ଓଡ଼ିଶା

ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବେକାର ଯୁବକଯୁବତୀଙ୍କୁ ଚାକିରି ଦେଇ ଗ୍ରାମାଞ୍ଚଳରେ ପିଲାଙ୍କୁ ଛାତ୍ରବୃତି ଏବଂ ସୋଲାର ଲାଇଟ ଯୋଗାଣ ଆଳରେ ବଡଧରଣର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ବାସ୍ତବ ଇଣ୍ଡିଆ ଟ୍ରଷ୍ଟ ନାମକ ଏକ ଠକ ସଂସ୍ଥା ବିରୋଧରେ । ଯିଏ କି ୩ ମାସ ମଧ୍ୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଧରି ଚମ୍ପଟ ମାରିଥିବା କୁହାଯାଉଛି। ଯାହାକୁ ନେଇ ହରଡ଼ଘଣାରେ ପଡିଛନ୍ତି ଠକ ସଂସ୍ଥାର ସ୍ଥାନୀୟ କର୍ମଚାରୀ ମାନେ। ସଂସ୍ଥା ଠକ ବୋଲି ଜାଣିବା ପରେ କର୍ମଚାରୀ ମାନେ ଯାଇ ପହଁଚିଛନ୍ତି EOW ନିକଟରେ। EOW ଏବେ ଘଟଣାର  ଖୋଡ଼ତାଳ  ଆରମ୍ଭ କରିଛି ।

ପ୍ରଥମେ ଚାକିରି ଦେବାର ପ୍ରଲୋଭନ ଦେଖାଇ ବେକାର ଯୁବକ ଯୁବତୀଙ୍କ ଠାରୁ ନିଯୁକ୍ତି ବାବଦକୁ ୫ ହଜାର ୫ ଶହ ଟଙ୍କା ଡିପୋଜିଟ ନେଇଥିଲା ସଂସ୍ଥା। ପରେ ସେହିମାନଙ୍କ ଦ୍ୱାରା ଠକ ବେପାର କରି ଲକ୍ଷ ଲକ୍ଷ ଲୁଟ କରିଛି ଦିଲ୍ଲୀ ର ବାସ୍ତବ ଇଣ୍ଡିଆ ଟ୍ରଷ୍ଟ ନାମକ ଏକ ଠକ ସଂସ୍ଥା । ଜିଲ୍ଲାର କିଛି ଶିକ୍ଷିତ ବେକାର ଯୁବକ,ଯୁବତୀ ମାନଙ୍କୁ ଭଲ ଅଙ୍କର ଦରମା ଦିଆଯିବ ବୋଲି ପ୍ରଲୋଭନ ଦେଖାଇ ଜିଲ୍ଲା ସଂଯୋଜକ ସହ ୯ ଟି ବ୍ଲକ ଓ ୧୩୦ ଟି ପଞ୍ଚାୟତରେ ୧୪୦ ଜଣଙ୍କୁ ନିଯୁକ୍ତି ଦେଇଥିଲା। ସରକାରୀ ଯୋଜନାରେ ସୋଲାର ଲାଇଟ, ବ୍ୟାଟେରୀ, ପ୍ଲେଟ ଦିଆଯିବ ଆଉ ଏଥିପାଇଁ ଲୋକଙ୍କ ଠାରୁ ପଞ୍ଜିକରଣ ପାଇଁ ଅଗ୍ରୀମ ୧୬୫୦ ଟଙ୍କା ଆଦାୟ କରିବା ପାଇଁ ଦାୟିତ୍ୱ ଦେଇଥିଲା। କିଛି ଲୋକ ନାମ ପଞ୍ଜିକରଣ ପାଇଁ ଅଗ୍ରୀମ ଟଙ୍କା ପୈଠ କରିଥିଲେ।

