ରାଜଧାନୀରେ ଗ୍ୟାସ ପଲିଟିକ୍ସ

() ଆଜି ବିଜେଡି ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ପଲିଟିକାଲ ଫାଇଟ। ଗ୍ୟାସ ଦର ବୃଦ୍ଧିକୁ ନେଇ ରାଜଭବନ ସାମ୍ନାରେ ବିଜେଡି ମହିଳା ମୋର୍ଚ୍ଚା ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକି ପତ୍ର ଦେଇଛନ୍ତି । ଆଗାମୀ ଦିନରେ ଦର ନ କମିଲେ ପଲ୍ଲୀରୁ ଦିଲ୍ଲୀକୁ ଆନ୍ଦୋଳନ ବ୍ୟାପିବ ବୋଲି କଡା ଚେତାବନୀ ଦେଇଛି ଦଳ। ଏପଟେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ସବୁ ଥାନାରେ ଏତଲା ଦେଇଛି ବିଜେପି । ସେପଟେ  ଆଗାମୀ ଦିନରେ କଂଗ୍ରେସ ମଧ୍ୟ ପ୍ରତିବାଦକୁ ଜୋରଦାର କରିବ ବୋଲି କହିଛି ।

ବିଜେଡି ବନାମ ବିଜେପି । ଗ୍ୟାସ ଦର ବୃଦ୍ଧି ବନାମ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ପ୍ରତିବାଦ ବନାମ ଏତଲା । ଆରୋପ ପ୍ରତ୍ୟାରୋପ ମଧ୍ୟରେ ଦିନର ଖରା ତାତିକୁ ବଳି ଯାଇଥିଲା ରାଜ୍ୟର ରାଜନୈତିକ ଉଷ୍ମତା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ର ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି ବିଜେଡି । ରାଜରାସ୍ତାରେ କାଠ ଚୁଲିରେ ରୋଷେଇ କରିବା ସହ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ଧରି ପ୍ରତିବାଦ କରିଛି ବିଜେଡି ମହିଳା ମୋର୍ଚ୍ଚା । ଏହାସହ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରି କ୍ଷମତାକୁ ଆସିଥିବା ବିଜେପିର ଏ କେମିତିକା ଅଚ୍ଛେ ଦିନ ବୋଲି ପ୍ରଶ୍ନ କରିଛି ଦଳ । ଉଜ୍ୱଳା ଯୋଜନା ଏବେ ଉଜୁଡା ଯୋଜନାରେ ପରିଣତ ହୋଇଛି କହି କଟାକ୍ଷ କରିଛି ବିଜେଡି। ଏପଟେ ‘ଚୋର କହୁଛି ମୋ ଘରୁ ଚୋରି ହୋଇଛି’ କହି କଟାକ୍ଷ କରିଛି ବିଜେପି ।

ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ସବୁ ଥାନାରେ ଏତଲା ଦେଇଛି ବିଜେପି । ପୋଲିସ ଡିଜି, ଟୁଇନ ସିଟି ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଏତଲା ଦେଇଛି ଦଳ । ଏପଟେ ଯେଉଁମାନେ ରାଜ୍ୟରେ ଆଇନ ଶୃଙ୍ଖଳା ବିଗାଡୁଛନ୍ତି ସେହିମାନେ ଥାନାକୁ ଏତଲା ଦେବାକୁ ଯାଉଛନ୍ତି କହି କଟାକ୍ଷ କରିଛି ବିଜେଡି। ହାତରେ ଛୁରୀ, ପଥର, ବୋମା ନେଇ ଆନ୍ଦୋଳନକୁ କିଏ ଆସେ କହି ବିଜେପିକୁ ଓଲଟା ପ୍ରଶ୍ନ କରିଛି ବିଜେଡି ।

ସେପଟେ ଉଭୟ ବିଜେଡି ଓ ବିଜେପିକୁ କଡା ସମାଲୋଚନା କରିଛି କଂଗ୍ରେସ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଲୋକ ଦେଖାଣିଆ ପ୍ରତିବାଦ କରୁଛନ୍ତି ଉଭୟ ଦଳ । । ଶୁକ୍ରବାର କଂଗ୍ରେସ ମଧ୍ୟ ଗ୍ୟାସ ଦର ବୃଦ୍ଧିକୁ ନେଇ ସାରା ରାଜ୍ୟରେ ପ୍ରତିବାଦ କରିଥିବା ବେଳେ ଶନିବାର ଭୁବନେଶ୍ୱରରେ କରିବ ଆନ୍ଦୋଳନ ।

ତେବେ ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପାଗ ଭିଡିବା ଆରମ୍ଭ କରିଦେଇଛନ୍ତି । ଆଗକୁ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ଆନ୍ଦୋଳନ, ପ୍ରତିବାଦ ବଢିବା ସହ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢିବ ଏଥିରେ ସନ୍ଦେହ ନାହିଁ ।

ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *