ଓଡ଼ିଶାଶିକ୍ଷା/ଗବେଷଣା

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣାରେ ୱାଇଫାଇ ଓ ୧ ଜିବି ଡାଟା, ପଛୁଆ ବ୍ଲକ୍ ରେ ପ୍ରତିଷ୍ଠା ହେବ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ମାଗଣାରେ ୱାଇଫାଇ ଓ ୧ ଜିବି ଡାଟା ମିଳିବ । ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ ଓ ୟୁନିଭର୍ସିଟି ଛାତ୍ରଛାତ୍ରୀ ଏହାଦ୍ୱାରା ଲାଭବାନ ହେବେ । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଆଜି ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଉଚ୍ଚଶିକ୍ଷା ବିଭାଗର ବିଗତ ଚାରି ବର୍ଷରେ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟର ବୈଷୟିକ ଅନୁଷ୍ଠାନ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ମାଗଣା ୱାଇଫାଇର ସୁବିଧା ଅଛି । ଛାତ୍ରଛାତ୍ରୀମାନଙ୍କୁ ମାଗଣା ୧ ଜିବି ଡାଟା ଯୋଗାଇଦେବା ନିମନ୍ତେ ଇଲେକ୍ଟ୍ରୋନିକ୍ସ, ସୁଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ କାର୍ଯ୍ୟ କରୁଛି । ୨୦୧୬-୧୭ ଠାରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଶତକଡା ୧ ସୁଧ ହାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଋଣ ଯୋଗାଇ ଦିଆଯାଉଛି ଏବଂ ବଳକା ସୁଧର ଭାର ସରକାର ବହନ କରୁଛନ୍ତି ।

ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ ଯୋଗାଇଦେବା ନିମନ୍ତେ ମାର୍ଗଦର୍ଶିକାରେ ଥିବା ରାଜ୍ୟସ୍ତରୀୟକୁ ଜିଲ୍ଲା ଓ ମଣ୍ଡଳରେ ପରିବର୍ଲନ କରାଯାଇ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରାଯାଇଛି । ମୁଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଜିଲ୍ଲା / ମଣ୍ଡଳ ସ୍ତରରେ (ରାଜ୍ୟସ୍ତରୀୟ ନୁହେଁ) ମେଧା ତାଲିକା ପ୍ରସ୍ତୁତ କରିବା ପାଇଁ ବୃତି ମାର୍ଗଦର୍ଶିକାରେ ପରିବର୍ତନ ଅଣାଯାଇଛି । ସର୍ବଭାରତୀୟ ସେବା ପରୀକ୍ଷା ନିମନ୍ତେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ସମସ୍ତ ବର୍ଗର ୨୦୦ ମେଧାବୀ ବେସାମରିକ ସେବା ଆଶାୟୀମାନଙ୍କ ପାଇଁ ମାଗଣାରେ ତାଲିମ ବ୍ୟବସ୍ଥା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇାଛି । ରାଜ୍ୟ/ଦେଶ ବାହାରକୁ ଏକ୍ସପୋଜର ଭିଜିଟ ସମେତ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ନିୟମିତ ଭାବେ ଓରିଏଂଟସେନ/ ରିଫ୍ରେସର/ ମିଡକ୍ୟାରିଅର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଳ୍ପ କିଛି ବିଷୟର ବିକାଶ ନିମନ୍ତେ ସାରା ରାଜ୍ୟରେ ୧୧ ଗୋଟି ଉତ୍କର୍ଷ କେନ୍ଦ୍ର (ସିଓଇ) କାର୍ଯ୍ୟ କରୁଛି । ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକର ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ ବିଶେଷ କରି ବିଜ୍ଞାନ ଡିଗ୍ରୀ ପାଠ୍ୟକ୍ରମରେ ପଢିବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀମାନଙ୍କର ଯନି ନେବା ନିମନ୍ତେ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଥିଲେ ।

୨୦୦୦ ମସିହାର ଉଚ୍ଚଶିକ୍ଷା କ୍ଷେତ୍ର ନିମନ୍ତେ ବଜେଟ ବ୍ୟବସ୍ଥା ୪୭୩ କୋଟି ଥିବାବେଳେ ୨୦୨୩ ମସିହାରେ ଏହା ୩୧୭୩ କୋଟିକୁ ବୃଦ୍ଧି କରାଯାଇଛି । ମହାବିଦ୍ୟାଳୟ ସଂଖ୍ୟା ୫୪୮ ରୁ ୧୦୨୪ ବୃଦ୍ଧି ହୋଇଥିବାବେଳେ ରାଜ୍ୟ ସାଧାରଣ ବିଶ୍ୱବିଦ୍ୟାଳୟ ସଂଖ୍ୟା ୬ ରୁ ୧୬ କୁ ବୃଦ୍ଧି ପାଇଛି । ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆର୍ôଥକ ସହାୟତା ଯୋଗାଇଦେବା ପାଇଁ ସରକାର ୨୦୧୯-୨୦ ମସିହାରୁ ବାର୍ଷିକ ୨୦ ହଜାର ଟଙ୍କା ଗୋପବନ୍ଧୁ ସହାୟତା ଯୋଜନାରେ ଯୋଗାଇ ଦେଉଛନ୍ତି । ଏଥିପାଇଁ ବଜେଟରେ ପ୍ରତିବର୍ଷ ସରକାର ୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା ରଖିଛନ୍ତି । କଳିଙ୍ଗ ଶିକ୍ଷା ସହାୟତା ଯୋଜନା ଅଧୀନରେ ଶିକ୍ଷା ଋଣ ନେଇଥିବା ଛାତ୍ରଛାତ୍ରୀମାନେ ୧% ସୁଧ ଦେଉଥିଲାବେଳେ ସୁଧ ବବାଦକୁ ବଳକା ଅର୍ଥ ସରକାର ବହନ କରୁଛନ୍ତି ।

ନିୟୋଜନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ପ୍ରତ୍ୟେକ ବର୍ଷ ୫୦ ହଜାର ଛାତ୍ରଛାତ୍ରୀମାନଙ୍କୁ ଚାକିରି ମେଳା ମାଧ୍ୟମରେ ଇଣ୍ଟର୍ନସିପ ଓ ଦକ୍ଷତା ବିକାଶ ତାଲିମ ନିଗମ ଏବଂ ଶିଳ୍ପ ଚୟନକାରୀ ସଂସ୍ଥାମାନଙ୍କ ମିଳିତ ସହଯୋଗରେ ପ୍ରଦାନ କରିବା ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ ଗବେଷଣା ପ୍ରୋତ୍ସାହନ ବୃତି ଯୋଜନା ଅଧିନରେ ପୂର୍ବରୁ ଥିବା ଓଡିଶା ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ଅଭିନବିକରଣ ପ୍ରୋତ୍ସାହନ ଯୋଜନା ନୂତନ ଯୋଜନା ସହିତ ସମ୍ମିଳିତ ହୋଇ ୫ ବର୍ଷ ପାଇଁ ୩୨୬ କୋଟି ଟଙ୍କା ୨୦୨୩-୨୪ ରେ ବଜେଟରେ ସ୍ଥାନିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି ।

ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ନିମନ୍ତେ ବିକଶିତ ହୋଇଥିବା ‘ଇ-ରିସୋର୍ସ’ କାର୍ଯ୍ୟକ୍ରମ ପାଇଁ ୨୦୨୨ ମସିହାରେ ବିଭାଗ ସ୍କଚ ଗୋଲ୍ଡ ଆୱାର୍ଡରେ ସମ୍ମାନିତ ହୋଇଥିଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁରୁଷ ଓ ମହିଳା ହକି ଦଳ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ହକି ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଛି । ରାଜ୍ୟ ସାଧାରଣ ବିଶ୍ୱବିଦ୍ୟାଳୟର ଅଧ୍ୟାପକ/ ଅଧ୍ୟାପିକାମାନେ ଶିକ୍ଷାଗତ କ୍ଷେତ୍ରରେ ୩୭୨ ଗୋଟି ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମଂଚାସୀନ ଥିବାବେଳେ ବିଭାଗୀ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

Back to top button