ଡେଙ୍ଗୁ ଆକ୍ରାନ୍ତକୁ ନେଇ ରେକର୍ଡ କରିବ ଗଜପତି!

ଗଜପତି: ବର୍ଷା ସାଙ୍ଗକୁ ସହରରେ ସ୍ବଚ୍ଛତା ଦିଗରେ ଯେତିକି ପ୍ରଚେଷ୍ଟା ଆବଶ୍ୟକ ଥିଲା ସେତିକି ହୋଇପାରିନାହିଁ । ଯାହାଫଳରେ ମେଲେରିଆ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଗଜପତି ଜିଲ୍ଲା ଡେଙ୍ଗୁର ନୂଆ ରେକର୍ଡ କରିବାକୁ ଯାଉଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ନିଦ ହଜାଇଦେଲାଣି।
ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆତଙ୍କ। ଡେଙ୍ଗୁ ରୋଗର ବାହକ ଏଡିଶ ମଶାର ଯେମିତି ପ୍ରଜନନ କେନ୍ଦ୍ର ପାଲଟିଛି। ଘରେ ଘରେ ଏବେ ଡେଙ୍ଗୁ ରୋଗୀ କହିଲେ ଭୁଲ୍ ହେବନି। ସ୍ୱାସ୍ଥ୍ୟ ବିଭାଗ ପାଖରେ ୧୯ ଜଣ ଡେଙ୍ଗୁ ରୋଚୀ ଚିହ୍ନଟ ଖବର ଥିଲା ବେଳେ ବାସ୍ତବରେ ଅଧିକାଂଶ ଡେଙ୍ଗୁ ରୋଗୀ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚିକିତ୍ସା ପାଇଁ ଯାଇଛନ୍ତି। ଆଉ ଅନେକ ଫାର୍ସାସିଷ୍ଟ ଓ କ୍ୱାକ୍ ଙ୍କୁ ଦେଖାଇ ଚିକିତ୍ସିତ ହେଉଥିଲା ବେଳେ ଆଉ କିଛି ରୋଗୀ ନିଜ ଭାଗ୍ୟକୁ ଆଦରି ଘରେ ପଡ଼ିଛନ୍ତି।
ପାରଳାଖେମୁଣ୍ଡି ସମେତ କାଶୀନଗର ଏନଏସି ଓ ବିଭିନ୍ନ ବ୍ଲକରେ ଏବେ ଡେଙ୍ଗୁ ମାଡ଼ିଚାଲିଛି। ପୌରପାଳିକା ମଶାମରା ଧୂଆଁ ମେସିନ ବ୍ୟବହାର କରୁଛି ସତ। ସ୍ୱଛତା ଉପରେ ଲୋକଙ୍କୁ ସଚେତନ କରାଉଛି। ହେଲେ ଏହାର ପ୍ରଭାବ ପଡୁନି।
ଡେଙ୍ଗୁ କାୟା ମେଲାଇଛି। ଏଭଳି ସ୍ଥଳେ ସ୍ଥିତିକୁ ତ୍ୱରିତ ନିୟନ୍ତ୍ରଣ ଆଣିବା ପ୍ରଶାସନ ଲାଗି ବଡ଼ ଟାସ୍କ ସାଜିଛି।
ନାଗେଶ୍ୱର ମହାପାତ୍ରଙ୍କ ରିପୋର୍ଟ