ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଓ ଆଷାଢ଼ ଦ୍ବିତୀୟା ତିଥିରେ ରଥଯାତ୍ରା ଆୟୋଜନ ମହାପ୍ରଭୁଙ୍କ ଆଦେଶ। ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ଦିନ ତାଙ୍କର ଯାତ୍ରା ପାଳନ କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ଏହି ତିଥି ଓ ପରମ୍ପରାକୁ ଭାଙ୍ଗି ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ପରମ୍ପରା ବିରୋଧୀ। ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆମେରିକାସ୍ଥିତ ହୋଷ୍ଟନ୍ ଇସ୍କନ୍ ମନ୍ଦିର ସଭାପତି ଏଚ ଜି ସାରଙ୍ଗ ଠାକୁର ଦାସଙ୍କୁ ଏଭଳି ଢଙ୍ଗରେ ଚିଠି ଲେଖିଛନ୍ତି। ଅଦିନରେ ଏଭଳି ରଥଯାତ୍ରା ଆୟୋଜନ ପୁରାତନ ଶ୍ରୀଜଗନ୍ନାଥ ସଂସ୍କୃତିର ବିଧିବ୍ୟବସ୍ଥା ଓ ପରମ୍ପରା ବିରୋଧୀ। ଏଣୁ ସନାତନ ବୈଦିକ ଧର୍ମର ଏହି ବିଧିବ୍ୟବସ୍ଥା ଓ ପରମ୍ପରାକୁ ସମ୍ମାନ ଜଣାଇ ଅଦିନରେ ଏଭଳି ଆୟୋଜନକୁ ସ୍ଥଗିତ ରଖିବା ସହ ତିଥି ଓ ତାରିଖ ଅନୁସାରେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବାକୁ ଗଜପତି ନିବେଦନ କରିଛନ୍ତି।ଏହି ଚିଠିରେ ଗଜପତି ଲେଖିଛନ୍ତି, କିଛି ବର୍ଷ ପୂର୍ବରୁ ବିଶ୍ବର ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେ ନିଜେ ବ୍ୟକ୍ତିଗତ ଭାବେ ଇସ୍କନ୍ ସହ ଆଲୋଚନା କରିଥିଲେ। ଏହି ସମୟରେ ତିଥି ଅନୁସାରେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟାଠାରୁ ଦ୍ବାଦଶୀ ଅବା ତ୍ରୟୋଦଶୀ ଭିତରେ ଇସ୍କନ୍ ବିଶ୍ବବ୍ୟାପୀ ରଥଯାତ୍ରା ପାଳନ କରିବାକୁ କୁହାଯାଇଥିଲା। ଅନ୍ୟ କୌଣସି ତିଥିରେ ରଥଯାତ୍ରା ପାଳନ ନ କରିବାକୁ ଅନୁରୋଧ କରାଯାଇଥିଲା। ବାରମ୍ବାର ଏ ଉପରେ ଆଲୋଚନା ପରେ ଇସ୍କନ୍ ପରିଚାଳନା ପରିଷଦ ଶ୍ରୀମନ୍ଦିର ତିଥି ଅନୁସାରେ ଭାରତରେ ରଥଯାତ୍ରା ପାଳନ କରିବ ବୋଲି ଚିଠି କରି ଅବଗତ କରାଇଥିଲେ।ଶ୍ରୀମନ୍ଦିରର ଚତୁର୍ଦ୍ଧାବିଗ୍ରହ ହେଉଛନ୍ତି ମୂଳ ବିଗ୍ରହ। ଉତ୍ସବ ବିଗ୍ରହ କିମ୍ବା ଚଳନ୍ତି ବିଗ୍ରହ ନୁହଁନ୍ତି ଯେ ତାଙ୍କୁ ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀମନ୍ଦିର ବାହାରକୁ ନିଆଯିବ। ସବୁ ପର୍ବପର୍ବାଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭାବେ ଶ୍ରୀମଦନମୋହନ ଶ୍ରୀମନ୍ଦିର ବାହାରକୁ ଆସିଥାନ୍ତି। ସ୍ନାନଯାତ୍ରା ଓ ରଥଯାତ୍ରା ହେଉଛି ଅତ୍ୟନ୍ତ ପବିତ୍ର ପର୍ବ, । କିନ୍ତୁ ତିଥି ବାହାରେ ଅନ୍ୟ କୌଣସି ଦିନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣିବା ପରମ୍ପରା ବିରୋଧୀ ବୋଲି ଗଜପତି ଲେଖିଛନ୍ତି
Naxatra News is now on Whatsapp
Join and get latest news update delivered to you via whatsapp
Join Now