ବେଶ୍ ଉତ୍ସାହିତ କରିବ ନିଶ୍ଚୟ।
ପାରାଦୀପରୁ ସୁବ୍ରତ ନାୟକଙ୍କ ରିପୋର୍ଟ