କିନ୍ତୁ ଏଥିରୁ କମ୍ପାନୀକୁ ବିଶେଷ ଲାଭ ନମିଳିବାରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୧ ହଜାର ଟଙ୍କା ଛାତ୍ରବୃତି ୨୪ ମାସ ପର୍ଯ୍ୟନ୍ତ ଦିଆଯିବ ବୋଲି ନୂଆ ଘୋଷଣା କଲା। ପ୍ରତି ଛାତ୍ରଛାତ୍ରୀଙ୍କ ପିଛା ୩ ହଜାର ଟଙ୍କା ଆଦାୟ କରିବାର ଦାୟିତ୍ୱ ସଂଯୋଜକ ମାନଙ୍କୁ ଦିଆଗଲା। ଅଗଷ୍ଟ ମାସ ପ୍ରଥମ ପର୍ଯ୍ୟାୟରେ ୧୫୩ ଜଣ ଅଭିଭାବକଙ୍କ ଠାରୁ ୩ ହଜାର ଲେଖାଏଁ ଆଦାୟ କରାଯାଇଥିଲା । ଏବଂ ସେହି ଛାତ୍ରଛାତ୍ରୀଙ୍କୁ ପ୍ରଥମ ମାସର ୧ ହଜାର ଟଙ୍କା ବୃତ୍ତି ଦେଇଥିଲା ସଂସ୍ଥା । ଏଥିସହ ସଂଯୋଜକମାନେ ତାଙ୍କ ଦରମା ପାଇଥିଲେ। ଯାହା ଫଳରେ ସଂସ୍ଥା ପ୍ରତି ବିଶ୍ୱାସ ବଢିଥିଲା ଏବଂ ୯ ଶହରୁ ଊର୍ଦ୍ଧ୍ବ ଅଭିଭାବକ ଛାତ୍ରବୃତି ଯୋଜନାରେ ଟଙ୍କା ନିବେଶ କରିଥିଲେ। କିନ୍ତୁ ପରେ ଠିକ୍ ଚିଟ ଫଣ୍ଡ ସଂସ୍ଥା ଭଳି ଅଫିସରେ ତାଲା ଝୁଲାଇ,ଫୋନ ସ୍ୱିଚ ଅଫ୍ କରି ଅଧିକାରୀ ଫେରାର ହୋଇଗଲେ। ସ୍ଥାନୀୟ କର୍ମଚାରୀ ଥାନାରେ ଏତେଲା ଦେବାରୁ ପୋଲିସ EOW ନିକଟକୁ ମାମଲା ପଠାଇଥିଲା ।

ଜିଲ୍ଲାର ୯ ଟି ବ୍ଲକର ୧୩୦ ଗରିବ ଖଟିଖିଆ ପଞ୍ଚାୟତବାସୀଙ୍କଠାରୁ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ସଂସ୍ଥା ଛୁ ମାରିବା ପରେ ସଂଯୋଜକ ମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।  ଜିଲ୍ଲା ସଂଯୋଜକ ଏବଂ ବ୍ଲକ ସଂଯୋଜକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । କିନ୍ତୁ ପୂର୍ବରୁ Eow ରେ ଏତଲା ହୋଇଥିବାରୁ ପୋଲିସ ଏଥିରେ ହସ୍ତକ୍ଷେପ ପାଇଁ ମନା କରିଛି । ତେବେ ସଂସ୍ଥାର ଠକାମୀର ଶିକାର କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ ସୁନ୍ଦରଗଡ଼,ବରଗଡ଼,ଭଦ୍ରକ, ବାଲେଶ୍ବର, କନ୍ଧମାଳ, କେଉଁଝର ଆଦି ଜିଲ୍ଲାବାସୀ ମଧ୍ୟ ହୋଇଛନ୍ତି। ଓଡ଼ିଶାରୁ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡପ ହୋଇଥିବା ନେଇ ସୂଚନା ମିଳିଛି ଯାହା ତଦନ୍ତ ପରେ ଅଧିକ ସ୍ପଷ୍ଟ ହୋଇପାରେ ବୋଲି ସୂଚନା ମିଳିଛି ।

ଚିଟଫଣ୍ଡ ଠକେଇର ତଦନ୍ତ ଏଯାଏଁ ସରି ନଥିବାବେଳେ ପୁଣି ଏକ ଠକ ସଂସ୍ଥା ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡ଼ପ କରୁଛି । କିନ୍ତୁ ସରକାରଙ୍କ ନିକଟରେ ଏହାର ଖୋଜ ଖବର ନାହିଁ । ଅନ୍ୟପଟେ ସ୍ଥାନୀୟ ଯୁବକଯୁବତୀଙ୍କୁ ଚାକିରି ନାଁରେ ଠକିବା ମଧ୍ୟ ଏଭଳି ସଂସ୍ଥାଙ୍କ ଚିରାଚରିତ ଅଭ୍ୟାସ ହୋଇଛି । ସେଭଳି ସଂସ୍ଥା ନାଁରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ରବି ପଟ୍ଟନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button