ପ୍ରତିଶ୍ରୁତି ପାଳନ ପାଇଁ ଅର୍ଥ ଆସୁଛି କେଉଁଠୁ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଅବାଧ, ନିରପେକ୍ଷ ଓ ସ୍ୱଛ ନିର୍ବାଚନ କରିବା ଗଣତନ୍ତ୍ରର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦିଗ। ହେଲେ ମାଗଣା ଦେବାର ପୁଳା ପୁଳା ପ୍ରତିଶୃତି, ଅର୍ଥର ଉତ୍ସ, ଅର୍ଥର ବାଧ୍ୟବାଧକତା ସୁଦ୍ଧା କେଉଁଠୁ କେମିତି ଆଣି ଦେଇଥିବା କଥା ଅନୁପାଳନ କରିବେ ଦଳ, ଏହାକୁ ନେଇ ସ୍ପଷ୍ଟତା ଆସିଲାନି ଏ ଯାଏ। ଆଉ ଏହି ମର୍ମରେ ସବୁ ଦଳକୁ ହିସାବ ମାଗିଛନ୍ତି ନିର୍ବାଚନ କମିଶନ। ଏହାକୁ ନେଇ ରାଜ୍ୟ ରାଜନୀତି ବି ତେଜିଛି।

ନିର୍ବାଚନରେ ପୁଳା ପୁଳା ପ୍ରତିଶୃତି। ପାଣି ଭଳି ଅର୍ଥ ବୁହାଯାଉଛି। ଆକାଶ କଇଁଆ ଚିଲିକା ମାଛ ଭଳି ଏୟା ଦେବୁ ସେୟା ଦେବୁ। ତା ପୁଣି ମାଗଣାରେ କେତେ କଅଣ। ହେଲେ ଏହି ମାଗଣାରେ ଦେବାର ପ୍ରତିଶୃତି କେମିତି ଅନୁପାଳନ ହେବ। ଏଥିଲାଗି ଅର୍ଥ ଆସିବ କେଉଁଠୁ। ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ତ ଏ ନେଇ କୌଣସି ସ୍ପଷ୍ଟତା ରଖୁନାହାନ୍ତି। ନା ହିସାବ ଦେଉଛନ୍ତି ନା ଭୋଟରଙ୍କ ପାଖରେ ଉତ୍ତରଦାୟିତ୍ୱ ରହିଛି।

ଆଉ ଏହି ସନ୍ଦର୍ଭରେ ଏବେ ହିସାବ ଦେଇ ମାଗଣା ଯୋଜନା କେଉଁ ଆଧାରରେ ଘୋଷଣା କରୁଛ, ଦଳଗୁଡ଼ିକୁ ଚିଠି ଲେଖି ସଂସ୍କାର ଆଣିବା ଜରୁରୀ ବୋଲି ମତ ଦେଇଛନ୍ତି କମିଶନ। ଏହାକୁ ନେଇ ରାଜ୍ୟରେ ଥିବା ବିରୋଧୀ ଦଳ କମିଶନଙ୍କ ସଂସ୍କାରମୂଳକ ପଦକ୍ଷେପକୁ ସ୍ୱାଗତ କରିଛି। କଂଗ୍ରେସ କହୁଛି, ଗଣତନ୍ତ୍ର ଯେଉଁ ଅବସ୍ଥାକୁ ଗଲାଣି, ବିକାଶ ଲାଗି ନୁହେଁ। ବରଂ ଲାଞ୍ଚରେ ଭୋଟ ହେଉଛି। ଆଉ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୂର କରିବା ଜରୁରୀ। ବିଜେପି କହିଛି, ନିର୍ବାଚନରେ ଆର୍ଥିକ ସ୍ୱଛତାର ଆବଶ୍ୟକତା ଅଛି। ଓଡ଼ିଶାରେ ବିଜେଡି ନିର୍ବାଚନ ସମୟରେ ଯେଭଳି ଖର୍ଚ୍ଚ କରୁଛି, ସେମାନେ ହିସାବ ଦେଲାଭଳି ଲାଗୁନି। ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନାର ସଫଳତା କମ୍, ବରଂ ଭୋଟ ପାଇଁ ବ୍ୟବହାର ବେଶୀ।

ସେପଟେ ଶାସକ ଦଳ କହିଛି, ମାଗଣା ସ୍କିମ୍ ଓ ଜନକଲ୍ୟାଣକାରୀ ଯୋଜନା ଭିତରେ ତଫାତ୍ ଅଛି। ହେଲେ ଏହାକୁ ବହୁ ସମୟରେ ମିଶାଇ ଦିଆଯାଉଥିବାରୁ ଦ୍ୱନ୍ଦ୍ୱ ରହୁଛି। ବିଜେଡି ନିଶ୍ଚିତ କମିଶନଙ୍କୁ ହିସାବ ଦେବ। ଓଡ଼ିଶାରେ ଲୋକାଭିମୁଖୀ ଯୋଜନା ହୋଇଛି, ମାଗଣା ଦେଇ ଭୋଟ ପାଇଁ ନୁହେଁ।

ନିର୍ବାଚନରେ ଦେଉଥିବା ପ୍ରତିଶୃତିରେ ମାଗଣା ଦେବାର ଟ୍ରେଣ୍ଡ୍ ଓ ଏହା ପଛର ଉଦେଶ୍ୟ ଓ ଉତ୍ତରଦାୟିତ୍ୱକୁ ଥୋପିବାକୁ ନିର୍ବାଚନ କମିଶନ ଆଣିବାକୁ ଯାଉଛନ୍ତି ସଂସ୍କାର। ତେବେ ଏହା ଉପରେ କେତେଦୂର ଦଳଗୁଡିକ ସହଯୋଗ କରୁଛନ୍ତି, ତା ଉପରେ ନଜର।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *